Explore

Search

February 22, 2026 3:18 pm

ସୌନ୍ଦର୍ଯ୍ୟର ଅନ୍ୟ ନାଁ ପୁଞ୍ଜିସିଲ ପର୍ଯ୍ୟଟନସ୍ଥଳୀ

କୋରାପୁଟ : ପ୍ରାକୃତିକ ସୌନ୍ଦର୍ଯ୍ୟର ଅପୂର୍ବ ଧରୋହର ହେଉଛି ବଣପାହାଡ଼ ଘେରା କୋରାପୁଟ ଜିଲ୍ଲା । ମନେ ହୁଏ ଯେପରି ପ୍ରକୃତିରାଣୀ ନିଜ ସମସ୍ତ ଶୋଭା ଏଠାରେ ଓଜାଡ଼ି ଦେଇଛି । ସବୁଜ ବନାନୀ ଭରା ପରିବେଶ, ଶୀତଳ ପବନ ଓ ଦର୍ଶନୀୟ ପର୍ଯ୍ୟଟନ ସ୍ଥଳୀଗୁଡ଼ିକ ପ୍ରତିବର୍ଷ ଅନେକ ପର୍ଯ୍ୟଟକଙ୍କୁ ଏଠାକୁ ଆକର୍ଷିତ କରେ।

ଏପରି ଏକ ଅତ୍ୟନ୍ତ ମନୋହର ଓ ସୌନ୍ଦର୍ଯ୍ୟମୟ ପ୍ରାକୃତିକ ପରିବେଶ ଦେଖିବାକୁ ମିଳେ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକର ମୁଜାଙ୍ଗ ପଞ୍ଚାୟତ ଅନ୍ତର୍ଗତ ପୁଞ୍ଜିସିଲ ପର୍ଯ୍ୟଟନ ସ୍ଥଳୀରେ । ଦାମନଯୋଡି ଅଞ୍ଚଳର ପଞ୍ଚପଟ୍ଟମାଳି ପର୍ବତ ଶୃଙ୍ଖଳାରୁ ଝରି ଆସୁଥିବା ମୁରାନ ଝରଣା ଏଠାରେ ପଥର ପଥର ଉପରେ ନୃତ୍ୟ କରୁଥିବା ପରି ଝରି ବୋହିଯାଏ । ଝରଣାର ଏହି ମନୋରମ ଓ ସୁଶୀତଳ ଦୃଶ୍ୟ ପ୍ରତିଦିନ ଅନେକ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇ ଉଠିଛି ।

କୋରାପୁଟ ଜିଲ୍ଲା ନିଜର ଅପୂର୍ବ ପ୍ରାକୃତିକ ପରିବେଶ ଓ ସୌନ୍ଦର୍ଯ୍ୟ ପାଇଁ ସଦା ସର୍ବଦା ଚର୍ଚ୍ଚାରେ ରହିଥାଏ। ବର୍ଷର ବାରମାସ ଧରି ଏଠାରେ ପର୍ଯ୍ୟଟକଙ୍କ ଆଗମନ ଅବିରତ ରହେ। ଘନ ଜଙ୍ଗଲ ଓ ପର୍ବତମାଳାରେ ଘେରାଯାଇଥିବା କୋରାପୁଟର ଅନେକ ସ୍ଥାନରେ ସୁନ୍ଦର ସୁନ୍ଦର ଝରଣା ଓ ଜଳପ୍ରପାତ ପ୍ରକୃତିର ଅନନ୍ୟ ଉପହାର ଭାବେ ଦେଖିବାକୁ ମିଳେ । ପ୍ରଦୂଷଣମୁକ୍ତ ପରିବେଶ ଥିବା ଏହି ଅଞ୍ଚଳରେ ପ୍ରତ୍ୟେକ କିଛି କିଲୋମିଟର ଅନ୍ତରାଳରେ ପ୍ରକୃତିର ନୂଆ ରୂପ ଚକ୍ଷୁଗୋଚର ହୁଏ । କାରଣ ଏହି ପୁଞ୍ଜିସିଲ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟକଙ୍କୁ ଦେଖିଲେ ହାତ ଠାରି ଡାକିଥାଏ । ଆଉ ତାର ଏହି ରୋମାଞ୍ଚକ ଭରା ପରିବେଶ ଦେଖିବାକୁ ଦର୍ଶକ ବି ଟାଣି ହୋଇ ଯାଇଥାନ୍ତି ।

କେମିତି ଯିବେ :
ଏହି ଜଳପ୍ରପାତ କୋରାପୁଟ ସହରରୁ ପ୍ରାୟ ୨୫ କିଲୋମିଟର ଓ ସେମିଳିଗୁଡ଼ାରୁ ପ୍ରାୟ ୫୦ କିଲୋମିଟର ଦୂରରେ ଅବସ୍ଥିତ । କୋରାପୁଟରେ ରହିବା ବ୍ୟବସ୍ଥା କରିଥିବା ପର୍ଯ୍ୟଟକମାନେ ସହଜରେ ସହରରୁ ଗାଡ଼ି ଭଡ଼ା କରି ପୁଞ୍ଜିସିଲ ପହଞ୍ଚିପାରିବେ । ନିର୍ମଳ ପରିବେଶ, ଶୀତଳ ପବନ ଓ ଝରଣାର କଳକଳ ଶବ୍ଦ ପର୍ଯ୍ୟଟକଙ୍କୁ ଏଠାରେ ଆସିବାକୁ ଆହୁରି ଆକର୍ଷିତ କରେ ।

ଖାସ କରି ପିକନିକ ଋତୁ ଆସିଲେ ଏଠି ପ୍ରତିଦିନ ଜମେ ଶହ ଶହ ପର୍ଯ୍ୟଟକଙ୍କ ଭିଡ । ବଣଭୋଜି ସାଙ୍ଗକୁ ସେଲ୍ଫିର ମଜା ଖୁସିକୁ ଆହୁରି ୨ ଗୁଣ କରିଦିଏ । ଖାଲି ସେତିକି ନୁହେଁ ଥଣ୍ଡା ପରିବେଶରେ ଗାଧୋଇବାର ମଜା ସତେ ଯେମିତି ଆତ୍ମାକୁ ଶାନ୍ତି ମିଳେ । ଏଥିପାଇଁ ତ ଯେଉଁ ପର୍ଯ୍ୟଟକ କୋରାପୁଟ ଆସେ ସେ ଏହି ପର୍ଯ୍ୟଟନସ୍ଥଳୀକୁ ନ ଆସି ଘରକୁ ଫେରନ୍ତିନି ।

ଯଦି ଆପଣ ସେମିଳିଗୁଡ଼ାରେ ହୋଟେଲରେ ରହୁଛନ୍ତି, ତେବେ ସେଠାରୁ ନିଜସ୍ୱ କାର କିମ୍ବା ବାଇକ ଯୋଗେ ପୁଞ୍ଜିସିଲ ଯାତ୍ରା କରିବାକୁ ପଡ଼ିବ । ପୁଞ୍ଜିସିଲ ଜଳପ୍ରପାତ ଜାତୀୟ ରାଜପଥରୁ ପ୍ରାୟ ୧୦ କିଲୋମିଟର ଭିତରକୁ ଅବସ୍ଥିତ ଥିବାରୁ, ସେଠାକୁ ପହଞ୍ଚିବା ପାଇଁ ଗାଡ଼ି ଭଡ଼ା କରିବା ହିଁ ସବୁଠାରୁ ସୁବିଧାଜନକ ବିକଳ୍ପ । ଏହି ପର୍ଯ୍ୟଟନ ସ୍ଥଳୀକୁ ସିଧାସଳଖ ବସ ସେବା ଉପଲବ୍ଧ ନାହିଁ ।

ପୁଞ୍ଜିସିଲ ଯିବା ପାଇଁ ପ୍ରଥମେ କୋରାପୁଟରୁ ରାୟଗଡ଼ା ଅଭିମୁଖେ ଯାଉଥିବା ଜାତୀୟ ରାଜପଥ ଧରି ପୋଡ଼ଆଗଡ଼ ପର୍ଯ୍ୟନ୍ତ ପହଞ୍ଚିବାକୁ ପଡ଼େ। ସେଠାରୁ ସଂଯୋଗ ରାସ୍ତା ଧରି ଅତ୍ୟନ୍ତ ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟଦେଇ ପୁଞ୍ଜିସିଲ ଜଳପ୍ରପାତକୁ ଯାଇ ପହଞ୍ଚିହେବ।

ପୋଡ଼ଆଗଡ଼ରୁ ମାତ୍ର ପ୍ରାୟ ୧୦ କିଲୋମିଟର ଭିତରରେ ଅବସ୍ଥିତ ଏହି ପୁଞ୍ଜିସିଲ ଜଳପ୍ରପାତ । ଯାହା ପର୍ଯ୍ୟଟକମାନଙ୍କ ପାଇଁ ଏକ ଆଦର୍ଶ ଭ୍ରମଣ ସ୍ଥଳୀ। ଏଠାରେ ଛୋଟ ପିଲାମାନଙ୍କୁ ନେଇ ମଧ୍ୟ ସହଜରେ ସମୟ କାଟିପାରିବେ। ତେବେ ବର୍ଷା ଋତୁ କିମ୍ବା ଜଳଧାରା ଅଧିକ ଥିବା ସମୟରେ ପିଲାମାନଙ୍କ ସୁରକ୍ଷା ପାଇଁ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ।

ଦୈନନ୍ଦିନ ବ୍ୟସ୍ତ ଓ ଚାପପୂର୍ଣ୍ଣ ଜୀବନରୁ କିଛି ସମୟ ବାହାର କରି ଏହି ନିର୍ମଳ ପ୍ରାକୃତିକ ପରିବେଶ ମଧ୍ୟରେ ବୁଲିଲେ ନିଜ ସହ ନିଜ ପରିବାର ସହିତ ମଧ୍ୟ ଅମୂଲ୍ୟ ସ୍ମୃତି ଓ ମଧୁର ଅନୁଭୂତି ସଂଗ୍ରହ କରିପାରିବେ । କାରଣ ଏହି ପୁଞ୍ଜିସିଲ ଜଳପ୍ରପାତ ପ୍ରକୃତିର ସାନ୍ନିଧ୍ୟ ମନକୁ ସତେଜ କରି ନୂଆ ଉତ୍ସାହ ଭରି ଦେଉଛି।

କୋରାପୁଟ ସଦର ମହକୁମାରୁ ପୁଞ୍ଜିସିଲର ଦୂରତା ପ୍ରାୟ ୨୫ କିଲୋମିଟର। କୋରାପୁଟରୁ ଭାୟା ପୋଡ଼ାଗଡ଼ ଦେଇ ମୁଜାଙ୍ଗ ପଞ୍ଚାୟତରୁ ୨ କି.ମି. ଗଲେ ପଡିବ ଏହି ସ୍ଥାନ। ଦୁଇଚକିଆ ଓ ୪ ଚକିଆ ଗାଡି ସେଠାକୁ ଯାଇପାରିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score