Explore

Search

March 11, 2026 8:10 pm

ରାଜ୍ୟର ଆଉ ୪ ଜିଲ୍ଲାରେ ଆସିବ ଚାଉଳ ଏଟିଏମ୍ : ଖୋଲିବ ନୂଆ କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ପାଇଁ ସରକାର ଚାଉଳ ଏଟିଏମ ବ୍ୟବସ୍ଥାକୁ ବିସ୍ତାର କରିବାକୁ ଯାଉଛନ୍ତି । ଶୀଘ୍ର ଝାରସୁଗୁଡ଼ା, ନବରଙ୍ଗପୁର, କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାରେ ନୂତନ ଚାଉଳ ଏଟିଏମ ଖୋଲାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ବିଧାନସଭାରେ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ମନ୍ତ୍ରୀ ଲିଖିତ ଉତ୍ତର ଦେଇ ଏହି ସୂଚନା ପ୍ରକାଶ କରିଛନ୍ତି।

ରାଜ୍ୟର ପ୍ରଥମ ଚାଉଳ ଏଟିଏମ ୨୦୨୪ ଅଗଷ୍ଟ ୮ ତାରିଖରେ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଆରମ୍ଭ ହୋଇଥିଲା। ସେହି ସମୟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହାକୁ ଉଦଘାଟନ କରିଥିଲେ। ଏହି ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୨୦ ହଜାର ୨୧୭ ଜଣ ହିତାଧିକାରୀ ଏହି ଏଟିଏମ ମାଧ୍ୟମରେ ଚାଉଳ ଉଠାଇଛନ୍ତି। ସମୁଦାୟ ପ୍ରାୟ ୩,୮୦୫ କୁଇଣ୍ଟାଲ ଚାଉଳ ବଣ୍ଟନ ହୋଇଥିବା ସୂଚନା ମିଳିଛି ।

ଏହି ଚାଉଳ ଏଟିଏମ ବ୍ୟବସ୍ଥା ମାଧ୍ୟମରେ ହିତାଧିକାରୀମାନେ ନିଜ ରାସନ କାର୍ଡ ନମ୍ବର ଦେଇ ଏବଂ ଥମ୍ବ ସ୍କାନ କରି ସହଜରେ ଚାଉଳ ନେଇପାରୁଛନ୍ତି । ଏହା ଫଳରେ ରାସନ ଦୋକାନରେ ଦୀର୍ଘ ସମୟ ଅପେକ୍ଷା କରିବାର ଆବଶ୍ୟକତା କମିଛି । ଉପଭୋକ୍ତାମାନେ କହୁଛନ୍ତି ଯେ, ଏହି ବ୍ୟବସ୍ଥା ଦ୍ୱାରା କମ ସମୟରେ ସହଜରେ ଚାଉଳ ମିଳୁଛି ଏବଂ ଗାଁକୁ ଯିବାର ଖର୍ଚ୍ଚ ଓ ସମୟ ମଧ୍ୟ ବଞ୍ଚିଯାଉଛି ।

ବର୍ତ୍ତମାନ ଏହି ଏଟିଏମ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଥିବା ବେଳେ ଆଗାମୀ ଦିନରେ ଏହାକୁ ୨୪ ଘଣ୍ଟିଆ ସେବାରେ ପରିଣତ କରିବା ପାଇଁ ବିଭାଗ ଯୋଜନା କରୁଛି । ଜଣେ ହିତାଧିକାରୀ ଏକଥରରେ ସର୍ବାଧିକ ୨୫ କିଲୋଗ୍ରାମ ପର୍ଯ୍ୟନ୍ତ ଚାଉଳ ଉଠାଇପାରିବେ।

ଅନ୍ୟପଟେ ରାସନ ବଣ୍ଟନରେ ଅନିୟମିତତା ନେଇ ସରକାର କଡା ମନୋଭାବ ଗ୍ରହଣ କରିଛନ୍ତି। ଓଜନ ମାପରେ ଠକେଇ କରିଥିବା ୭୫ ଜଣ ରାସନ ଡିଲରଙ୍କ ଲାଇସେନ୍ସ ବାତିଲ କରାଯାଇଛି । ଚଳିତ ବର୍ଷ ୩୬୨୪ଟି ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସହ ଜଣେ ଡିଲରଙ୍କ ବିରୋଧରେ ଦଣ୍ଡାତ୍ମକ ମାମଲା ମଧ୍ୟ ରୁଜୁ କରାଯାଇଛି ବୋଲି ବିଧାନସଭାରେ ମନ୍ତ୍ରୀ ଜଣାଇଛନ୍ତି ।

ସରକାରଙ୍କ ମତାନୁସାରେ, ଚାଉଳ ଏଟିଏମ ବ୍ୟବସ୍ଥା ସଫଳ ହେଲେ ଆଗାମୀ ଦିନରେ ଏହାକୁ ସମସ୍ତ ଜିଲ୍ଲା ଓ ବ୍ଲକରେ ପର୍ଯ୍ୟାୟକ୍ରମେ ଆରମ୍ଭ କରାଯିବ। ଏହା ମାଧ୍ୟମରେ ହିତାଧିକାରୀମାନେ ରାଜ୍ୟର ଯେକୌଣସି ସ୍ଥାନରୁ ନିଜ କାର୍ଡ ମାଧ୍ୟମରେ ଚାଉଳ ଉଠାଇପାରିବେ, ଯାହା ଖାଦ୍ୟ ବଣ୍ଟନ ବ୍ୟବସ୍ଥାକୁ ଆହୁରି ପାରଦର୍ଶୀ ଓ ସୁବିଧାଜନକ କରିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score