ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସଶକ୍ତ କରିବା ପାଇଁ ଶୀଘ୍ର ‘ସମ୍ପୂର୍ଣ୍ଣଶ୍ରୀ’ ପ୍ରକଳ୍ପ ଆରମ୍ଭ କରାଯିବ। ଏହି ପ୍ରକଳ୍ପ ମାଧ୍ୟମରେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ସହ ଗ୍ରାମୀଣ ଅର୍ଥନୀତିକୁ ମଜବୁତ କରିବାରେ ଗୁରୁତ୍ୱ ଦିଆଯିବ।
ସ୍ଥାନୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକରେ ଏହି ଘୋଷଣା କରାଯାଇଛି। ଏହି ବୈଠକ ରିଲାଏନ୍ସ ଫାଉଣ୍ଡେସନ, ଗେଟସ ଫାଉଣ୍ଡେସନ, ମିଶନ ଶକ୍ତି ଓ ଓଡ଼ିଶା ଜୀବିକା ମିଶନଙ୍କ ସହଯୋଗରେ ଆୟୋଜିତ ହୋଇଥିଲା। ଏଥିରେ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରକଳ୍ପର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ।
ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନ କହିଥିଲେ, ଗ୍ରାମର ଉନ୍ନତି ହେଲେ ଦେଶର ସମଗ୍ର ଉନ୍ନତି ସମ୍ଭବ। ଘରୋଇ ପରିବେଶରେ ନାରୀମାନେ ଯେପରି ମୂଳ ଭୂମିକା ନିଭାନ୍ତି, ସେହିପରି ସେମାନଙ୍କୁ ଆର୍ଥିକ ଭାବେ ଶକ୍ତିଶାଳୀ କରିବା ଆବଶ୍ୟକ । ‘ସମ୍ପୂର୍ଣ୍ଣଶ୍ରୀ’ ପ୍ରକଳ୍ପ ଏହି ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ସେ ମତ ପ୍ରକାଶ କରିଥିଲେ।
ଏହାସହିତ, ଘରେ ଘରେ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାକୁ ଲକ୍ଷ୍ୟ ଧରାଯାଇଛି। ମହିଳା ସ୍ୱୟଂସାହାୟ୍ୟ ଗୋଷ୍ଠୀମାନଙ୍କୁ ଆଧାର କରି ଉଦ୍ୟମୀତା ବିକାଶ, କୌଶଳ ଶିକ୍ଷା ଓ ବିଭିନ୍ନ ଜୀବିକାମୂଳକ କାର୍ଯ୍ୟକଳାପକୁ ଆଗେଇ ନିଆଯିବ।
ବୈଠକରେ ଗ୍ରାମ ବିକାଶ ସଂଗଠନର ପ୍ରତିନିଧିମାନେ ମହିଳା ଉଦ୍ୟୋଗୀମାନଙ୍କ ସଫଳତା କାହାଣୀ ଓ ସମ୍ଭାବନା ବିଷୟରେ ଆଲୋକପାତ କରିଥିଲେ। ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ପ୍ରକଳ୍ପର କାର୍ଯ୍ୟନିଷ୍ପାଦନ ଓ ସମନ୍ୱୟ ନେଇ ଆଲୋଚନା କରିଥିଲେ।
ଏହି ପଦକ୍ଷେପ ଫଳରେ ଗଞ୍ଜାମ ଜିଲ୍ଲାରେ ମହିଳାମାନଙ୍କ ଆର୍ଥିକ ସ୍ଥିତି ସୁଧାରିବା ସହ ସ୍ୱାବଲମ୍ବନତା ଓ ସମାଜିକ ସମ୍ମାନ ବଢ଼ିବାର ଆଶା କରାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
