Explore

Search

January 14, 2026 12:39 am

ମୁଖ୍ୟମନ୍ତ୍ରୀଙ୍କ ବଡ ମହାନତା, ୧୦ଲକ୍ଷ ଗରିବଙ୍କୁ ଦେବେ ପକ୍କାଘର

ଭୁବନେଶ୍ୱର : ପୁଣି ଗରିବଙ୍କ ମୁହଁରେ ହସ ଫୁଟାଇଲେ ରାଜ୍ୟ ସରକାର। ଚଳିତ ମାସ ୧୦ଲକ୍ଷ ହିତାଧିକାରୀଙ୍କୁ ବଣ୍ଟନ ହେବ ପକ୍କାଘର । ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆସିଛି ୩୭ ଲକ୍ଷ ଆବେଦନ। ରାଜ୍ୟର ଗରିବ ଓ ନିରାଶ୍ରୟ ପରିବାରମାନଙ୍କ ପାଇଁ ନୂଆବର୍ଷରେ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର । ଚଳିତ ଜାନୁଆରୀ ମାସରେ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ । ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଗରିବଙ୍କ ପାଇଁ ଏହା ନୂଆବର୍ଷର ଉପହାର ଭାବେ ଦେଖାଯାଉଛି ।

ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ରାଜ୍ୟରେ ୨୭ ଲକ୍ଷରୁ ଅଧିକ ଅନଲାଇନ ଆବେଦନ ମିଳିଥିଲା । ସେଥିମଧ୍ୟରୁ ପ୍ରାୟ ୩୪ ଲକ୍ଷ ଆବେଦନକୁ ସର୍ଟଲିଷ୍ଟ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଯାଇଛି । ଚଳିତ ମାସରେ ଚୂଡ଼ାନ୍ତ ହିତାଧିକାରୀ ତାଲିକା ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।

ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ପକ୍କା ଘର ବଣ୍ଟନ କରିବାକୁ ସରକାର ଲକ୍ଷ୍ୟ ଧାରଣ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ସମୟରେ ଅନେକ ଯୋଗ୍ୟ ଲୋକ ଘର ପାଇବାରୁ ବଞ୍ଚିତ ହୋଇଥିଲେ। ଏଥର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବା ନିମନ୍ତେ ବିଭାଗ ପକ୍ଷରୁ ବିଶେଷ ତତ୍ପରତା ନିଆଯାଇଛି ।

ଯେଉଁ ଯୋଗ୍ୟ ପରିବାର କୌଣସି କାରଣରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ ପଡ଼ିଛନ୍ତି, ସେମାନଙ୍କୁ ରାଜ୍ୟ ସରକାର ଅନ୍ତ୍ୟୋଦୟ ଯୋଜନା ମାଧ୍ୟମରେ ପକ୍କା ଘର ଯୋଗାଇ ଦେବେ। ଏ ସମ୍ପର୍କରେ ରାଜ୍ୟ କ୍ୟାବିନେଟ ପୂର୍ବରୁ ସମ୍ମତି ମିଳିଛି । ଘର ନଥିବା ଗରିବ ଲୋକଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଆବାସ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।

ଅନ୍ତ୍ୟୋଦୟ ଯୋଜନାରେ ପିଏମ୍ ଆବାସ ମଡେଲ ଅନୁସାରେ ଘର ନିର୍ମାଣ ହେବ। ପ୍ରତ୍ୟେକ ଘର ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯିବ। ଆସନ୍ତା ୩ ବର୍ଷ ମଧ୍ୟରେ ୨ ଲକ୍ଷ ୨୫ ହଜାର ନୂଆ ପକ୍କା ଘର ନିର୍ମାଣ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସେଥିପାଇଁ ଆଗୁଆ ଘର କାମ ସମାପ୍ତ କଲେ ବୋନସ ବ୍ୟବସ୍ଥା ମଧ୍ୟ ରହିଛି । ୪ ମାସ ମଧ୍ୟରେ ଘର ସମାପ୍ତ କଲେ ୨୦ ହଜାର ଓ ୬ ମାସ ମଧ୍ୟରେ ଘର କାମ ସରିଲେ ୧୦ ହଜାର ଟଙ୍କା ବୋନସ ଦେବେ ସରକାର ।

ଅନ୍ତ୍ୟୋଦୟ ଯୋଜନାରେ ପରିବାର ସଜ୍ଞାକୁ ସରଳ କରାଯାଇଛି । ସ୍ୱାମୀ, ସ୍ତ୍ରୀ, ନିର୍ଭରଶୀଳ ପିତାମାତା ଓ ସନ୍ତାନକୁ ଏକ ପରିବାର ଭାବେ ଗ୍ରହଣ କରାଯିବ। ଏହା ଦ୍ୱାରା ନୂଆ ପରିବାର ଗଠନ ହେଲେ ସେମାନେ ମଧ୍ୟ ଯୋଜନାର ସୁବିଧା ପାଇପାରିବେ। ଏହି ଯୋଜନା ପାଇଁ ପ୍ରାୟ ୭ ହଜାର ୫୫୦ କୋଟି ଟଙ୍କା ବ୍ୟୟବରାଦ କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score