Explore

Search

January 14, 2026 3:58 am

ଭିବି-ଜି ରାମ ଜି ଯୋଜନାରେ ଓଡିଶାକୁ ୫୮୩ କୋଟି ଫାଇଦା

ଭୁବନେଶ୍ୱର : ଭିବି-ଜି ରାମ ଜି ଯୋଜନାରେ ଓଡିଶାକୁ ମିଳିବ ୫୮୩ କୋଟି ଟଙ୍କାର ଫାଇଦା । ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିନ୍ତ କର୍ମ ନିଯୁକ୍ତି ଯୋଜନା (ମନରେଗା) ସ୍ଥାନରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ନୂଆ ଭିବି-ଜି ରାମ ଜି ଯୋଜନା ଆଣିଛନ୍ତି । ଏହି ଭିବି-ଜି ରାମ ଜି ଯୋଜନାରେ ରାଜ୍ୟକୁ ୧୭ ହଜାର କୋଟି ଟଙ୍କାର ଲାଭ ମିଳିବ ବୋଲି ଜଣାପଡିଛି । ରାଜ୍ୟ ଗୁଡ଼ିକର ଗତ ୭ ବର୍ଷର ହାରାହାରି ଆବଣ୍ଟନ ବିଚାରକୁ ନେଇ ଏହି ହିସାବ କରାଯାଇଛି ।

ସେହି ଅନୁସାରେ ଓଡ଼ିଶାକୁ ୫୮୩ କୋଟି ଟଙ୍କାର ଫାଇଦା ମିଳିବ ବୋଲି ସୂଚନାରୁ ପ୍ରକାଶ । ଏଥିରେ ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁ ପ୍ରଭାବିତ ହୋଇପାରନ୍ତି । ସର୍ବାଧିକ ୫୫୬୮ କୋଟି ଟଙ୍କାର ଲାଭ ଉତ୍ତରପ୍ରଦେଶକୁ ମିଳିବ । ସେହିପରି ମହାରାଷ୍ଟ୍ରକୁ ୪୨୮୨ କୋଟି, ଛତିଶଗଡ଼କୁ ୧୬୦୯ କୋଟି, ଗୁଜରାଟକୁ ୧୩୩୬ କୋଟି ଓ ବିହାରକୁ ୧୧୫୨ କୋଟି ଟଙ୍କାର ଲାଭ ମିଳିପାରେ । କେରଳକୁ ସର୍ବନିମ୍ନ ୧୫ କୋଟିର ଫାଇଦା ମିଳିବ ବୋଲି କୁହାଯାଇଛି ।

୨୦୨୫-୨୬ ପର୍ଯ୍ୟନ୍ତ ‘ମନରେଗା’ର ପ୍ରଦର୍ଶନ ଉପରେ ଆଲୋକପାତ କରି ରିପୋର୍ଟରେ କୁହାଯାଇଛି ଯେ ଏହି ଯୋଜନା ଅଧୀନରେ ଓଡ଼ିଶାରେ ୨୧ ଲକ୍ଷ ପରିବାରକୁ କାମ ମିଳିଥିଲା। କାମ କରିଥିବା ଶ୍ରମିକଙ୍କ ମଧ୍ୟରୁ ୧୫ ଲକ୍ଷ ହେଉଛନ୍ତି ମହିଳା। ପରିବାର ପିଛା ବର୍ଷକୁ ୧୦୦ ଦିନର କାମ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ହାରାହାରି ଭା‌ବେ ୪୨ ଦିନର କାମ ମିଳୁଥିଲା। ପ୍ରତି ବ୍ୟକ୍ତି ପିଛା ହାରାହାରି ଦୈନିକ ପାଉଣା ୨୬୬ ଟଙ୍କା ରହିଥିଲା। ମନରେଗା ଜରିଆରେ ରାଜ୍ୟରେ ୨.୭ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସୃଷ୍ଟି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

ସୂଚନା ଅନୁସାରେ ଚଳିତ ମାସ ୧୮ ତାରିଖରେ ବିରୋଧୀଙ୍କ ତୀବ୍ର ବିରୋଧ ପରେ ଲୋକସଭାରେ ପାସ ହୋଇଥିଲା ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜିବୀକା ମିଶନ (ଗ୍ରାମୀଣ)(ଭିବି-ଜି ରାମ ଜି) ବିଲ ୨୦୨୫ । ଏହି ବିଲକୁ ନେଇ ଆଲୋଚନା ବେଳେ ବିରୋଧୀ ଦଳର ନେତାମାନେ ଏହାକୁ ତୀବ୍ର ବିରୋଧ କରିଥିଲେ। ବିଲ ପେପେରକୁ ଚିରି ଦେବା ସହିତ ସଂସଦରେ ହୋହଲ୍ଲା କରିଥିଲେ ।

ଏହି ବିଲ ମାଧ୍ୟମରେ ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅପମାନିତ କରୁଛନ୍ତି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ମନରେଗା)ର ବ୍ୟବସ୍ଥାକୁ ଦୁର୍ବଳ କରୁଛନ୍ତି ବୋଲି ବିରୋଧୀ ସାଂସଦମାନେ ଅଭିଯୋଗ କରିଥିଲେ । ସେମାନଙ୍କ ସନ୍ଦେହ ଯେ, ସରକାର ମହାତ୍ମା ଗାନ୍ଧୀଙ୍କ ନାଁ ହଟାଇ ଦେବାର ଉଦ୍ଦେଶ୍ୟ ମହତ ହୋଇ ନପାରେ। ପୂର୍ବରୁ ଜବାହର ଲାଲ ନେହରୁ ଓ ଇନ୍ଦିରା ଗାନ୍ଧୀଙ୍କ ନାମ ସହିତ ଭାଜପାର ଥିଲା ନାଗ-ନେଉଳ ସମ୍ପର୍କ। ଏବେ ସେମାନଙ୍କର ଗାନ୍ଧିଜୀଙ୍କ ସହ ମଧ୍ୟ ଅପଡ଼ ଦେଖିବାକୁ ମିଳୁଛି । ଦେଶର କିଛି ବାମପନ୍ଥୀ ବୁଦ୍ଧିଜୀବୀ, ନାଗରିକ ସଙ୍ଗଠନ ଓ ଶ୍ରମିକ ଅଧିକାର ଅନୁଷ୍ଠାନ ମଧ୍ୟ ମନରେଗା ସ୍ଥାନରେ ‘ଭିବି-ଜି ରାମ ଜି’ ଆଇନ ପରିବର୍ତ୍ତନକୁ ଅଭ୍ୟାସଗତ ଭାବେ ବିରୋଧ କରୁଛନ୍ତି । କେହି କେହି ବିରୋଧୀ ରାଜନୈତିକ ଦଳମାନଙ୍କ ବିରୋଧକୁ ରାଜନୀତି-ଗୋଟି ଚାଳନା କହିପାରନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score