Explore

Search

February 11, 2026 8:31 am

ମୁଁହ ଖୋଲିଲା ଶ୍ରୀଲଙ୍କା : ICC ଉଚିତ ପଦକ୍ଷେପ ନେବା ଦରକାର

ବାଂଲାଦେଶ ଓ ପାକିସ୍ତାନକୁ ନେଇ ଏବେ ପୁରୁଷ ଟ୍ୱେଣ୍ଟି-୨୦ ବିଶ୍ବକପ ବିଭିନ୍ନ ଚର୍ଚ୍ଚା ଓ ବିବାଦର କେନ୍ଦ୍ର ବିନ୍ଦୁ ପାଲଟିଛି । ଟୁର୍ଣ୍ଣାମେଣ୍ଟ ସମ୍ପର୍କିତ କିଛି ନିଷ୍ପତ୍ତି ଓ ପରିସ୍ଥିତିକୁ ନେଇ କ୍ରିକେଟ ମହଲରେ ପ୍ରଶ୍ନ ଉଠୁଥିବା ବେଳେ, ଏହି ବିବାଦ ଉପରେ ଏବେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ତାଙ୍କର ପ୍ରତିକ୍ରିୟା ରଖିଛି । ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ବିଶ୍ବକପର ସ୍ୱଚ୍ଛତା ଓ ନ୍ୟାୟସଙ୍ଗତ ଆୟୋଜନ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ, ଏବଂ ଏଥିରେ ICC ଉଚିତ ପଦକ୍ଷେପ ନେବା ଦରକାର ।

ଏହି ପୁରୁଷ ଟ୍ୱେଣ୍ଟି-୨୦ ବିଶ୍ବକପ୍ ଖେଳିବାକୁ ଭାରତ ଯିବେନି ବୋଲି ବାଂଲାଦେଶ ପକ୍ଷରୁ ଘୋଷଣା ହେବା ପରେ ବଡ଼ ପରିମାଣର ବିବାଦ ସୃଷ୍ଟି ହୋଇଥିଲା। ଏହାକୁ ନେଇ ICC ପକ୍ଷରୁ ବାଂଲାଦେଶକୁ ବୁଝାଇବା ପାଇଁ ବିଭିନ୍ନ ପ୍ରୟାସ କରାଯାଇଥିଲେ ମଧ୍ୟ ସେଗୁଡ଼ିକ ବିଫଳ ହୋଇଥିଲା। ଏହା ପରେ ICC ବାଂଲାଦେଶକୁ ବିଶ୍ବକପ୍‌ରୁ ବାଦ୍ ଦେଇ ସ୍କଟଲାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ସାମିଲ କରିଥିଲା।

ଏହି ପ୍ରସଙ୍ଗରେ ପାକିସ୍ତାନ ବାଂଲାଦେଶକୁ ସମୂର୍ଣ୍ଣ ସମର୍ଥନ ଘୋଷଣା କରି ବିଶ୍ବକପ୍ ବର୍ଜନ କରିବାର ଧମକ ଦେଇ ଆଉ ଏକ ନୂଆ ବିବାଦ ଜନ୍ମ ଦେଇଥିଲା। ଏହି ସମସ୍ତ ଘଟଣାକ୍ରମ ଏପର୍ଯ୍ୟନ୍ତ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସମାଧାନ ହୋଇନଥିବାରୁ ବିଶ୍ବକପକୁ ନେଇ ଅନିଶ୍ଚିତତା ଜାରି ରହିଛି ।

ତେବେ ଏହି ସମ୍ପୂର୍ଣ୍ଣ ବିବାଦକୁ ନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏପର୍ଯ୍ୟନ୍ତ ନୀରବତା ଅବଲମ୍ବନ କରିଆସୁଥିଲା। ହେଲେ ଏବେ ଏହି ବୋର୍ଡ ପ୍ରଥମଥର ପାଇଁ ନିଜର ମତାମତ ସାମ୍ନାକୁ ଆଣିଛି । ବୋର୍ଡର ସଚିବ ବାନ୍ଦୁରା ଦିସାନାୟକେ କହିଛନ୍ତି ଯେ, କଲମ୍ବୋ କେବେବି କୌଣସି ଆଞ୍ଚଳିକ ବିବାଦରେ ଜଡ଼ିତ ହେବାକୁ ଚାହୁଁନଥିଲା। କାରଣ ଏହା ଭାରତ, ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ଥିବା ଏକ ବିଷୟ ।

ଏହି ତିନୋଟି ଦେଶ ଶ୍ରୀଲଙ୍କାର ବନ୍ଧୁରାଷ୍ଟ୍ର ହୋଇଥିବାରୁ ବୋର୍ଡ ପକ୍ଷରୁ ନିରପେକ୍ଷ ଭାବଧାରା ଅବଲମ୍ବନ କରାଯାଇଥିଲା। ଏହାସହ ସେ ଆହୁରି ସ୍ପଷ୍ଟ କରିଛନ୍ତି ଯେ, ଭବିଷ୍ୟତରେ ଏହି ସମସ୍ତ ଦେଶଙ୍କ ମଧ୍ୟରେ ହେବାକୁ ଥିବା ଯେକୌଣସି ଆନ୍ତର୍ଜାତିକ ପ୍ରତିଯୋଗିତା ଆୟୋଜନ କରିବାକୁ ଶ୍ରୀଲଙ୍କା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବ ବୋଲି ମଧ୍ୟ ସେ କହିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score