Explore

Search

February 11, 2026 11:53 am

ଭୁବନେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ଉନ୍ନତିର ନୂଆ ରୂପରେଖ : ଆରମ୍ଭ ହେଲା ଅର୍ଥନୈତିକ ଯୋଜନା

ଭୁବନେଶ୍ୱର : ଭୁବନେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ଆରମ୍ଭ ହେଲା ଉନ୍ନତିର ନୂଆ ରୂପରେଖ । ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିସିପିପିଇଆର ଅଧୀନରେ ପ୍ରସ୍ତାବିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ । ଏହି ପ୍ରକଳ୍ପ ଗୁଡ଼ିକ ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳ ଗୁଡ଼ିକରେ ପର୍ଯ୍ୟଟନ ଭିତ୍ତିକ ସାଂସ୍କୃତିକ ଓ ଐତିହ୍ୟ ଅର୍ଥନୀତିକୁ ପ୍ରୋତ୍ସାହନ ମିଳିବ। ଏହାସହିତ ଏହି ଅର୍ଥନୈତିକ କରିଡର ଓଡ଼ିଶାକୁ ପୂର୍ବ ଭାରତର ଏକ ପ୍ରମୁଖ ବନ୍ଦର ଭିତ୍ତିକ ଶିଳ୍ପ ଓ ଲଜିଷ୍ଟିକ ହବ ଭାବେ ଗଢ଼ି ତୋଳିବାରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି ।

ଏହାସହ ଭୁବନେଶ୍ୱର–କଟକ–ପୁରୀ–ପାରାଦୀପକୁ ସଂଯୋଗ କରିବା ଲକ୍ଷ୍ୟରେ ଅର୍ଥନୈତିକ କରିଡରର ଶୁଭାରମ୍ଭ ହୋଇଛି । ଓଡ଼ିଶା ଭିଜନ–୨୦୪୭ ଅନୁଯାୟୀ ରାଜ୍ୟର ଆର୍ଥିକ ବିକାଶର ମୁଖ୍ୟ ଗ୍ରୋଥ ଇଞ୍ଜିନ ଭାବେ ବିସିପିପିଇଆର (BCPPIER) ଗଢ଼ି ଉଠିବ ବୋଲି ଆଶା କରାଯାଉଛି ।

ଏହି ଅର୍ଥନୈତିକ କରିଡରରେ ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁର ମୋଟ ୪ଟି ଜିଲ୍ଲାକୁ ସାମିଲ କରାଯାଇଛି। ପ୍ରାୟ ୧୧ ହଜାର ୮୯୨ ବର୍ଗ କିଲୋମିଟର ଅଞ୍ଚଳକୁ ଆବର୍ତ୍ତ କରୁଥିବା ଏହି କରିଡରକୁ ସମନ୍ୱିତ ଓ ସୁସ୍ଥାୟୀ ଉନ୍ନତିର ମଡେଲ୍ ଭାବେ ଗଢ଼ି ତୋଳାଯିବ।

ଏହି ଅଞ୍ଚଳର ଭିତ୍ତିଭୂମି ଉନ୍ନତିକୁ ପ୍ରକୃତି-ଅନୁକୂଳ ଆଧାରରେ ବିକଶିତ କରାଯିବ । ପୁରୀର ଧାର୍ମିକ ଓ ସାଂସ୍କୃତିକ ଗରିମା, ପାରାଦୀପର ବନ୍ଦର ଭିତ୍ତିକ ଉନ୍ନତି, ଆଇଟି ଓ ଶିକ୍ଷା ହବ ଭାବେ ଭୁବନେଶ୍ୱର ଏବଂ ଐତିହ୍ୟ ସମୃଦ୍ଧ କଟକ ସହର ଏହି ସମସ୍ତ ଅଞ୍ଚଳକୁ ଏକ ବିଶିଷ୍ଟ ପରିଚୟ ପ୍ରଦାନ କରିବ।

କରିଡର ଅନ୍ତର୍ଗତ ମୋଟ ୮୦ଟି ପ୍ରକଳ୍ପ ଓ ୩୦ଟି ଢାଞ୍ଚାଗତ ନୀତିକୁ ନେଇ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି । ୨୦୨୫ ସୁଦ୍ଧା ଏହି ୪ଟି ଜିଲ୍ଲାର ରାଜ୍ୟ ଜିଡିପିରେ ଅବଦାନ ୧୯ ପ୍ରତିଶତ, ଅର୍ଥାତ ପ୍ରାୟ ୨୨.୩୮ ବିଲିଅନ ଡଲାର ରହିଥିବା ବେଳେ, ୨୦୪୭ ସୁଦ୍ଧା ଏହି ଅବଦାନକୁ ୧୫ ଗୁଣା ବୃଦ୍ଧି କରି ୫୦୦ ବିଲିଅନ ଡଲାରକୁ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ।

ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ବଡ଼ ବଡ଼ ସହର ଗୁଡ଼ିକ ପାଇଁ ଏହି ପ୍ରକାର ଉନ୍ନୟନ ଯୋଜନା ପ୍ରସ୍ତୁତ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟର ସହରୀକରଣ ପ୍ରକ୍ରିୟାକୁ ଦ୍ରୁତ କରିବା ଉପରେ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି ।

ସହରୀକରଣର ଅଭିବୃଦ୍ଧିକୁ ନଜରରେ ରଖି ରାଜ୍ୟରେ ୨୮ଟି ନୂଆ ନୋଟିଫାଏଡ ଏରିଆ କାଉନ୍ସିଲ (ଏନ୍‌ଏସି), ୭ଟି ମୁନିସିପାଲିଟି ଏବଂ ଗୋଟିଏ ମହାନଗର ନିଗମ ସୃଷ୍ଟି କରାଯାଇଛି । ଏହା ମାଧ୍ୟମରେ ସହରୀକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଅର୍ଥନୈତିକ ଦୃଷ୍ଟିକୋଣରୁ ଓଡ଼ିଶା ଶୀଘ୍ର ଦେଶର ଶୀର୍ଷ ୫ଟି ରାଜ୍ୟ ମଧ୍ୟରେ ସ୍ଥାନ ଅଧିକାର କରିବ। ତେଣୁ ଉନ୍ନତି ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରିବା ଆବଶ୍ୟକ। ପ୍ରତ୍ୟେକ ଯୋଜନାକୁ ସହର ଓ ସାର୍ବିକ ବିକାଶ ସହିତ ଯୋଡ଼ିବା ଦରକାର, ନହେଲେ ସେଗୁଡ଼ିକର କୌଣସି ମୂଲ୍ୟ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଥିଲେ।

ପାରାଦୀପ ଆଗାମୀ ଦିନରେ ଏମିତି ଉନ୍ନତିର ଶିଖରରେ ପହଞ୍ଚିବ, ଯାହାକୁ ଅନ୍ୟ କୌଣସି ବନ୍ଦର ସ୍ପର୍ଦ୍ଧା କରିପାରିବେ ନାହିଁ। ସମସ୍ତଙ୍କୁ ପଛରେ ପକାଇ ଓଡ଼ିଶା ଦ୍ରୁତ ଗତିରେ ଆଗକୁ ବଢ଼ୁଛି ବୋଲି ସେ କହିଥିଲେ। ହାଇଦ୍ରାବାଦ ପରି ଭୁବନେଶ୍ୱର ମଧ୍ୟ ଉନ୍ନତିର ଦୌଡ଼ରେ ସାମିଲ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score