Explore

Search

December 29, 2025 11:18 pm

ଶୀତ ଋତୁର ମହୌଷଧି ପିଜୁଳି

ସମଗ୍ର ଦେଶରେ ଜାରି ରହିଛି ଶୀତ । ଆଉ ଏହି ଋତୁର ଆଗମନ ସହିତ ବଜାରରେ ଅନେକ ପ୍ରକାରର ସବୁଜ ପନିପରିବା ଓ ଫଳମୂଳର ପସରା ମଧ୍ୟ ଦେଖିବାକୁ ମିଳୁଛି । ଆଉ ଏହି ସମୟରେ ଏଇ ସବୁର ଚାହିଦା ମଧ୍ୟ ଅଧିକ ଥାଏ । ଅନେକ ସତେଜ ପନିପରିବା ମିଳିବା ସହ ଫଳ ମଧ୍ୟ ଭଲ ମିଳେ । ତେବେ ଏସବୁ ମଧ୍ୟରେ ଯଦି କୌଣସି ଗୋଟିଏ ଫଳ ସବୁଠାରୁ ଲୋକପ୍ରିୟ, ଶସ୍ତା ଏବଂ ଗୁଣକାରୀ ଥାଏ, ତେବେ ତାହା ହେଉଛି ପିଜୁଳି । ଅନେକ ଲୋକ ଏହାକୁ ଗରିବଙ୍କ ଫଳ ବୋଲି ଆଦରରେ କହିଥାନ୍ତି ସତ, କିନ୍ତୁ ଏହାର ଔଷଧୀୟ ଗୁଣ କୌଣସି ଫଳ ଠାରୁ ଗୁଣରେ କମ ନୁହେଁ । ଏହା କେବଳ ଜିଭର ଲାଳସାକୁ ମେଣ୍ଟାଏ ନାହିଁ, ବରଂ ଶରୀରକୁ ଅନେକ ମାରାତ୍ମକ ରୋଗରୁ ରକ୍ଷା କରିବାରେ ଏକ ପ୍ରାକୃତିକ କବଚ ଭଳି କାମ କରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୀତଦିନେ ପିଜୁଳି ଖାଇବା ଦ୍ୱାରା ପାଚନତନ୍ତ୍ର ସୁସ୍ଥ ଓ ମଜଭୁତ ରହିଥାଏ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ-ସି ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି ଓ ମଜଭୁତ କରିବାରେ ସହାୟକ ହୋଇଥାଏ । ଶୀତଦିନେ ପିଜୁଳି ଖାଇବା ଦ୍ୱାରା କୋଲେଷ୍ଟେରୋଲ ନିୟନ୍ତ୍ରଣ ହୋଇ ରହିଥାଏ । ଏଥିରେ ଥିବା ଫାଇବର ଖରାପ କୋଲେଷ୍ଟେରୋଲକୁ ଶରୀରରୁ ବାହାର କରିବାରେ ସହାୟକ ହୋଇଥାଏ । ରକ୍ତରେ ଏହାର ସ୍ତରକୁ କମ କରିଥାଏ ।
ଏହାସହ ପିଜୁଳିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଏଚଡିଏଲ କୋଲେଷ୍ଟେରୋଲର ସ୍ତରକୁ ସଠିକ ରଖିବାରେ ସହାୟକ ହୋଇଥାଏ । ପିଜୁଳିରେ କମଳା ଲେମ୍ବୁ ଠାରୁ ମଧ୍ୟ ଅଧିକ ମାତ୍ରାରେ ଭିଟାମିନ-ସି ରହିଥାଏ । ଶୀତଦିନେ ସାଧାରଣତଃ ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ଥଣ୍ଡା, କାଶ ଲାଗି ରହେ । ଏଭଳି ସ୍ଥିତିରେ ନିୟମିତ ପିଜୁଳି ଖାଇବା ଦ୍ୱାରା ଇମ୍ୟୁନିଟି ବୃଦ୍ଧି ପାଏ ।

ସେହିପରି ମଧୁମେହ ରୋଗୀମାନେ ଅନେକ ମିଠା ଫଳ ଖାଇବାକୁ ଭୟ କରନ୍ତି । କିନ୍ତୁ ପିଜୁଳିର ଗ୍ଲାଇସେମିକ ଇଣ୍ଡେକ୍ସ ବହୁତ କମ ଥିବାରୁ ଏହା ରକ୍ତରେ ଶର୍କରା ସ୍ତରକୁ ବଢାଏ ନାହିଁ, ବରଂ ନିୟନ୍ତ୍ରଣରେ ରଖେ । ଏହା ବ୍ୟତୀତ ହୃଦରୋଗ ଆଶଙ୍କା କମାଇବା, ଦୃଷ୍ଟିଶକ୍ତି ବଢାଇବା ଏବଂ ମାନସିକ ଚାପ ଦୂର କରିବାରେ ମଧ୍ୟ ପିଜୁଳିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ତ୍ୱଚାରେ ଚମକ ଆଣିଥାଏ ଏବଂ ଓଜନ କମାଇବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହା ଏକ ଉତ୍ତମ ବିକଳ୍ପ ସାବ୍ୟସ୍ତ ହୁଏ ।
ଶୀତଦିନେ ଗୋଲାପି କିମ୍ବା ଲାଲ ପିଜୁଳି ତ୍ୱଚା ପାଇଁ ଲାଭଦାୟକ । ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମିରୁ ତ୍ୱଚା ପାଇଁ ହେଉଥିବା ସମସ୍ୟାକୁ ଦୂର କରିଥାଏ । ଏଥିରେ ଭରପୁର ମାତ୍ରାରେ ଫାଇବର ଥିବା କାରଣରୁ ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ କରିଥାଏ । ଏହାସହ କେଶ ଝଡିବା ସମସ୍ୟାକୁ ଦୂର କରିବା ସହ କେଶ ମଜଭୁତ କରିଥାଏ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score