Explore

Search

February 11, 2026 4:19 pm

ମହିଳା ଚଲାଇବେ ‘ଆମ ବସ’ : ତାଲିମ ପାଇଁ ଯିବେ ପୁନେ

ଭୁବନେଶ୍ୱର : ଏଣିକି ‘ଆମ ବସ’ ଚଲାଇବେ ମହିଳା ଡ୍ରାଇଭର । ଏଥିପାଇଁ ପୁନେରେ ସେମାନଙ୍କୁ ଦିଆଯିବ ତାଲିମ । ଜାନୁଆରୀ ୩୧ ତାରିଖରେ ମୋଟ ୨୦ ଜଣ ମହିଳାଙ୍କୁ ତାଲିମ ଦିଆଯିବ । ସୂଚନାନୁସାରେ ରାଜ୍ୟରେ ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବାସହ ଜନପରିବହନ ସେବାର ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ମହିଳା ଚାଳକଙ୍କୁ ଅଧିକ ସୁଯୋଗ ଦେବାକୁ ରାଜ୍ୟସରକାର ଗୁରୁତ୍ୱ ଦେଉଛନ୍ତି । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

କ୍ରୁଟ୍ ଓ ‘ଆମ ବସ’ ସେବା ସମ୍ପର୍କିତ କାର୍ଯ୍ୟପଦ୍ଧତି ଓ ଉନ୍ନୟନମୂଳକ ପଦକ୍ଷେପ ନେଇ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଯାତ୍ରୀ ସୁରକ୍ଷା, ସେବାର ଗୁଣାତ୍ମକ ବୃଦ୍ଧି ଓ ଆଗାମୀ ଦିନର ଯୋଜନା ଉପରେ ଗଭୀର ଆଲୋଚନା କରାଯାଇଥିଲା ।

ଦୁର୍ଘଟଣା ରୋକିବା ପାଇଁ ‘ଆମ ବସ’ ଚାଳକମାନଙ୍କ ଉପରେ ମଦ୍ୟପାନ ଯାଞ୍ଚକୁ କଡାକଡି କରାଯାଇଛି । ଗତ ଗୋଟିଏ ବର୍ଷ ମଧ୍ୟରେ ୧ ଲକ୍ଷ ୯୭ ହଜାରରୁ ଅଧିକଥର ମଦ୍ୟପାନ ଯାଞ୍ଚ ହୋଇଥିବା ବେଳେ ବସ ଯାତ୍ରା ଆରମ୍ଭ, ଶେଷ ଓ ଅତର୍କିତ ସମୟରେ ମଧ୍ୟ ଏହି ଯାଞ୍ଚ ଜାରି ରହିଛି ।

ଏହି ସମୟ ସୀମାରେ ୧୯ ଜଣ ଚାଳକ ମଦ୍ୟପାନ କରିଥିବା ଚିହ୍ନଟ ହୋଇଥିଲେ । ସେମାନଙ୍କୁ ପୋଲିସ ଗିରଫ କରିବାସହ ଆଇନ ଅନୁଯାୟୀ ତିନି ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ ସମ୍ପୃକ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ନିକଟକୁ ଲାଇସେନ୍ସ ପଠାଯାଇଛି ।

ସେହିପରି ଭାରତର ପ୍ରଥମ ସରକାରୀ ଜନପରିବହନ ସଂସ୍ଥା ଭାବେ କ୍ରୁଟ୍ ଦୁର୍ଘଟଣାରେ ପ୍ରଭାବିତ ପରିବାରମାନଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରୁଛି । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାର ପାଇଁ ୪ କୋଟି ଟଙ୍କାରୁ ଅଧିକ ବୀମା ରାଶି ଦିଆଯାଇଥିବା ସୂଚନା ମନ୍ତ୍ରୀ ଦେଇଛନ୍ତି।

ଖୁବଶୀଘ୍ର କ୍ରୁଟ୍ ଡିପୋ ପରିସରରେ ଏକ ନିଜସ୍ୱ ତାଲିମ କେନ୍ଦ୍ର ସ୍ଥାପନ କରାଯିବ । ଏଠାରେ ବ୍ୟବହାରିକ, ଆଚରଣଗତ ପ୍ରଶିକ୍ଷଣ ସହ ଟ୍ରାଫିକ ନିୟମ, ଲେନ ଡ୍ରାଇଭିଂ ଓ ଯାତ୍ରୀ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏଥିସହ ବାରିପଦା, କେନ୍ଦୁଝର ଓ ଅନୁଗୁଳରେ ‘ଆମ ବସ’ ସେବା ଶୁଭାରମ୍ଭ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score