Explore

Search

January 8, 2026 4:46 am

ସମୁଦ୍ର ସୁରକ୍ଷାରେ ନୂଆ ମାଇଲ ଷ୍ଟୋନ : ‘ସମୁଦ୍ର ପ୍ରତାପ’

ନୂଆଦିଲ୍ଲୀ : ନୂଆବର୍ଷରେ ଭାରତୀୟ ତଟରକ୍ଷୀ ବାହିନୀକୁ ମିଳିଲା ଆଉ ଏକ ଐତିହାସିକ ସଫଳତା। ସ୍ୱଦେଶୀ ଭାବେ ତିଆରି ହୋଇଥିବା ପ୍ରଦୂଷଣ ନିୟନ୍ତ୍ରଣ ଜାହାଜ ICGS ‘ସମୁଦ୍ର ପ୍ରତାପ’କୁ ଆନୁଷ୍ଠାନିକ ଭାବରେ ସେବାରେ ନିୟୋଜିତ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ରାଜନାଥ ସିଂହ ଏହି ଜାହାଜକୁ କାର୍ଯ୍ୟକ୍ଷମ କରିଛନ୍ତି । ଏହାର ନିୟୋଜନ ଦ୍ୱାରା ଭାରତୀୟ ତଟରକ୍ଷୀବାହିନୀର କ୍ଷମତା ଆହୁରି ସୁଦୃଢ଼ ହୋଇଛି ।

‘ସମୁଦ୍ର ପ୍ରତାପ’ ହେଉଛି ଗୋଆ ସିପୟାର୍ଡ ଲିମିଟେଡ ଦ୍ୱାରା ନିର୍ମିତ ପ୍ରଥମ ସ୍ୱଦେଶୀ ପ୍ରଦୂଷଣ ନିୟନ୍ତ୍ରଣ ଜାହାଜ । ଏହାକୁ ‘ଆତ୍ମନିର୍ଭର ଭାରତ’ ଅଭିଯାନ ଅଧୀନରେ ଭାରତର ଜାହାଜ ନିର୍ମାଣ କ୍ଷେତ୍ରରେ ଏକ ମାଇଲ ଷ୍ଟୋନ ସାଜିବ ବୋଲି ଆଶା କରାଯାଉଛି । ‘ସମୁଦ୍ର ପ୍ରତାପ’ର ଅର୍ଥ ହେଉଛି ‘ସମୁଦ୍ରର ଗୌରବ’। ପ୍ରଦୂଷଣର ମୁକାବିଲା କରିବା, ସାମୁଦ୍ରିକ ସୁରକ୍ଷାକୁ ମଜବୁତ କରିବା ଏବଂ ପରିବେଶ ସୁରକ୍ଷା ବଜାୟ ରଖିବା ଲକ୍ଷ୍ୟରେ ଏହି ଜାହାଜର ଡିଜାଇନ ପ୍ରସ୍ତୁତ କରାଯାଇଛି । ସମ୍ପୂର୍ଣ୍ଣ ଭାବେ ଭାରତରେ ଡିଜାଇନ ଓ ନିର୍ମିତ ଏହି ଜାହାଜରେ ୬୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହୃତ ହୋଇଛି ।

୧୧୪ ମିଟର ଲମ୍ବା ଏହି ଜାହାଜ ୨୨ ନଟରୁ ଅଧିକ ବେଗରେ ଚଳାଚଳ କରିପାରେ । ଗୋଟିଏ ଇନ୍ଧନ ଭରଣରେ ପ୍ରାୟ ୬,୦୦୦ ନଟିକାଲ ମାଇଲ ଯାତ୍ରା କରିବାର କ୍ଷମତା ରଖେ । ଏଥିରେ ଆଧୁନିକ ଯନ୍ତ୍ରପାତି, କମ୍ପ୍ୟୁଟରାଇଜ ସିଷ୍ଟମ ଓ ଉନ୍ନତ ପ୍ରଦୂଷଣ ନିୟନ୍ତ୍ରଣ ଉପକରଣ ସଂଯୁକ୍ତ କରାଯାଇଛି ।

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଜାହାଜଟିରେ ଆଧୁନିକ ସ୍କିମର୍ସ, ସାଇଡ ସୁଇପିଂ ସିଷ୍ଟମ ଓ ଏକ ସ୍ୱତନ୍ତ୍ର ପ୍ରଦୂଷଣ ପରୀକ୍ଷାଗାର ରହିଛି । ଏଥିସହ ଆଧୁନିକ ଅଗ୍ନିନିର୍ବାପନ ବ୍ୟବସ୍ଥା ଓ ଉନ୍ନତ ନିରୀକ୍ଷଣ ପ୍ରଯୁକ୍ତି ମଧ୍ୟ ଯୋଗ କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ଏହି ଜାହାଜ ଆବଶ୍ୟକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ।

ବିଶେଷ କଥା ହେଉଛି, ପ୍ରଥମଥର ପାଇଁ ଏହି ଜାହାଜରେ ଦୁଇଜଣ ମହିଳା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଯେଉଁମାନେ ପୁରୁଷ ଅଧିକାରୀଙ୍କ ସହ ମିଶି କାର୍ଯ୍ୟ କରିବେ। ‘ସମୁଦ୍ର ପ୍ରତାପ’ କୋଚିକୁ ଆଧାର କରି ପଶ୍ଚିମ ସାମୁଦ୍ରିକ ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ, ନିରୀକ୍ଷଣ ଓ ସୁରକ୍ଷା ସମ୍ପର୍କିତ ଦାୟିତ୍ୱ ପାଳନ କରିବ । ତଟରକ୍ଷୀ ବାହିନୀର କହିବା ଅନୁସାରେ, ଏହି ଜାହାଜର ସାମିଲ ହେବା ଦ୍ୱାରା ସାମୁଦ୍ରିକ ସୁରକ୍ଷା, ପରିବେଶ ସୁରକ୍ଷା ଏବଂ ଜରୁରୀ ପରିସ୍ଥିତିରେ ପ୍ରତିକ୍ରିୟା କ୍ଷମତା ଆହୁରି ଶକ୍ତିଶାଳୀ ହେବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score