Explore

Search

February 17, 2026 4:14 am

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା : ୩୩୦ କୋଟି ଟଙ୍କାରେ ହେବ ଏକାମ୍ର କ୍ଷେତ୍ରର ବିକାଶ

ଭୁବନେଶ୍ୱର : ଚମକିବ ଏକାମ୍ର କ୍ଷେତ୍ର । ଏକାମ୍ର କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା । ୩୩୦ କୋଟି ଟଙ୍କାରେ ଏକାମ୍ର କ୍ଷେତ୍ରର ହେବ ସମ୍ପୂର୍ଣ୍ଣ ବିକାଶ । ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଥିଲେ ଯେ, ଓଡ଼ିଶାର ଆଧ୍ୟାତ୍ମିକ ଐତିହ୍ୟକୁ ଆହୁରି ମଜବୁତ କରିବା ପାଇଁ ସରକାର ଦୃଢ଼ ପଦକ୍ଷେପ ନେଇଛି। ବିଶେଷକରି ଏକାମ୍ର କ୍ଷେତ୍ରର ସମଗ୍ର ଉନ୍ନତି ପାଇଁ ମୋଟ ୩୩୦ କୋଟି ଟଙ୍କା ବିନିଯୋଗ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ।

ଏନେଇ ପ୍ରଥମ ପର୍ଯ୍ୟାୟରେ ୧୮୦ କୋଟି ଟଙ୍କା ବ୍ୟୟରେ ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟକରଣ, ପରିବେଶ ସୁଧାର ଓ ଯାତାୟାତ ସୁବିଧାର ବିକାଶ କାର୍ଯ୍ୟ ଆରମ୍ଭ ହେବ। ଏହାର ଫଳରେ ଭକ୍ତମାନେ ଅଧିକ ସୁବିଧାର ସହିତ ଦର୍ଶନ କରିପାରିବେ ଏବଂ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ବୃଦ୍ଧି ପାଇବ। ଦ୍ୱିତୀୟ ପର୍ଯ୍ୟାୟରେ ୧୫୦ କୋଟି ଟଙ୍କା ବିନିଯୋଗରେ ବିନ୍ଦୁସାଗର ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନତି କାମ କରାଯିବ। ଏଥିସହ ଏକ ଆଧୁନିକ ଇଣ୍ଟରପ୍ରିଟେସନ୍ ସେଣ୍ଟର ସ୍ଥାପନ କରାଯିବ । ଯାହା ମାଧ୍ୟମରେ ପର୍ଯ୍ୟଟକମାନେ ଏକାମ୍ର କ୍ଷେତ୍ରର ଐତିହ୍ୟ, ସାଂସ୍କୃତିକ ମୂଲ୍ୟ ଓ ଧାର୍ମିକ ପରମ୍ପରା ବିଷୟରେ ସଠିକ ତଥ୍ୟ ପାଇପାରିବେ । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଶ୍ରୀଜଗନ୍ନାଥ ମନ୍ଦିର ଅବସ୍ଥିତ ଶ୍ରୀକ୍ଷେତ୍ର ପୁରୀ ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ସହିତ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ର ଗୁଡ଼ିକର ଉନ୍ନତି ପାଇଁ ସରକାର ଏକ ସମଗ୍ର ଯୋଜନା ପ୍ରସ୍ତୁତ କରିଛି । ଏହା ମାଧ୍ୟମରେ ଓଡ଼ିଶାକୁ ଆଧ୍ୟାତ୍ମିକ ପର୍ଯ୍ୟଟନର ଏକ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ପରିଚିତ କରାଯିବା ଲକ୍ଷ୍ୟ ରହିଛି। ମହାଶିବରାତ୍ରୀର ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଏକାମ୍ର କ୍ଷେତ୍ରର ଭବିଷ୍ୟତ ଉନ୍ନତି ପାଇଁ ନୂଆ ଆଶା ସୃଷ୍ଟି କରିଛି । ଭକ୍ତମାନେ ଏହାକୁ ସ୍ୱାଗତ କରିଥିବା ସହ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଓଡ଼ିଶାର ସାଂସ୍କୃତିକ ପରିଚୟ ଓ ଆଧ୍ୟାତ୍ମିକ ଐତିହ୍ୟର ମୂଳ ଆଧାର ହେଉଛି ଜଗନ୍ନାଥ, ଶୈବ ଓ ଶକ୍ତି ପରମ୍ପରା । ଧର୍ମ ଓ ସଂସ୍କୃତିର ଏହି ସମନ୍ୱୟ ଓଡ଼ିଶାକୁ ଏକ ଅଲଗା ପରିଚୟ ଦେଇଛି ।

ଗୋଟେ ପଟେ ପୁରୀର ପବିତ୍ର ଶ୍ରୀଜଗନ୍ନାଥ ମନ୍ଦିର ଓ ଅନ୍ୟ ପଟେ ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ଓଡ଼ିଆ ଆଧ୍ୟାତ୍ମିକତାର ଦୁଇଟି ମୁଖ୍ୟ କେନ୍ଦ୍ରବିନ୍ଦୁ ଭାବେ ପରିଚିତ। ଏହି ଦୁଇ ପୀଠ କେବଳ ଧାର୍ମିକ ଶ୍ରଦ୍ଧାର ସ୍ଥାନ ନୁହେଁ, ବରଂ ଐତିହ୍ୟ, କଳା, ଶିଳ୍ପକଳା ଓ ପରମ୍ପରାର ଜୀବନ୍ତ ପ୍ରତୀକ।

ରାଜ୍ୟର ପ୍ରମୁଖ ଧାର୍ମିକ ଓ ଆଧ୍ୟାତ୍ମିକ ପର୍ଯ୍ୟଟନ କ୍ଷେତ୍ର ଗୁଡ଼ିକୁ ସମଗ୍ର ଭାବେ ଉନ୍ନତ କରିବା ପାଇଁ ସରକାର ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ଶ୍ରୀଜଗନ୍ନାଥ ମନ୍ଦିର ଅବସ୍ଥିତ ଶ୍ରୀକ୍ଷେତ୍ର ପୁରୀ, କୋଣାର୍କ ସୂର୍ଯ୍ୟ ମନ୍ଦିର ଥିବା ଅର୍କ କ୍ଷେତ୍ର କୋଣାର୍କ ଓ ଭୁବନେଶ୍ୱରର ପବିତ୍ର ଏକାମ୍ର କ୍ଷେତ୍ର ସହ ଅନ୍ୟାନ୍ୟ ତୀର୍ଥକ୍ଷେତ୍ରମାନଙ୍କ ଉନ୍ନତି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସରକାରୀ ଯୋଜନା ଅନୁଯାୟୀ, ଏକାମ୍ର କ୍ଷେତ୍ରର ସାମଗ୍ରିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦୁଇ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ପ୍ରଥମ ପର୍ଯ୍ୟାୟରେ ୧୮୦ କୋଟି ଟଙ୍କା ବ୍ୟୟରେ ପରିବେଶ ସୁଧାର, ପର୍ଯ୍ୟଟକ ସୁବିଧା ବୃଦ୍ଧି, ଯାତାୟାତ ବ୍ୟବସ୍ଥାର ସୁଧାର ଓ ପ୍ରାଚୀନ ଐତିହ୍ୟର ସୁରକ୍ଷା ନେଇ କାମ ଆରମ୍ଭ ହେବାକୁ ଯାଉଛି ।

ଦ୍ୱିତୀୟ ପର୍ଯ୍ୟାୟରେ ୧୫୦ କୋଟି ଟଙ୍କା ବିନିଯୋଗରେ ବିନ୍ଦୁସାଗର ପାରିପାର୍ଶ୍ୱିକ ଅଞ୍ଚଳର ବ୍ୟାପକ ଉନ୍ନତି କାମ କରାଯିବ । ଏଥିସହ ଏକ ଆଧୁନିକ ଇଣ୍ଟରପ୍ରିଟେସନ ସେଣ୍ଟର ସ୍ଥାପନ କରାଯିବ, ଯାହା ମାଧ୍ୟମରେ ଏକାମ୍ର କ୍ଷେତ୍ରର ଐତିହ୍ୟ, ସାଂସ୍କୃତିକ ପରମ୍ପରା ଓ ଧାର୍ମିକ ମହତ୍ତ୍ୱ ସମ୍ବନ୍ଧୀୟ ସୂଚନା ଏକ ସଂଗଠିତ ଓ ଆଧୁନିକ ପ୍ରଦର୍ଶନୀ ମାଧ୍ୟମରେ ପର୍ଯ୍ୟଟକମାନେ ପାଇପାରିବେ ।

ମୋଟ ୩୩୦ କୋଟି ଟଙ୍କାର ଏହି ଯୋଜନା ମାଧ୍ୟମରେ ଏକାମ୍ର କ୍ଷେତ୍ରକୁ ଏକ ଆକର୍ଷଣୀୟ ଆଧ୍ୟାତ୍ମିକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟ ରହିଛି । ଏହା ଫଳରେ ଭକ୍ତ ଓ ପର୍ଯ୍ୟଟକମାନଙ୍କ ପାଇଁ ସୁବିଧା ବୃଦ୍ଧି ସହ ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥାନ ଆହୁରି ମଜବୁତ ହେବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score