Explore

Search

March 11, 2026 8:19 pm

ରଥଯାତ୍ରା ପାଇଁ ନୂଆ ନିୟମ : ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନ ନିଷେଧ, ଆସିବ ସ୍ୱତନ୍ତ୍ର SOP

ପୁରୀ : ରଥଯାତ୍ରା ପାଇଁ ଆସିଲା ନୂଆ ନିୟମ । ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡର ସ୍ୱଚ୍ଛତା ଓ ପବିତ୍ରତା ରକ୍ଷା ପାଇଁ ପୁରୀ ପୌରସଭା ପକ୍ଷରୁ ନୂତନ ପଦକ୍ଷେପ ନିଆଯାଇଛି । ଚଳିତ ବର୍ଷ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ ଅଇଁଠା ପତ୍ର କିମ୍ବା ପାଣି ବୋତଲ ଯେପରି ନପଡ଼େ ସେଥିପାଇଁ ସ୍ୱତନ୍ତ୍ର ମାନକ କାର୍ଯ୍ୟପ୍ରଣାଳୀ (SOP) ଜାରି ହେବ । ଏହାସହ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ରନ୍ଧା ଖାଦ୍ୟ ବଣ୍ଟନକୁ ମଧ୍ୟ ନିଷେଧ କରାଯିବାକୁ ନିଷ୍ପତ୍ତି ହୋଇଛି।

ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରା ପୂର୍ବଦିନ, ଶ୍ରୀଗୁଣ୍ଡିଚା ଦିନ ଓ ବାହୁଡା଼ ଯାତ୍ରା ସମୟରେ ପ୍ରାୟ ୧୦୦ରୁ ଅଧିକ ସଂଗଠନ ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ଶ୍ରଦ୍ଧାଳୁଙ୍କୁ ବଣ୍ଟନ କରୁଥାନ୍ତି। କିନ୍ତୁ ଡଷ୍ଟବିନ ଥିଲେ ମଧ୍ୟ ଅନେକେ ଏଠି ସେଠି ଅଇଁଠା ପତ୍ର ଓ ପ୍ଲାଷ୍ଟିକ ବୋତଲ ଫିଙ୍ଗି ଦେଉଥିବାରୁ ରାସ୍ତା ଅପବିତ୍ର ସହ ଅପରିଷ୍କାର ହେଉଥିଲା । ଭିଡ଼ ଅଧିକ ଥିବାରୁ ସଫେଇ ଗାଡ଼ି ମଧ୍ୟ ସମୟରେ ପହଞ୍ଚି ପାରୁନଥିଲା । ଯାହା ଫଳରେ ବଡ଼ଦାଣ୍ଡରେ ଆବର୍ଜନା ଜମା ହେଉଥିଲା।

ଏହି ସମସ୍ୟାକୁ ଦୂର କରିବା ପାଇଁ ଚଳିତ ବର୍ଷ ବଡ଼ଦାଣ୍ଡର ଦୁଇ ପାର୍ଶ୍ୱରେ ରନ୍ଧା ଖାଦ୍ୟ ବଣ୍ଟନକୁ ବାରଣ କରାଯିବ। ତେବେ ଅନୁମତି ନେଇ ବଡ଼ଦାଣ୍ଡ ସଂଲଗ୍ନ ଗଳି ଓ ଅନ୍ୟ ସ୍ଥାନରେ ଶ୍ରଦ୍ଧାଳୁମାନଙ୍କୁ ଖାଦ୍ୟ ବଣ୍ଟନ କରିପାରିବେ।

ଏହି ନିଷ୍ପତ୍ତିକୁ ସ୍ଥାନୀୟ ଭକ୍ତ ଓ ବୁଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି । ଏପଟେ ରଥଯାତ୍ରା ପାଇଁ ପୁରୀ ପୌରସଭା ଏକ ବିସ୍ତୃତ ଡ୍ରାଫ୍ଟ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି। ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବଙ୍କ ସମୀକ୍ଷା ପରେ ଏଥିରେ ସ୍ୱଚ୍ଛତା ଓ ସୁବିଧା ବୃଦ୍ଧି ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି । ଗତ ବର୍ଷ ୫୯୪ଟି ଅସ୍ଥାୟୀ ଟଏଲେଟ ବ୍ୟବସ୍ଥା ଥିବା ବେଳେ ଚଳିତ ବର୍ଷ ଏହାକୁ ବଢ଼ାଇ ପ୍ରାୟ ୧୦୦୦ଟି ଅସ୍ଥାୟୀ ଟଏଲେଟ ବ୍ୟବସ୍ଥା କରାଯିବ।

ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ଅଲଗା ଟଏଲେଟ ବ୍ୟବସ୍ଥା କରାଯିବା ସହିତ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ୟୁନିଟ ବ୍ୟବସ୍ଥା ରହିବ। ଏହାସହ ପର୍ଯ୍ୟାପ୍ତ ପାଣି ଯୋଗାଣ, ଖୋଲା ଡ୍ରେନରେ ସ୍ଲାବ ବ୍ୟବସ୍ଥା, ମଶା ନିୟନ୍ତ୍ରଣ ପାଇଁ ତେଲ ଛିଟା ଓ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆଧୁନିକ ପଦ୍ଧତି ଅନୁସରଣ କରାଯିବ।

ପୁରୀ ପୌରସଭାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା କହିଛନ୍ତି ଯେ, ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତ ପୁରୀକୁ ଆସୁଥିବାରୁ ସ୍ୱଚ୍ଛତା, ପାଣି ଯୋଗାଣ ଓ ପରିଚ୍ଛନ୍ନତାକୁ ନେଇ ବିଶେଷ ଯୋଜନା ଗ୍ରହଣ କରାଯାଇଛି।

ସେହିପରି ଭିଡ଼ ଓ ଯାତାୟାତ ଚାପ କମାଇବା ପାଇଁ ଆଗୁଆ ପାର୍କିଂ ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ସମସ୍ତ ପଦକ୍ଷେପ ମାଧ୍ୟମରେ ଚଳିତ ବର୍ଷ ରଥଯାତ୍ରାକୁ ଆହୁରି ସୁସଂଗଠିତ, ସ୍ୱଚ୍ଛ କରିବାର ଲକ୍ଷ୍ୟ ରଖାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score