ଭୁବନେଶ୍ୱର : ଲୋକପ୍ରିୟ ଯାତ୍ରା ଅଭିନେତା ଓ ଚର୍ଚ୍ଚିତ ଖଳନାୟକ ପୀୟୁଷ ତ୍ରିପାଠୀଙ୍କୁ ମଞ୍ଚ ଚଢ଼ିବା ଉପରେ ଅଦାଲତ ରୋକ ଲଗାଇଛନ୍ତି । ଭୁବନେଶ୍ୱର କୋର୍ଟର ଏହି କଡା ନିର୍ଦ୍ଦେଶ ପରେ ପୀୟୁଷଙ୍କ କଳା ଜୀବନରେ ବଡ଼ ଝଟକା ଲାଗିଛି ।
ଯାତ୍ରା ପାର୍ଟି ସହ ହୋଇଥିବା ଚୁକ୍ତି ଉଲ୍ଲଂଘନ ମାମଲାରେ କୋର୍ଟ ପକ୍ଷରୁ ପୀୟୁଷଙ୍କୁ ମଞ୍ଚ ଅଭିନୟରୁ ବାରଣ କରାଯାଇଛି। ପ୍ରାୟ ୬ ମାସର ବିରତି ପରେ ପୁଣି ମଞ୍ଚକୁ ଫେରିଥିବା ପୀୟୁଷଙ୍କୁ ଦେଖି ଯାତ୍ରା ପ୍ରେମୀମାନେ ଖୁସି ହୋଇଥିଲେ। ହେଲେ ହଠାତ କୋର୍ଟ ଆଦେଶ ତାଙ୍କ ସମସ୍ତ ଆଶାକୁ ଧ୍ବଂସ କରିଦେଇଛି ।
କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ପୀୟୁଷଙ୍କୁ ଯାତ୍ରା ମଞ୍ଚରେ ଅଭିନୟ କରିବାକୁ ମନା କରାଯାଇଛି । ଏହି ଆଦେଶ ପରେ ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ଖବର ମିଳିଛି । ଅଦାଲତ ନୋଟିସର ଉତ୍ତର ରଖି ପୀୟୁଷ କହିଛନ୍ତି ଯେ, ଏହି ଘଟଣାରେ ତାଙ୍କର କୌଣସି ଭୁଲ ନାହିଁ । ଯାତ୍ରା ଜଗତରେ ଏଭଳି ଘଟଣା ପୂର୍ବରୁ କେବେ ହୋଇନଥିଲା । ଯାତ୍ରା ମାଲିକଙ୍କ ସ୍ୱାର୍ଥ ପାଇଁ ଜଣେ କଳାକାରଙ୍କୁ ବଳି ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।
ସୂଚନାଅନୁସାରେ, ପୀୟୁଷ ‘ସିଂହବାହିନୀ’ ଯାତ୍ରା ପାର୍ଟିର ‘ତୁ ମୋ ବଜରଙ୍ଗୀ’ ନାଟକରେ ଅଭିନୟ କରିଥିଲେ। ଏହାକୁ ନେଇ ‘ଅପେରା ସୂର୍ଯ୍ୟମନ୍ଦିର’ କର୍ତ୍ତୃପକ୍ଷ କୋର୍ଟରେ ଆପତ୍ତି ଉଠାଇଥିଲେ। କାରଣ ପୀୟୁଷଙ୍କ ଚୁକ୍ତି ସୂର୍ଯ୍ୟମନ୍ଦିର ସହ ୨୦୨୬ ଜୁନ ପର୍ଯ୍ୟନ୍ତ ବଳବତ୍ତ ଥିଲା । ଚୁକ୍ତି ଅବଧି ସମାପ୍ତ ହୋଇନଥିବା ସତ୍ୱେ ସେ ଅନ୍ୟ ଯାତ୍ରା ଦଳରେ ଯୋଗ ଦେବାକୁ ଚେଷ୍ଟା କରିଥିଲେ।
ଏହି ବିବାଦ ପରେ ଯାତ୍ରା ମାଲିକ ସଂଘ ପୀୟୁଷଙ୍କୁ ଏକ ବର୍ଷର ବିଶ୍ରାମ ନେବାକୁ କହିଥିଲା । କିନ୍ତୁ ବିଶ୍ରାମ ନ ନେଇ ପୁଣି ମଞ୍ଚ ଚଢ଼ିବାରୁ ସୂର୍ଯ୍ୟମନ୍ଦିର ମାଲିକ କୋର୍ଟର ଆଶ୍ରୟ ନେଇଥିଲେ ।
କୋର୍ଟଙ୍କ ଆଦେଶ ନେଇ ପୀୟୁଷ ପ୍ରତିକ୍ରିୟାରେ କହିଛନ୍ତି ଯେ, ନୋଟିସ ମିଳିଲେ ଓକିଲଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବେ। ଏପର୍ଯ୍ୟନ୍ତ ତାଙ୍କ ପାଖକୁ କୌଣସି କୋର୍ଟ ନୋଟିସ ଆସିନଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି ।
ଲୋକପ୍ରିୟ ଯାତ୍ରା କଳାକାର ପୀୟୁଷ ଯାହାଙ୍କ ଅଭିନୟରେ ଥାଏ ଜୀବନ୍ତ ଅଭିନୟ । ଯିଏ ମଞ୍ଚକୁ ଚଢିଲେ ଯାତ୍ରା ପ୍ରେମୀ ଖୁସି ହୁଅନ୍ତି । ଆଜି ତାଙ୍କୁ ମଞ୍ଚ ଚଢିବାକୁ ବାରଣ କରାଯାଇଥିବାରୁ ଯାତ୍ରା ପ୍ରେମୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
