ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୧୫ ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ‘ଶିଶୁ ବାଟିକା’ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ପ୍ରଦାନ କରାଯିବ। ଏହି ତାରିଖ ମଧ୍ୟରେ ପୋଷାକ ବଣ୍ଟନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ଓଡ଼ିଶା ରାଜ୍ୟ ଶିକ୍ଷା ପରିଷଦ (ଓସେପା) ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଛି।
ରାଜ୍ୟର ପ୍ରାକ-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଆକର୍ଷଣୀୟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏହାର ଅଂଶ ଭାବେ ଏଣିକି ସରକାରୀ ବିଦ୍ୟାଳୟରେ ପଢୁଥିବା ‘ଶିଶୁ ବାଟିକା’ର ଛାତ୍ରଛାତ୍ରୀମାନଙ୍କୁ ମାଗଣା ୟୁନିଫର୍ମ ସହ ଆବଶ୍ୟକୀୟ ଆନୁଷଙ୍ଗିକ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯିବ।
ଏହି ପଦକ୍ଷେପ ଦ୍ୱାରା ପିଲାମାନଙ୍କର ଶିକ୍ଷା ପ୍ରତି ଆଗ୍ରହ ବଢ଼ିବା ସହ ଅଭିଭାବକମାନଙ୍କ ଉପରେ ଆର୍ଥିକ ଭାର କମିବ ବୋଲି ଆଶା କରାଯାଉଛି । ନିର୍ଦ୍ଦେଶ ଅନୁସାରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରତି ଶିଶୁ ପିଛା ୧,୦୦୦ ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର କରାଯାଇଛି। ଏହି ଅର୍ଥରେ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ପୋଷାକ ସହିତ ଜୋତା, ମୋଜା, ଟି-ସାର୍ଟ, ଟ୍ରାକ ପ୍ୟାଣ୍ଟ, ଟୋପି ଏବଂ ପରିଚୟ ପତ୍ର ପ୍ରଦାନ କରାଯିବ ।
‘ଶିଶୁ ବାଟିକା’ ପିଲାମାନଙ୍କୁ ପ୍ରଦାନ କରାଯିବାକୁ ଥିବା ପୋଷାକର ରଙ୍ଗ, ଡିଜାଇନ ଓ ଗୁଣବତ୍ତା ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ରହିବ। ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତାକୁ ଧ୍ୟାନରେ ରଖି, ଏହି ପୋଷାକ ଓ ସମ୍ପୃକ୍ତ ସାମଗ୍ରୀ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଅନୁମୋଦିତ ସ୍ୱୟଂ ସହାୟକ ଗୋଷ୍ଠୀ (SHG) କିମ୍ବା ପୂର୍ବରୁ କାର୍ଯ୍ୟରତ ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ମାଧ୍ୟମରେ ସଂଗ୍ରହ କରାଯିବ।
ଏହି ପ୍ରକ୍ରିୟା ପାଇଁ କୌଣସି ନୂତନ ଟେଣ୍ଡର ଆହ୍ୱାନ ଆବଶ୍ୟକ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ଏହା ଦ୍ୱାରା ସମୟ ସଞ୍ଚୟ ସହ ପାରଦର୍ଶିତା ଓ କାର୍ଯ୍ୟକ୍ଷମତା ବଢ଼ିବ ବୋଲି ଆଶା କରାଯାଉଛି । ଏହି ସମଗ୍ର କାର୍ଯ୍ୟକ୍ରମକୁ ସରକାର ‘ଅତ୍ୟନ୍ତ ଜରୁରୀ’ ବିଭାଗରେ ସମ୍ମିଳିତ କରିଛନ୍ତି। ପୋଷାକ ବଣ୍ଟନ ପ୍ରକ୍ରିୟା ସମୟୋଚିତ ଓ ସଠିକ୍ ଭାବରେ ସମ୍ପନ୍ନ ହେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ (DPC) ମାନେ ସିଧାସଳଖ ଭାବେ ତଦାରଖ କରିବେ।
ଜାତୀୟ ଶିକ୍ଷା ନୀତି–୨୦୨୦ (NEP 2020) ର ସଫଳ ରୂପାୟନ ସହ ପ୍ରାକ–ପ୍ରାଥମିକ ସ୍ତରରେ ଶିକ୍ଷାର୍ଥୀଙ୍କ ଭର୍ତ୍ତି ହାର ବଢ଼ାଇବା ଓ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଓ ଦୂରଦର୍ଶୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
