Explore

Search

March 7, 2026 3:12 am

ହଳଦିଆପଦରରେ ନିଆରା ହୋଲି : ଡିଜେ ନୁହେଁ ଭଜନ ଓ ନାମ ସଂକୀର୍ତ୍ତନରେ ହେଲା ପାଳନ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ହଳଦିଆପଦର ସ୍ଥିତ ସ୍ଥାନୀୟ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ “ଆଧ୍ୟାତ୍ମିକ ହୋଲି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ହଜାରହଜାର ଭକ୍ତ ଓ ଯୁବପୀଢ଼ି ଯୋଗଦେଇ ଉତ୍ସବର ଆନନ୍ଦ ଉପଭୋଗ କରିଥିଲେ।

ଚଳିତ ବର୍ଷ ହୋଲି ଉତ୍ସବକୁ ପାରମ୍ପରିକ ଭଜନ-କୀର୍ତ୍ତନ, ନାମ ସଂକୀର୍ତ୍ତନ ଓ ସତସଙ୍ଗ ମାଧ୍ୟମରେ ଆଧ୍ୟାତ୍ମିକ ଭାବନା ସହ ବେଶ ଧୂମଧାମରେ ପାଳନ କରାଯାଇଥିଲା । ଏହି ଦିନରେ ପ୍ରାୟ ଅନେକ ଲୋକ ରାସାୟନିକ ରଙ୍ଗ ବ୍ୟବହାର କରୁଛନ୍ତି । ଯଦିଓ ଏହା ଆମର ପରମ୍ପରା ନୁହେଁ ମାତ୍ର ରସାୟନିକ ରଙ୍ଗ ବ୍ୟବହାର ପାଇଁ ଯୁବପୀଢ଼ି ମାନେ ବେଶ ଆଗ୍ରହ କରନ୍ତି ।

ଖାଲି ସେତିକି ନୁହେଁ ବର୍ତ୍ତମାନ ସମୟରେ ହୋଲି ଉତ୍ସବ ଅନେକ ସ୍ଥାନରେ ଡିଜେ ଓ ପାର୍ଟି ସହ ଜଡିତ ହେଉଛି । ତେବେ ଏହାରି ଭିତରେ ହଳଦିଆପଦରରେ ଏଭଳି ପାରମ୍ପରିକ ଓ ଧାର୍ମିକ ଆଚାର-ବିଚାର ସହ ହୋଲି ପାଳନ କରାଯାଇଥିବାରୁ ସ୍ଥାନୀୟ ଲୋକେ ଏହି ପ୍ରୟାସକୁ ଭୁରିଭୁରି ପ୍ରଶଂସା କରିଛନ୍ତି।

ଏହି ଆୟୋଜନ ମାଧ୍ୟମରେ ଉତ୍ସବର ମୂଳ ଆଧ୍ୟାତ୍ମିକତା ଓ ସାଂସ୍କୃତିକ ମୂଲ୍ୟବୋଧକୁ ଉଜାଗର କରିବା ସହିତ ଯୁବପୀଢ଼ିଙ୍କୁ ପାରମ୍ପରିକ ଧାରା ସହ ଯୋଡିବାର ଏକ ସକାରାତ୍ମକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି ।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ଯୋଗଦେଇ ଯୁବମାନଙ୍କ ସହ ଆଲୋଚନା କରିଥିଲେ। ସଂସ୍କୃତି ଓ ପାରମ୍ପରିକ ମୂଲ୍ୟବୋଧକୁ ଆଗକୁ ନେବାରେ ଏପରି ପ୍ରୟାସ ଅତ୍ୟନ୍ତ ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମତ ଦେଇଥିଲେ ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଉନ୍ନତିରେ ଯୁବପୀଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯୁବମାନେ ଯଦି ନିଜ ସଂସ୍କୃତି, ପାରମ୍ପରିକତା ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ସହ ଯୁକ୍ତ ରହିବେ, ତେବେ ସମାଜ ଓ ଦେଶ ଦୁହେଁ ଶକ୍ତିଶାଳୀ ହେବ ବୋଲି ସେ କହିଛନ୍ତି।

ସେହିପରି ସ୍ଥାନୀୟ ବ୍ୟବସାୟୀ ଏ. ରାମା ରାଓ କହିଛନ୍ତି, ଆଜିକାଲି ଅନେକ ଯୁବକ ଉତ୍ସବ ସମୟରେ ଭ୍ରାନ୍ତ ଦିଗରେ ଯାଉଛନ୍ତି । ଏପରି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସେମାନଙ୍କୁ ସଠିକ ଦିଗ ଦେଖାଇପାରିବ ଓ ସମାଜରେ ଶିଷ୍ଟାଚାର ଓ ସଂସ୍କୃତି ପ୍ରତି ଆଗ୍ରହ ବଢ଼ାଇବ ।

ଉତ୍ସବରେ ବ୍ରହ୍ମପୁର ପୋଲିସ ଅଧୀକ୍ଷକ ଏସ.ବିବେକ, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ଯୋଗଦେଇ ଏଭଳି “ଆଧ୍ୟାତ୍ମିକ ହୋଲି” ଆୟୋଜନ ସମାଜରେ ଶୃଙ୍ଖଳା ଓ ସାଂସ୍କୃତିକ ସଚେତନତା ବୃଦ୍ଧି କରିବାରେ ସହାୟକ ହେବ ବୋଲି କହିଥିଲେ।

ହଳଦିଆପଦରରେ ଆୟୋଜିତ ଏହି ‘ଆଧ୍ୟାତ୍ମିକ ହୋଲି’ କେବଳ ଧାର୍ମିକ ଉତ୍ସବ ନୁହେଁ, ବରଂ ସମାଜକୁ ସକାରାତ୍ମକ ସନ୍ଦେଶ ଦେଇଥିବା ଏକ ସାଂସ୍କୃତିକ ଅଭିଯାନ ଭାବେ ପରିଚିତ ହୋଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score