ଭୁବନେଶ୍ୱର : ପ୍ରଚଣ୍ଡ ତାପମାନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ନେଇଛନ୍ତି । ବିଦ୍ୟାଳୟ ସମୟରେ ପରିବର୍ତ୍ତନ କରାଯାଇ ସକାଳ ୬:୩୦ରୁ ୧୦:୩୦ ପର୍ଯ୍ୟନ୍ତ ପାଠପଢ଼ା ହେବ। ଏହି ନିର୍ଦ୍ଦେଶ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବେସରକାରୀ ବିଦ୍ୟାଳୟରେ ଲାଗୁ ହେବ।
କେବଳ ଏହି ବର୍ଷ ନୁହେଁ, ପ୍ରତିବର୍ଷ ଏପ୍ରିଲ ୨ ତାରିଖରୁ ଗ୍ରୀଷ୍ମ ଛୁଟି ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲିବ ବୋଲି ସୂଚନା ମିଳିଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ପଠାଯାଇଛି।
ଗ୍ରୀଷ୍ମ ପ୍ରବାହକୁ ମୁକାବିଲା ପାଇଁ ବିଦ୍ୟାଳୟଗୁଡ଼ିକୁ ଏଭଳି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସେହିପରି ଏହି ସମୟରେ ବିଦ୍ୟାଳୟରେ ପାନୀୟଜଳର ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ କୁହାଯାଇଛି। ଆବଶ୍ୟକ ହେଲେ କ୍ୟାମ୍ପସ ଭିତରେ ଥିବା ନଳକୂପ ଗୁଡ଼ିକୁ ମରାମତି କରାଯିବ। ପ୍ରତିଦିନ ନିର୍ଦ୍ଦିଷ୍ଟ ସମୟରେ ‘ପାଣି ବିରତି’ ବ୍ୟବସ୍ଥା ରହିବ।
ଏହାସହ ବିଦ୍ୟାଳୟଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ (ORS) ପ୍ୟାକେଟ ମଜୁତ ରଖିବାକୁ ଓ ଆବଶ୍ୟକତାନୁସାରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଯୋଗାଇଦେବାକୁ କୁହାଯାଇଛି। ତୀବ୍ର ଗରମରୁ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ବାହ୍ୟ କାର୍ଯ୍ୟକଳାପକୁ ସୀମିତ କରାଯିବ।
ଅଭିଭାବକମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି ଯେ, ପିଲାମାନଙ୍କୁ ସ୍କୁଲକୁ ପଠାଇବାବେଳେ ପାଣି ବୋତଲ ସହିତ ପଠାନ୍ତୁ। ଗ୍ରୀଷ୍ମ ଛୁଟି ପରେ ପୂର୍ବବତ ସ୍କୁଲ ସମୟ ଚାଲୁ ହେବ। ସେହିପରି ସକାଳୁଆ ସ୍କୁଲ ପରିଚାଳନା ପାଇଁ ବିଭାଗ ପକ୍ଷରୁ ବିସ୍ତୃତ ଗାଇଡଲାଇନ ମଧ୍ୟ ଜାରି କରାଯାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
