Explore

Search

March 7, 2026 3:06 am

ରୋମାଞ୍ଚକର ମ୍ୟାଚରେ ଇଂଲଣ୍ଡକୁ ହରାଇ ଫାଇନାଲରେ ଭାରତ

ନୂଆଦିଲ୍ଲୀ : ଆଇସିସି ପୁରୁଷ ଟି–୨୦ ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ହାଇଭୋଲ୍ଟେଜ ମ୍ୟାଚରେ ଭାରତ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରି ୭ ରନରେ ବିଜୟ ହାସଲ କରି ଫାଇନାଲକୁ ପ୍ରବେଶ କରିଛି ।

ଏହି ବିଜୟ ସହିତ ଭାରତୀୟ ଦଳ ଆସନ୍ତା ରବିବାର (୮ ତାରିଖ) ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଫାଇନାଲ ଖେଳିବ । ସେଠାରେ ଭାରତର ସମ୍ମୁଖୀନ ହେବ ନ୍ୟୁଜିଲାଣ୍ଡ। ପୂର୍ବରୁ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୯ ଉଇକେଟରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା ।

ଭାରତ–ଇଂଲଣ୍ଡ ମୁକାବିଲାଟି ଏହି ବିଶ୍ୱକପର ସବୁଠାରୁ ହାଇସ୍କୋରିଂ ମ୍ୟାଚ ମଧ୍ୟରୁ ଗୋଟିଏ ହୋଇଛି । ଦୁଇ ଦଳ ମିଶି ମୋଟ ୪୯୯ ରନ ସ୍କୋର କରିଥିବା ବେଳେ ଟି–୨୦ ବିଶ୍ୱକପ ଇତିହାସରେ ଏହା ସର୍ବାଧିକ ମୋଟ ରନର ରେକର୍ଡ ହୋଇଛି । ଏହା ପୂର୍ବରୁ ୨୦୧୬ ବିଶ୍ୱକପରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୪୫୯ ରନ ହୋଇଥିଲା ।

ଆନ୍ତର୍ଜାତୀୟ ଟି–୨୦ କ୍ରିକେଟର ଦୃଷ୍ଟିରୁ ମଧ୍ୟ ଏହା ଦ୍ୱିତୀୟ ସର୍ବାଧିକ ସ୍କୋର ଥିବା ମ୍ୟାଚ ଭାବେ ଗଣାଯାଉଛି । ଏହି ତାଲିକାର ଶୀର୍ଷରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୨୦୨୩ରେ ଖେଳାଯାଇଥିବା ମ୍ୟାଚ ରହିଛି, ଯେଉଁଠାରେ ମୋଟ ୫୧୭ ରନ ହୋଇଥିଲା।

ସେମିଫାଇନାଲ ମ୍ୟାଚରେ ବାଉଣ୍ଡରି ଓ ଛକାର ବର୍ଷା ମଧ୍ୟ ଦେଖିବାକୁ ମିଳିଥିଲା। ଭାରତୀୟ ବ୍ୟାଟରମାନେ ୧୯ଟି ଛକା ମାରିଥିବା ବେଳେ ଇଂଲଣ୍ଡ ଖେଳାଳିମାନେ ୧୫ଟି ଛକା ମାରିଥିଲେ। ସମୁଦାୟ ମ୍ୟାଚରେ ୭୩ଟି ବଲ ବାଉଣ୍ଡରି ପାର କରିଥିଲା, ଯେଉଁଥିରେ ୩୯ଟି ଚଉକା ଓ ୩୪ଟି ଛକା ଥିଲା । ଟି–୨୦ ବିଶ୍ୱକପରେ ଏହା ମଧ୍ୟ ଏକ ନୂତନ ରେକର୍ଡ ହେବାକୁ ଥିଲା।

ଇଂଲଣ୍ଡ ପକ୍ଷରୁ ଯୁବ ବ୍ୟାଟର ଜ୍ୟାକବ ବେଥେଲ ଅସାଧାରଣ ପ୍ରଦର୍ଶନ କରି ୧୦୫ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଟି–୨୦ ବିଶ୍ୱକପରେ ଇଂଲଣ୍ଡ ପାଇଁ ଶତକ ହାସଲ କରୁଥିବା ଚତୁର୍ଥ ବ୍ୟାଟର ଭାବେ ସେ ନୂଆ ଇତିହାସ ଲେଖିଛନ୍ତି ।

ଏହି ମ୍ୟାଚରେ ଭାରତ ପକ୍ଷରୁ ମଧ୍ୟ ଏକ ପୁରୁଣା ରେକର୍ଡ ଭାଙ୍ଗିଗଲା। ୨୦୦୭ ଟି–୨୦ ବିଶ୍ୱକପର ସେମିଫାଇନାଲରେ ଯୁବରାଜ ସିଂହ ଓ ରବିନ ଉଥାପ୍ପା ଅଷ୍ଟ୍ରେଲିଆ ବିପକ୍ଷରେ ୮୪ ରନର ପାର୍ଟନରସିପ କରିଥିଲେ, ଯାହା ଦୀର୍ଘ ୧୯ ବର୍ଷ ଧରି ନକଆଉଟ ମ୍ୟାଚରେ ଭାରତର ସର୍ବାଧିକ ପାର୍ଟନରସିପ ଥିଲା।

ଏବେ ସଞ୍ଜୁ ସାମସନ ଓ ଇଶାନ କିଶାନ ସେହି ରେକର୍ଡକୁ ଭାଙ୍ଗିଦେଇଛନ୍ତି। ଦୁହେଁ ମିଶି ୪୫ ବଲରେ ୯୭ ରନର ଚମତ୍କାର ପାର୍ଟନରସିପ କରିଥିଲେ । ଇଶାନ କିଶାନ ୧୮ ବଲରେ ୩୯ ରନ କରି ଆଉଟ ହୋଇଥିବା ବେଳେ ସଞ୍ଜୁ ସାମସନ ଇଂଲଣ୍ଡ ବିପକ୍ଷରେ ୮୯ ରନର ଦମଦାର ପାଳି ଖେଳି ଦଳର ବିଜୟରେ ମୁଖ୍ୟ ଭୂମିକା ନେଇଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score