ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି । ଯାହା ଅଧିକ ଭାଷାଗତ ଅନ୍ତର୍ଭୁକ୍ତିକରଣ ଏବଂ ଗଣତାନ୍ତ୍ରିକ ସୁଗମତା ଦିଗରେ ଏକ ଐତିହାସିକ ପଦକ୍ଷେପ । ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ସମସ୍ତ ସାନ୍ତାଳୀ ଲୋକଙ୍କ ପାଇଁ ଏହା ଏକ ଗର୍ବ ଓ ଆନନ୍ଦର ବିଷୟ । ‘ଅଲଚିକି’ ଲିପିରେ ଲିଖିତ ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ ଉପଲବ୍ଧ ହୋଇଛି । ଏହା ସେମାନଙ୍କୁ ନିଜ ଭାଷାରେ ସମ୍ବିଧାନ ପଢ଼ିବା ଏବଂ ବୁଝିବା ପାଇଁ ସକ୍ଷମ କରିବ।
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ଚଳିତ ବର୍ଷ ଆମେ ‘ଅଲଚିକି’ ଲିପିର ଶତବାର୍ଷିକୀ ପାଳନ କରୁଛୁ । ଏହି ଶତବାର୍ଷିକୀ ବର୍ଷରେ ଭାରତର ସମ୍ବିଧାନକୁ ‘ଅଲଚିକି’ ଲିପିରେ ପ୍ରକାଶ କରିଥିବାରୁ ସେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଏବଂ ତାଙ୍କ ଦଳକୁ ପ୍ରଶଂସା କରିଛନ୍ତି । ସାନ୍ତାଳୀ ଭାଷା, ଯାହା ୨୦୦୩ର ୯୨ତମ ସଂଶୋଧନ ଆଇନ ମାଧ୍ୟମରେ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରାଯାଇଥିଲା । ତାହା ଭାରତର ଅନ୍ୟତମ ପ୍ରାଚୀନ ଜୀବନ୍ତ ଭାଷା ।
‘ଅଲଚିକି’ ଲିପି ହେଉଛି ସାନ୍ତାଳୀ ସମ୍ପ୍ରଦାୟ ଭାଷାର ପରିଚୟ । ଆଉ ଏହି ଲିପିର ସ୍ରଷ୍ଟା ହେଉଛନ୍ତି ସାନ୍ତାଳୀ ସମ୍ପ୍ରଦାୟର ବରପୁତ୍ର ପଣ୍ଡିତ ରଘୁନାଥ ମୁର୍ମୁ । ଦୀର୍ଘ ବର୍ଷ ଧରି ପଣ୍ଡିତ ରଘୁନାଥ ମୁର୍ମୁ ସାନ୍ତାଳୀ ଭାଷା ସମ୍ପର୍କରେ ଗବେଷଣା କରି ‘ଅଲଚିକି’ ଲିପି ପ୍ରସ୍ତୁତ କରିଥିଲେ । ଫଳରେ ପ୍ରତ୍ୟେକ ସାନ୍ତାଳୀ ଭାଷାଭାଷୀ ଲୋକେ ଏବେ ‘ଅଲଚିକି’ ଲିପିର ବ୍ୟବହାର କରି ନିଜ ମାତୃଭାଷା ସହିତ ଜଡିତ ହୋଇ ପାରୁଛନ୍ତି । ସେଥିପାଇଁ ଆଜି ମଧ୍ୟ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ମନେ ପକାଇ ତାଙ୍କୁ ‘ଅଲଚିକି’ ଲିପିର ଜନକ ମଧ୍ୟ କୁହାଯାଏ ।
ସେହିପରି ନିକଟରେ ସାନ୍ତାଳୀ ଭାଷାକୁ ଘରେ ଘରେ ଓ ଦେଶ-ବିଦେଶରେ ପହଞ୍ଚାଇବାକୁ ଡିଜିଟାଲାଇଜେସନ ମାଧ୍ୟମରେ ଉଦ୍ୟମ ହୋଇଛି । ଆଉ ଏହି ଉଦ୍ୟମ କରି ସଫଳ ହୋଇଛନ୍ତି ଜଣେ ସାନ୍ତାଳୀ ପୁଅ । ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ବ୍ଲକ ଗୋବିନ୍ଦପୁର ଗ୍ରାମର ରାମଜିତ ଟୁଡୁ । ଯିଏ ନିଜ ମାତୃଭାଷା ପାଇଁ ଗୌରବ ଆଣିଛନ୍ତି । ବହୁ ପରିଶ୍ରମ ପରେ ସାନ୍ତାଳୀ ଭାଷାକୁ ଡିଜିଟାଲାଇଜେସନ କରି ପାରିଛନ୍ତି ରାମଜିତ । ଫଳରେ ଲକ୍ଷ ଲକ୍ଷ ସାନ୍ତାଳୀ ଲୋକଙ୍କ ହୃଦୟରେ ସେ ଏବେ ସ୍ଥାନ ପାଇଛନ୍ତି । ତେବେ ‘ଅଲଚିକି’ ଲିପିକୁ ଡିଜିଟାଲାଇଜେସନ କରିବା ଦିଗରେ ରାମଜିତ ସଫଳ ହେବା ପରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ନିଜ ସାପ୍ତାହିକ ରେଡିଓ ସମ୍ବାଦ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ରାମଜିତଙ୍କୁ ପ୍ରଶଂସା କରିଥିଲେ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
