ହାଇକୋର୍ଟ ଗଲେ କ୍ରିକେଟର ଗୌତମ ଗମ୍ଭୀର। ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ନିଜ ପରିଚୟର ଦୁରୁପଯୋଗ ଅଭିଯୋଗ ନେଇ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାରେ, କେତେ ଗୁଡିଏ ସୋସିଆଲ ମିଡିଆ ଓ ଅନଲାଇନ ପ୍ଲାଟଫର୍ମରେ ଗତ କିଛିଦିନ ହେବ ତାଙ୍କ ନାମ, ମୁହଁ ଓ ସ୍ୱରକୁ ନକଲି ଭାବରେ ବ୍ୟବହାର କରି କଣ୍ଟେଣ୍ଟ ପ୍ରସାର କରାଯାଉଛି ।
ସେହିପରି ତାଙ୍କ ନାମରେ ବିଭିନ୍ନ ଡିପ ଫେକ ଭିଡିଓ ସହ ବିଭିନ୍ନ ପୋଷ୍ଟ ଭାଇରାଲ ହେଉଛି । ତେବେ ଆଧୁନିକ AI ପ୍ରଯୁକ୍ତି ଦ୍ୱାରା ଏପରି ଭାବେ ପ୍ରସ୍ତୁତ ହୋଇଛି ଯେ, ସାଧାରଣ ଲୋକଙ୍କୁ ଲାଗୁଛି ଯେ ଗମ୍ଭୀର ନିଜେ ଏହି ବକ୍ତବ୍ୟ ଦେଇଛନ୍ତି । ଆଉ ଯାହାକୁ ପ୍ରାୟ ୨୯ ଲକ୍ଷ ଲୋକ ଦେଖିଛନ୍ତି । ଯାହା ତାଙ୍କୁ ଖୁବ କଷ୍ଟ ଦେଇଛି ।
ଏନେଇ ତାଙ୍କ ପକ୍ଷରୁ ଓକିଲ କୋର୍ଟକୁ ଜଣାଇଛନ୍ତି ଯେ ଏହା ସତ ନୁହେଁ । ଏହା AI ପ୍ରଯୁକ୍ତି ଦ୍ୱାରା ପ୍ରସ୍ତୁତ ହୋଇଛି । ଯାହା ଲୋକମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିଛି । ଏହାସହ ଅନ୍ୟ ଗୋଟିଏ ଭିଡିଓରେ ସେ ବରିଷ୍ଠ କ୍ରିକେଟରମାନଙ୍କ ବିଷୟରେ ମନ୍ତବ୍ୟ କରୁଥିବା ଭାବେ ଦେଖାଯାଇଛି । ଯାହାକୁ ୧୭ ଲକ୍ଷରୁ ଅଧିକ ଦର୍ଶକ ଦେଖିଛନ୍ତି ।
ଏହି ଘଟଣାକୁ ଗମ୍ଭୀର ଗୁରୁତର ସହ କୋର୍ଟରେ ଉଠାଇ ତାଙ୍କ ପ୍ରତିଷ୍ଠା ଓ ବ୍ୟକ୍ତିଗତ ଛବିକୁ ଗୁରୁତର କ୍ଷତି ହୋଇଥିବା ଦାବି କରିଛନ୍ତି । ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ ଏପରି କଣ୍ଟେଣ୍ଟକୁ ତୁରନ୍ତ ହଟାଇ ଏହାର ମୂଳ ସୂତ୍ରକୁ ଚିହ୍ନଟ କରି କଡ଼ା ପଦକ୍ଷେପ ନିଆଯାଉ ।
ଏହି ମାମଲାରେ ସେ Amazon, Flipkart, Meta, X ଓ Google ଭଳି ବଡ଼ ଡିଜିଟାଲ ପ୍ଲାଟଫର୍ମମାନଙ୍କୁ ପକ୍ଷଭୁକ୍ତ କରିଛନ୍ତି । ତାଙ୍କ ଅଭିଯୋଗ ଯେ, ଏହି ସମସ୍ତ ପ୍ଲାଟଫର୍ମରେ ତାଙ୍କ ନାମ ଓ ଛବି ଥିବା ସାମଗ୍ରୀ ବିନା ଅନୁମତିରେ ପ୍ରଚାର ଓ ବିକ୍ରି ହେଉଛି ।
ଗମ୍ଭୀର କୋର୍ଟଙ୍କୁ ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ ତାଙ୍କ ଲିଖିତ ସମ୍ମତି ବିନା ତାଙ୍କ ପରିଚୟ, ନାମ, ଛବି କିମ୍ବା ସ୍ୱର କୌଣସି ମାଧ୍ୟମରେ ବ୍ୟବହାର ନହେଉ । ତେଣୁ ସେ ସବୁ ଭିଡିଓ ଓ ପୋଷ୍ଟ ଗୁଡ଼ିକୁ ତୁରନ୍ତ ହଟାଇବା ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ମାଗିଛନ୍ତି ।
ଏହାସହିତ, ଗମ୍ଭୀର ଏହି ମାମଲାରେ ପ୍ରାୟ ୨.୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ତାଙ୍କ ଓକିଲଙ୍କ କହିବା ଅନୁସାରେ, ଏହା କେବଳ ବ୍ୟକ୍ତିଗତ ସମ୍ମାନର ପ୍ରଶ୍ନ ନୁହେଁ, ବରଂ ଡିଜିଟାଲ ଯୁଗରେ ଭୁଲ ସୂଚନା ଓ AI ଦୁରୁପଯୋଗ ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ଲଢେଇ ମଧ୍ୟ ଅଟେ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
