Explore

Search

March 17, 2026 8:08 pm

ମାଲକାନଗିରିରେ ଆରମ୍ଭ ହେବ ବିମାନ ସେବା, ମାର୍ଚ୍ଚ ଶେଷରେ ଉଡ଼ିବ ଯାତ୍ରୀ ବିମାନ

ମାଲକାନଗିରି : ମାଲକାନଗିରି ଜିଲ୍ଲାବାସୀଙ୍କ ପାଇଁ ଆସିଛି ଖୁସିର ଖବର। ଦୀର୍ଘ ପ୍ରତୀକ୍ଷା ପରେ ମାଲକାନଗିରି ବିମାନ ବନ୍ଦରରୁ ଶୀଘ୍ର ଆରମ୍ଭ ହେବ ଯାତ୍ରୀ ବିମାନ ସେବା । ମାର୍ଚ୍ଚ ଶେଷ ସୁଦ୍ଧା ଏଠାରୁ ନିୟମିତ ଭାବେ ବିମାନ ଚଳାଚଳ ଆରମ୍ଭ କରିବାକୁ ଜୋରଦାର ପ୍ରସ୍ତୁତି ଚାଲିଛି ।

ଏନେଇ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଦଳ ସହ ଇଣ୍ଡିଆ ୱାନ ଏୟାରର ବୈଷୟିକ ଟିମ ଏୟାରପୋର୍ଟର ସମ୍ପୂର୍ଣ୍ଣ ବ୍ୟବସ୍ଥା ଯାଞ୍ଚ କରିଛନ୍ତି । ବିମାନ ଚଳାଚଳ ଆଡଭାଇଜର ସୁରେଶ ଚନ୍ଦ୍ର ହୋତା ଓ ସୁରକ୍ଷା ପରାମର୍ଶଦାତା ମନୋଜ କୁମାର ଦାଶଙ୍କ ନେତୃତ୍ୱରେ ଟିମ ରନୱେ, ସୁରକ୍ଷା ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ଉପରେ ସୂକ୍ଷ୍ମ ତଦନ୍ତ କରିଛନ୍ତି ।

ବିଶେଷକରି ରନୱେର ସୁରକ୍ଷାକୁ ଆହୁରି ମଜବୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା କୌଣସି ପଶୁ ଭିତରକୁ ପ୍ରବେଶ କରିପାରିବ ନାହିଁ । ଏହାସହ ଶୀଘ୍ର ଯାତ୍ରୀ ବିମାନର ଟ୍ରାଏଲ ରନ କରାଯିବାକୁ ଥିବା ସୂଚନା ମିଳିଛି ।

ଗତ ୨୦୨୪ ଜାନୁଆରୀ ୯ ତାରିଖରେ ମାଲକାନଗିରି ବିମାନ ବନ୍ଦରର ଉଦଘାଟନ ହୋଇଥିଲା । ପ୍ରଥମେ ଏଠାରୁ ପଣ୍ୟବାହୀ ବିମାନ ସେବା ଆରମ୍ଭ ହୋଇଥିଲେ ମଧ୍ୟ, ବର୍ତ୍ତମାନ ଯାତ୍ରୀ ସେବା ଆରମ୍ଭ ପାଇଁ ପଥ ପ୍ରସ୍ତୁତ ହେଉଛି ।

ପ୍ରାୟ ୨୩୩ ଏକର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧୬୨୦ ମିଟର ଦୈର୍ଘ୍ୟ ଓ ୩୦ ମିଟର ପ୍ରସ୍ଥ ବିଶିଷ୍ଟ ରନୱେ ରହିଛି । ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ ଏହାର ଉନ୍ନତିକରଣ କାମ ସମ୍ପନ୍ନ ହୋଇଛି । ଏଠାରେ ମଧ୍ୟମ ଧରଣର ବିମାନ ଅବତରଣ କରିପାରିବ ବୋଲି କୁହାଯାଇଛି ।

ଭୁବନେଶ୍ୱର, ଝାରସୁଗୁଡ଼ା, ଜୟପୁର, ଉତକେଲା ଓ ରାଉରକେଲା ପରେ ଏବେ ମାଲକାନଗିରି ମଧ୍ୟ ଆକାଶ ମାର୍ଗରେ ଯୋଡ଼ିବାକୁ ଯାଉଛି । ଆଗାମୀ ଦିନରେ ରନୱେକୁ ୩୦୦୦ ମିଟର ପର୍ଯ୍ୟନ୍ତ ବିସ୍ତାର କରିବା ଯୋଜନା ରହିଥିବାରୁ ଏଠାରେ ବଡ଼ ବିମାନ ଚଳାଚଳର ସମ୍ଭାବନା ମଧ୍ୟ ଦୃଢ଼ ହେଉଛି।

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟର ଅନୁମତି ପାଇଲେ ସହଜରେ ମାଲକାନଗିରିରୁ ଯାତ୍ରୀ ସେବା ଆରମ୍ଭ ହେବ, ଯାହା ଏହି ଅଞ୍ଚଳର ଯାତାୟାତ ଓ ଆର୍ଥିକ ଉନ୍ନତିକୁ ନୂଆ ଦିଗ ଦେବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score