Explore

Search

January 28, 2026 7:22 am

ସରିଲା ପ୍ରସ୍ତୁତି, କାଲିଠୁ କମ୍ପିବ ଗୋପାଳପୁର ବେଳାଭୂମି

ବ୍ରହ୍ମପୁର : ସରିଲା ସବୁ ପ୍ରସ୍ତୁତି। କାଲିଠୁ କମ୍ପିବ ଗୋପାଳପୁର ବେଳାଭୂମି। ଆଉ ଦିନକ ପରେ ଝଲସି ଉଠିବ ପୁରା ଗୋପାଳପୁର ବେଳାଭୂମି ମହୋତ୍ସବ। ବେଳାଭୂମି ମହୋତ୍ସବକୁ ଧୂମଧାମରେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିରେ ମଞ୍ଚ ସଜାଣ, ଆଲୋକ ସଜ୍ଜା, ସୁରକ୍ଷା, ଯାତାୟାତ ଓ ପରିସ୍କାର-ପରିଚ୍ଛନ୍ନତା ନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତି ଭାସନ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ପ୍ରତ୍ୟେକ ଦିନ ସମୀକ୍ଷା ବୈଠକ କରି ଆସୁଛନ୍ତି । ୪ ଦିନିଆ ମହୋତ୍ସବ କିଭଳି ସୂଚାରୁ ଓ ସୁରୁଖୁରୁରେ ସମ୍ପନ୍ନ ହେବ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରୟାସ ମଧ୍ୟ ଜାରି ରହିଛି ।

ଖାଲି ସେତିକି ନୁହେଁ, ବେଳାଭୂମି ମହୋତ୍ସବକୁ ଦର୍ଶକମାନେ କିପରି ସୁବିଧାସହିତ ଓ ମନଭରି ଉପଭୋଗ କରିପାରିବେ, ସେଥିପାଇଁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତି ଭାସନ ବିଶେଷ ଗୁରୁତ୍ୱ ଦେଇଛନ୍ତି। ମହୋତ୍ସବ ସ୍ଥଳ ଓ ଚାରିପାଖ ଅଞ୍ଚଳରେ ବ୍ୟାପକ ଆଲୋକୀକରଣ ବ୍ୟବସ୍ଥା କରାଯାଇଥିବା ବେଳେ, ସୁରକ୍ଷା ଦୃଷ୍ଟିକୋଣରୁ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ସ୍ଥାପନ କରାଯାଇଛି ।

ଦର୍ଶକମାନଙ୍କ ସୁବିଧା ପାଇଁ ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା ରହିଛି । ସେହିପରି ଲୋକଙ୍କ ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ କଣ୍ଟ୍ରୋଲ ରୁମ ଖୋଲାଯାଇଛି ।

ଚଳିତ ବର୍ଷ ବେଳାଭୂମି ମହୋତ୍ସବରେ ପଲ୍ଲୀଶ୍ରୀ ମେଳା ଓ ଫୁଡପାର୍କକୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକ ଆକର୍ଷଣୀୟ ଭାବରେ ଗୁରୁତ୍ୱ ଦିଆଯାଇଛି । ଯାହା ଦର୍ଶକମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ ହେବ।

ସମଗ୍ର ଦେଶର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗ, ହସ୍ତଶିଳ୍ପ ଓ ହସ୍ତତନ୍ତ ଯୁନିଟ ସହିତ ସ୍ଥାନୀୟ ବ୍ୟବସାୟୀଙ୍କ ଉତ୍ପାଦ କିପରି ସୁଚାରୁ ଭାବରେ ପ୍ରଦର୍ଶିତ ହୋଇପାରିବ, ସେନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି। ଏହାକୁ ନଜରରେ ରଖି ମହୋତ୍ସବ ସ୍ଥଳରେ ଷ୍ଟଲ ପ୍ରସ୍ତୁତି କାମ ଜୋରସୋରରେ ଚାଲିଥିବା ଦେଖିବାକୁ ମିଳୁଛି।

ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସୂଚାରୁ ଭାବେ ଆୟୋଜନ ପାଇଁ ବେଳାଭୂମିକୁ ସମ୍ପୂର୍ଣ୍ଣ ସଫାସୁତରା କରାଯାଇଥିବା ବେଳେ, ଶାନ୍ତି-ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେପଟେ ବେଳାଭୂମି ନିକଟରେ ଥିବା ସମସ୍ତ ଉଠାଦୋକାନୀଙ୍କୁ ସୁବିଧାଜନକ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ଭାବେ ପଲ୍ଲୀଶ୍ରୀ ମେଳା ଦର୍ଶକଙ୍କ ଆକର୍ଷଣ କେନ୍ଦ୍ର ହୋଇଛି। ଏଠାରେ ଘରୋଇ ସାମଗ୍ରୀ, ବିଭିନ୍ନ ପ୍ରକାର ହସ୍ତଶିଳ୍ପ, ହସ୍ତତନ୍ତ ଓ ସାଜସଜା ସାମଗ୍ରୀ ବିକ୍ରୟ ହେଉଥିବାରୁ ପ୍ରତିଦିନ ବହୁ ଦର୍ଶକଙ୍କ ଭିଡ଼ ଲାଗିବା ଆଶା କରାଯାଉଛି।

ଖାଲି ସେତିକି ନୁହେଁ, ମହୋତ୍ସବରେ କଳାକାରମାନଙ୍କ ଦ୍ୱାରା ପରିବେଷିତ ହେବାକୁ ଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଶୀତୁଆ ସନ୍ଧ୍ୟାକୁ ଆହୁରି ରୋମାଞ୍ଚକ କରିବ ବୋଲି ସ୍ଥାନୀୟ ବାସିନ୍ଦାଙ୍କ ସହ ପର୍ଯ୍ୟଟକ ଓ ଦର୍ଶକମାନେ ଆଶା ବାନ୍ଧିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score