Explore

Search

February 11, 2026 11:51 am

୧୬,୫୫୪ କୋଟି ଟଙ୍କା ବିନିଯୋଗରେ ଗୋପାଳପୁର ବନ୍ଦର ହେବ ସମ୍ପ୍ରସାରଣ : ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର : ୧୬,୫୫୪ କୋଟି ଟଙ୍କା ବିନିଯୋଗରେ ଗୋପାଳପୁର ବନ୍ଦର ହେବ ସମ୍ପ୍ରସାରଣ । ଏଭଳି ପ୍ରତିଶୃତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ । ଗଞ୍ଜାମ ଜିଲ୍ଲାକୁ ଅଧିକ ଉନ୍ନତ ଓ ସୌନ୍ଦର୍ଯ୍ୟମୟ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି । ଏହି ପ୍ରକଳ୍ପ ସାକାର ହେଲେ ବନ୍ଦରର ପଣ୍ୟ ପରିବହନ କ୍ଷମତା ୫୦ ମିଲିଅନ ମେଟ୍ରିକ ଟନକୁ ବୃଦ୍ଧି ପାଇବ।

ଏହାସହିତ ପ୍ରାୟ ୫ ହଜାର ଯୁବକ-ଯୁବତୀଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଯାହା ଜିଲ୍ଲାର ଅର୍ଥନୈତିକ ଆଧାରକୁ ମଜବୁତ କରିବ ।

ତଦୁପରି, ଗଞ୍ଜାମ ଜିଲ୍ଲାର ବାହୁଦା ଅଞ୍ଚଳରେ ୨୧,୫୦୦ କୋଟି ଟଙ୍କା ବିନିଯୋଗରେ ଏକ ବୃହତ ବନ୍ଦର ସ୍ଥାପନ କରାଯିବାକୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଏହି ଦୁଇଟି ବୃହତ ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ବନ୍ଦର ଭିତ୍ତିକ ଅର୍ଥନୀତି ଆହୁରି ସୁଦୃଢ଼ ହେବା ସହ ଗଞ୍ଜାମ ଜିଲ୍ଲା ଉନ୍ନତିର ନୂଆ ମାଇଲଷ୍ଟୋନ ଛୁଇଁବ ।

ଗତକାଲି ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇ ଗଞ୍ଜାମ ଜିଲ୍ଲାର ଉନ୍ନତି ପାଇଁ ପ୍ରତିଶୃତି ଦେଇଛନ୍ତି । ସେହିପରି ଏହି ଅବସରରେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପ୍ରତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ‘ଉପେନ୍ଦ୍ର ଭଞ୍ଜ ଚେୟାର’ର ପୁନଃସ୍ଥାପନ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ପ୍ରତିଷ୍ଠିତ ହୋଇଥିଲେ ମଧ୍ୟ ଦୀର୍ଘ ବର୍ଷ ଧରି ଏହି ଚେୟାର ଅଚଳ ରହିଥିବାରୁ ଏହାର ପୁନରୁଜ୍ଜୀବନ ଆବଶ୍ୟକ ଥିଲା।

ଏହା ସହିତ ମୁଖ୍ୟମନ୍ତ୍ରୀ ଉପେନ୍ଦ୍ର ଭଞ୍ଜଙ୍କ ଜୟନ୍ତୀକୁ ଚଳିତ ବର୍ଷଠାରୁ ରାଜ୍ୟ ଉତ୍ସବ ଭାବେ ପାଳନ କରାଯିବାକୁ ଘୋଷଣା କରିଛନ୍ତି। ଆସନ୍ତା ମଇ ୧୬ ତାରିଖରୁ କବି ସମ୍ରାଟଙ୍କ ଜୟନ୍ତୀ ସପ୍ତାହବ୍ୟାପୀ ଉତ୍ସବ ଆକାରରେ ପାଳନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score