ଆମେରିକା : ଆମେରିକା କଲା ମହାତାଣ୍ଡବ । ମୂଳପୋଛ କରିବା ଲକ୍ଷ୍ୟରେ ୫୦ରୁ ଅଧିକ ଲୋକଙ୍କୁ ମାରିଦେଇଛି ଆମେରିକା । ଏଥିରେ ୫୦ରୁ ଅଧିକ ଆତଙ୍କବାଦୀଙ୍କୁ ନିହତ କରାଯାଇଥିବା ଦାବି କରିଛି ଯୁକ୍ତରାଷ୍ଟ୍ର ସେନା । ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ସମୂଳ ନଷ୍ଟ କରିବା ଲକ୍ଷ୍ୟରେ ଏହି କାର୍ଯ୍ୟାନୁଷ୍ଠାନ ଜାରି ରହିଛି ।
ରିପୋର୍ଟ ଅନୁସାରେ, ଫେବୃଆରୀ ୩ ରୁ ୧୨ ମଧ୍ୟରେ ସିରିଆର ବିଭିନ୍ନ ସନ୍ଦିଗ୍ଧ ଆତଙ୍କୀ ଘାଟିକୁ ଲକ୍ଷ୍ୟ କରି ୧୦ଟି ସଠିକ ବିମାନ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ଗୁଡ଼ିକ ଗୁପ୍ତ ସୂଚନା ଆଧାରିତ ଥିଲା ଏବଂ ଆତଙ୍କୀ ଠିକଣାକୁ ନିଶାନା କରି ସଞ୍ଚାଳିତ ହୋଇଥିବା କୁହାଯାଇଛି।
ଅଭିଯାନ ସମୟରେ ଅନେକ ଆତଙ୍କୀ ଲୁଚିଥିବା ଆଶ୍ରୟସ୍ଥଳ ଓ ଅସ୍ତ୍ରାଗାର ଧ୍ୱଂସ କରାଯାଇଥିବା ସୂଚନା ମିଳିଛି। ଯୁକ୍ତରାଷ୍ଟ୍ର ସେନା କହିଛି ଯେ, ଆଇଏସଆଇଏସ ପୁଣିଥରେ ସଂଗଠିତ ହେବାର ଚେଷ୍ଟା କରୁଥିବାରୁ ଏହି ପୂର୍ବ ପ୍ରସ୍ତୁତିମୂଳକ ଆକ୍ରମଣ ଜରୁରୀ ହୋଇପଡ଼ିଛି।
ତଥାପି, ଏହି ଆକ୍ରମଣରେ ସାଧାରଣ ନାଗରିକ ହାନି ହୋଇଛି କି ନାହିଁ ସେନେଇ ସ୍ପଷ୍ଟ ତଥ୍ୟ ମିଳିନାହିଁ । ତେବେ ଆତଙ୍କବାଦ ବିରୋଧୀ ଯୁଦ୍ଧ ଆଗାମୀ ଦିନରେ ଆହୁରି ତୀବ୍ର ହେବାର ସମ୍ଭାବନା ରହିଛି । ଯୁକ୍ତରାଷ୍ଟ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବିଶ୍ୱ ସୁରକ୍ଷାକୁ ସଙ୍କଟ ସୃଷ୍ଟି କରୁଥିବା ଯେକୌଣସି ଆତଙ୍କୀ ଶକ୍ତି ବିରୋଧରେ ତାଙ୍କର ଅଭିଯାନ ଜାରି ରହିବ।
ଅନେକ ଆତଙ୍କୀ ନିହତ :
ମଧ୍ୟପୂର୍ବରେ ଚାଲିଥିବା ବ୍ୟାପକ ସାମରିକ ଅଭିଯାନକୁ “ଅପରେସନ ହକଆଇ ଷ୍ଟ୍ରାଇକ” ନାମ ଦିଆଯାଇଛି । ଏହି ବିଶେଷ କାର୍ଯ୍ୟାନୁଷ୍ଠାନ ୧୩ ଡିସେମ୍ବର ୨୦୨୫ରେ ଆମେରିକୀୟ ଓ ସିରିଆନ ସେନା ଉପରେ ହୋଇଥିବା ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଆରମ୍ଭ ହୋଇଥିଲା। ଏହା ପରେ ସୁରକ୍ଷା ବଳ ଗୁଡ଼ିକ ଆତଙ୍କୀ ଠିକଣାମାନଙ୍କୁ ଲକ୍ଷ୍ୟ କରି ଲଗାତାର ଅଭିଯାନ ଚାଲୁ ରଖିଛନ୍ତି । ଏହା ସହିତ ସଂଗଠନ ସହ ଜଡିତ ୧୦୦ରୁ ଅଧିକ ଆଡ୍ଡା, ଗୁପ୍ତ ଆଶ୍ରୟସ୍ଥଳ ଓ ଯୋଗାଯୋଗ କେନ୍ଦ୍ର ଧ୍ୱଂସ କରାଯାଇଥିବା ସୂଚନା ମିଳିଛି । ଗୁପ୍ତଚର ସୂଚନା ଆଧାରରେ ନିଶାନା ବନ୍ଧା ଆକ୍ରମଣ କରାଯାଇଥିବାରୁ ଆତଙ୍କୀ ସଂଗଠନକୁ କ୍ଷତି ପହଞ୍ଚିଥିବା କୁହାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
