ଏଣିକି ବାଥ ଟବ ନୁହେଁ ଦେହ ସଫା କରିବ ମେସିନ । ମାତ୍ର ୧୫ ମିନିଟରେ ଗାଧୋଇ ଦେବା ସହ ଆପଣଙ୍କ ଦେହକୁ ବି ପୁରା ଚକାଚକ କରିଦେବ । ବଦଳିଛି ଯୁଗ, ବଦଳୁଛି ସମୟ । ଆଉ ସେହି ତାଳରେ ମଣିଷ ନୂଆ ନୂଆ ଟେକ୍ନୋଲୋଜିର ଆବିଷ୍କାର ବି କରୁଛି । କେତେବେଳେ ଖାଦ୍ୟ ତିଆରି କରିବା ମେସିନ କରୁଛି ତ ପୁଣି କେତେବେଳେ ମଣିଷର ସେବା କରିବା ପାଇଁ ମେସିନ ତିଆରି କରୁଛନ୍ତି ବୈଜ୍ଞାନିକ ମାନେ । ତେବେ ଏହାରି ଭିତରେ ଆଉ ଏକ ନୂଆ ଟେକ୍ନୋଲୋଜିର ଆବିଷ୍କାର କରିଛନ୍ତି ବଡ ବଡ ବୈଜ୍ଞାନିକ । ଏଥର ଲୋକେ ଗାଧୋଇବା ପାଇଁ ଆଉ ବାଥ ଟବ ବ୍ୟବହାର କରିବେ ନାହିଁ । ସେମାନଙ୍କୁ ଗାଧୋଇବା ପାଇଁ ଆସିଛି ଏକ ନୂଆ ମେସିନ। ଏହି ମେସିନ ମଣିଷକୁ ଗାଧୋଇ ଦେବା ସହ ୧୫ ମିନିଟ ଭିତରେ ଦେହକୁ ସଫା କରିଦେବ ।
ଯୁଗ ବଦଳିବା ସହ ଆଜିକାଲି ସବୁ କିଛି କାମ ମେସିନ କରୁଛି । ମେସିନ ଦ୍ୱାରା ଘର ସଫା ହେଉଛି, ମେସିନ ଲୁଗା ସଫା କରୁଛି, ମେସିନ ହାତ ଗୋଡ ବିନ୍ଧା ହେଲେ ମୋଡି ଦେଉଛି ଏମିତି ଅନେକ କିଛି କାମ କରୁଛି । ଆଉ ଏବେ ଏହି ମେସିନ ମଣିଷଙ୍କୁ ଗାଧୋଇ ବି ଦେଉଛି । ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏହା ସତ । ଏଭଳି ଏକ ମେସିନ ବଜାରକୁ ଆସିଛି, ଯିଏ ଆପଣଙ୍କୁ ଗାଧୋଇଦବ। ଆଉ ଏହି ମେସିନର ନାଁ ‘ମିରାଇ ହୁମ୍ୟାନ ୱାସିଂ ମେସିନ’ । ଜାପାନୀ କମ୍ପାନୀ ସାଇନ୍ସ ଇଙ୍କ ଡଟ ଏପରି ମେସିନ ଲଞ୍ଚ କରିଛି, ଯାହା ସବୁଠି ଏବେ ଚର୍ଚ୍ଚା ହେଉଛି ।
‘ମିରାଇ ହୁମ୍ୟାନ ୱାସିଂ ମେସିନ’ର କେମିତି ହୁଏ ବ୍ୟବହାର :
ମେସିନକୁ ପ୍ରଥମ ଥର ଓସାକାରେ ଅନୁଷ୍ଠିତ ହୋଇଥିବା ୱାର୍ଲଡ ଏକ୍ସପୋରେ ଦେଖିବାକୁ ମିଳିଥିଲା। ଏବେ ଏହା ଜାପାନ ବଜାରରେ ବିକ୍ରି ହେଉଛି । ଏହି ବଡି ୱାସିଂମେସିନ ହାଇ-ଟେକ ସ୍ପା ପଡ ପରି କାମ କରୁଛି । ଯେଉଁଥିରେ ମଣିଷ ମାତ୍ର କିଛି ମିନିଟରେ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଧୋଇ ହୋଇଯିବ। ଏହି ପଡ ଟି ପାଖାପାଖି ୮.୨ ଫୁଟ ଲମ୍ବା ଓ ୮.୫ ଫୁଟ ଉଚ୍ଚାର । ଏଥିରେ ଜଣେ ଆରାମରେ ଶୋଇ ପାରିବ। ମେସିନରେ ଏତେ ଛୋଟଛୋଟ ମାଇକ୍ରୋ ବବଲସ ରହିଛି ଯାହା ରୋମ ଛିଦ୍ରରେ ପଶି ତୈଳ, ମଇଳା ଓ ମୃତ କୋଷିକାକୁ କାଢି ଦେବ। ଏହି ଟେକ୍ନୋଲଜି ପୂର୍ବରୁ ଜାପାନର ସ୍ପା ଓ ବ୍ୟୁଟି ସେଲୁନରେ ଉପଯୋଗ ହୋଇ ଆସୁଛି।
ଏହି ମେସିନରେ ବ୍ୟକ୍ତିକୁ ପ୍ରଥମେ ଏକ ପଡ ଭିତରକୁ ଯିବାକୁ ପଡିବ। ଏହାପରେ ତାହା ଭିତରେ ଆଉଜି କି ବସିବା ପରେ ଅଟୋମେଟିକ ମେସିନର କଭର ବନ୍ଦ ହୋଇଯିବ। ଆଉ ଏହାପରେ ଅଟୋମେଟିକ ପାଣି ସ୍ପ୍ରେୟ ହେବ ଦେହ ଉପରେ । ପରେ ମାଇକ୍ରୋ ବବଲକୁ ଉପଯୋଗ କରି ଧିରେ ଧିରେ ଶରୀରକୁ ସଫା କରିଥାଏ ଏହି ମେସିନ । ଖାଲି ସେତିକି ନୁହେଁ ଏହି ମେସିନ ପୁଣି ବବଲକୁ ଧୋଇ ଦେଉଛି ଓ ଏଥିରେ ଥିବା ବ୍ୟବସ୍ଥା ତୁରନ୍ତ ଶରୀରକୁ ସୁଖେଇ ଦେଉଛି । ଗାଧୋଇବା ବେଳେ ମେସିନରେ ହାଲୁକା ହାଲୁକା ସଙ୍ଗୀତ ମଧ୍ୟ ଆସିଥାଏ । ଏହାକୁ ନେଇ କମ୍ପାନୀ ମୁଖପାତ୍ର କହନ୍ତି ଯେ, ଏହି ମେସିନ ଉପଯୋଗ କରୁଥିବା ବ୍ୟକ୍ତିର ହାର୍ଟବିଟ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଉପରେ ନଜର ରଖେ । ଏହି ମେସିନରେ ଗାଧେଇବା ଓ ପରେ ଶୁଖିବାକୁ ପାଖାପାଖି ୧୫ ମିନିଟ ଲାଗିଥାଏ।
ତେବେ ଖାସ କଥା ହେଉଛି ମେସିନରେ ଗାଧେଇବା ବେଳେ ମଣିଷକୁ କିଛି କରିବାକୁ ପଡି ନଥାଏ । ଏହି ମେସିନର ମୂଲ୍ୟ ପାଖାପାଖି ୬୦ ମିଲିୟନ ଅର୍ଥାତ ୩ ଲକ୍ଷ ୮୫ ହଜାର ଡଲାର । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ଘରୋଇ ଉପଯୋଗ ପାଇଁ ନୁହେଁ । ବରଂ ଲଗଜରୀ ସ୍ପା, ଥିମ ପାର୍କ, ହୋଟେଲ ଓ ହେଲଥ ରିସର୍ଟ ପାଇଁ ନିର୍ମିତ ହୋଇଛି । ମଣିଷ ଯେତେ ଆଧୁନିକ ଆଡକୁ ଗତି କରୁଛି ସେତେ ନୂଆ ନୂଆ ଜିନିଷ ଶିଖୁଛି ସତ କିନ୍ତୁ ଅଳସୁଆ ହେଇଯାଉଛି ବୋଲି କିଛି ବିଶେଷଜ୍ଞ ମତ ବି ଦେଇଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
