Explore

Search

February 11, 2026 11:50 am

ରାଜ୍ୟ ସରକାରଙ୍କ କଡା ନିର୍ଦ୍ଦେଶ : ଓଡ଼ିଆ ଭାଷାରେ ସବୁ ସରକାରୀ କାମ ହେବ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟ ଏବେ ଓଡ଼ିଆ ଭାଷାରେ କରାଯିବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରିବା ସହ ନିୟମିତ ନିଯୁକ୍ତି ଓ ପଦୋନ୍ନତି ପ୍ରକ୍ରିୟାକୁ ଗୁରୁତ୍ୱ ଦିଆଯିବ । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ୧୫ ସୂତ୍ରୀ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ନେଇ ଅନୁଷ୍ଠିତ ନିର୍ମାଣ ବିଭାଗର ସମୀକ୍ଷା ବୈଠକରେ ଏହି ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହାସହ ସମସ୍ତ କାର୍ଯ୍ୟାଳୟ ଓ ପ୍ରକଳ୍ପ ସ୍ଥଳର ନାମଫଳକ ମଧ୍ୟ ଓଡ଼ିଆରେ ଲେଖାଯିବ।

ସୂଚନାଅନୁସାରେ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ କିଛି ବିଭାଗ ଇଂରାଜୀରେ କାମ କରୁଥିବା ଅଭିଯୋଗ ହୋଇ ଆସୁଥିଲା । ଏହି ପରିପ୍ରେକ୍ଷୀରେ ଓଡ଼ିଆ ଭାଷାର ପ୍ରଚଳନକୁ ମଜବୁତ କରିବାକୁ ନିର୍ମାଣ ବିଭାଗ ପକ୍ଷରୁ ନିଷ୍ଠାର ସହିତ ପଦକ୍ଷେପ ନିଆଯାଇଛି। ସମୀକ୍ଷା ବୈଠକରେ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଛି ଯେ, ଆଗାମୀ ଦିନରେ ସମସ୍ତ ସରକାରୀ କାମ ଓଡ଼ିଆ ଭାଷାରେ ହେବ।

ଚିଠିପତ୍ର, ସରକାରୀ ନିର୍ଦ୍ଦେଶନାମା ଓ ଅନ୍ୟାନ୍ୟ ଦଲିଲ ସମ୍ପୂର୍ଣ୍ଣ ଭାବେ ଓଡ଼ିଆ ଭାଷାରେ କରିବାକୁ ନିର୍ମାଣ ବିଭାଗର ପ୍ରମୁଖ ସଚିବ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ନିର୍ମାଣ ବିଭାଗର ସମୀକ୍ଷା ବୈଠକରେ ବିଭାଗରେ ଖାଲିଥିବା ପଦଗୁଡ଼ିକୁ ଶୀଘ୍ର ପୂରଣ କରିବା ଏବଂ ଦୀର୍ଘଦିନ ଧରି ପଦୋନ୍ନତି ଅପେକ୍ଷାରେ ଥିବା ଯୋଗ୍ୟ ଅଧିକାରୀଙ୍କୁ ତୁରନ୍ତ ପଦୋନ୍ନତି ଦେବାକୁ ଗୁରୁତ୍ୱ ଦିଆଯାଇଛି ।

ବୈଠକରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ସମାପ୍ତ କରିବା ନେଇ ଆଲୋଚନା ହୋଇଥିବା ବେଳେ, ସରକାରୀ କାମକୁ ଅଧିକ ସ୍ୱଚ୍ଛ ଓ କାର୍ଯ୍ୟକ୍ଷମ କରିବା ପାଇଁ ଅନଲାଇନ ମାଧ୍ୟମରେ କାର୍ଯ୍ୟ ସମ୍ପାଦନା କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଏହାସହ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆରେ କରାଯିବ ଏବଂ କାର୍ଯ୍ୟାଳୟ ସହ ପ୍ରକଳ୍ପ ସ୍ଥଳର ନାମଫଳକ ମଧ୍ୟ ଓଡ଼ିଆ ଭାଷାରେ ଲେଖାଯିବ। ‘ଓଡ଼ିଆ ଅସ୍ମିତା’କୁ ଗୁରୁତ୍ୱ ଦେଇ ରାଜ୍ୟରେ ବିଜେପି ସରକାର ଗଠନ ପରେ ସରକାରୀ ଓ ବେସରକାରୀ ସଂସ୍ଥାର ନାମଫଳକରେ ଏହି ପରିବର୍ତ୍ତନ ସ୍ପଷ୍ଟ ଭାବେ ଦେଖାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score