Explore

Search

February 14, 2026 4:06 am

ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ , ପୁରୀ ଗଲେ ୭୪ ଶ୍ରଦ୍ଧାଳୁ : ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ

ଗଞ୍ଜାମ : ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା । ବୃଦ୍ଧ ଓ ବିଧବା ମହିଳାମାନଙ୍କୁ ପବିତ୍ର ଶ୍ରୀମନ୍ଦିର ଦର୍ଶନର ସୁଯୋଗ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା’। ଗଞ୍ଜାମ ଜିଲ୍ଲାର ଛତ୍ରପୁର ଠାରେ ଆଜି ଏହି ଯୋଜନାର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ନବରଙ୍ଗପୁରରୁ ଏହାର ଶୁଭାରମ୍ଭ କରିଥିବାବେଳେ, ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ୭୪ ଜଣ ଶ୍ରଦ୍ଧାଳୁଙ୍କୁ ଦୁଇଟି ବସ ଯୋଗେ ପୁରୀ ପଠାଯାଇଛି।

ଏହି ଯୋଜନାରେ ୬୦ ରୁ ୭୫ ବର୍ଷ ବୟସ୍କ ବୃଦ୍ଧ ଓ ବିଧବା ମହିଳାମାନେ ସାମିଲ ହୋଇଛନ୍ତି । ଯାତ୍ରା ପୂର୍ବରୁ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପୁରୀ ପହଞ୍ଚିବା ପରେ ସେମାନଙ୍କ ରହଣି, ଭୋଜନ ଓ ମହାପ୍ରସାଦ ବ୍ୟବସ୍ଥା ସହ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଶେଷ ଟିମ ମଧ୍ୟ ଶ୍ରଦ୍ଧାଳୁଙ୍କ ସହ ଯାଇ ସମସ୍ତ ବ୍ୟବସ୍ଥା ଉପରେ ନଜର ରଖିବେ।

ଶ୍ରଦ୍ଧାଳୁମାନେ ଶୃଙ୍ଖଳାବଦ୍ଧ ଭାବେ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ସୁସ୍ଥ ଭାବେ ଫେରିଆସିବେ ବୋଲି ପ୍ରଶାସନ ପକ୍ଷରୁ ସୁନିଶ୍ଚିତ କରାଯାଇଛି। ପୁରୀ ପ୍ରଶାସନ ଓ ଶ୍ରୀମନ୍ଦିର ପକ୍ଷରୁ ମଧ୍ୟ ଆବଶ୍ୟକ ସମସ୍ତ ସହଯୋଗ ମିଳିବ ।

ଏହି ଅବସରରେ ରାଜ୍ୟର ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତି ଭାସନ, ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି ଓ ଓଏସଆରଟିସିର ଜିଏମ ସହ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ଯୋଜନା ମାଧ୍ୟମରେ ଅନେକ ଅସହାୟ ଓ ବୃଦ୍ଧ ଭକ୍ତଙ୍କ ସ୍ୱପ୍ନ ପୂରଣ ହେଉଥିବାରୁ ସାଧାରଣ ମହଲରେ ଖୁସିର ପରିବେଶ ଦେଖାଦେଇଛି । ଏହାସହ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score