ବ୍ରହ୍ମପୁର : ବ୍ରହ୍ମପୁରକୁ ମିଳିଲା ଜାତୀୟ ସ୍ତରର ସମ୍ମାନ । ‘ଇଟ ରାଇଟ ଚ୍ୟାଲେଞ୍ଜ’ରେ ଭାରତରେ ବ୍ରହ୍ମପୁର ଖାଦ୍ୟ ୧ ନମ୍ବର ସ୍ଥାନରେ ରହିଛି । ଖାଦ୍ୟ ସୁରକ୍ଷା ଓ ଗୁଣମାନ ରକ୍ଷାରେ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ଆଉ ଏକ ମାଇଲସ୍ତମ୍ଭ ସ୍ଥାପନ କରିଛି । ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନବ ପ୍ରାଧିକରଣ (ଏଫଏସଏସଏଆଇ) ଦ୍ୱାରା ଦେଶବ୍ୟାପୀ ଆୟୋଜିତ ‘ଇଟ ରାଇଟ ଚ୍ୟାଲେଞ୍ଜ’ ପ୍ରତିଯୋଗିତାରେ ବିଏମସି ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଯାହା ସମଗ୍ର ବ୍ରହ୍ମପୁର ବାସିନ୍ଦାଙ୍କ ପାଇଁ ଗର୍ବର ବିଷୟ ପାଲଟିଛି ।
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସର୍ବଭାରତୀୟ ମାନଙ୍କରେ ବିଏମସି ୨୭ତମ ସ୍ଥାନ ଅଧିକାର କରିଥିବା ବେଳେ, ୨୦୨୩-୨୪ ବର୍ଷରେ ୮୩ତମ ସ୍ଥାନ ଲାଭ କରିଥିଲା । ଯାହା ବିଏମସିର କାର୍ଯ୍ୟଦକ୍ଷତାର ଉନ୍ନତିକୁ ପ୍ରକାଶ କରୁଛି ।
ଏହାସହ ରାଜ୍ୟସ୍ତରରେ ବିଏମସି ପ୍ରଥମ ସ୍ଥାନ ଦଖଲ କରି ଓଡ଼ିଶାରେ ଶୀର୍ଷ ସ୍ଥାନୀୟ ନିଗମ ଭାବେ ପରିଚିତ ହୋଇଛି । ନୂତନ ଖାଦ୍ୟ ବ୍ୟବସାୟୀଙ୍କ ଲାଇସେନ୍ସ ଜାରି, ପଞ୍ଜୀକରଣ ଓ ନବୀକରଣ ପ୍ରକ୍ରିୟାର ସୁଧାର, କଡା ନିରୀକ୍ଷଣ, ଏନଫୋର୍ସମେଣ୍ଟ କାର୍ଯ୍ୟକଳାପ ଓ ଜନସଚେତନତା ଅଭିଯାନ ସହିତ ଏଫଏସଏସଏଆଇ ନିର୍ଦ୍ଧାରିତ ୧୬ଟି ମାନଦଣ୍ଡର ସଠିକ ପାଳନ କରିଛି ବିଏମସି । ଫଳରେ ଏହି ସଫଳତା ପାଇବାକୁ ବ୍ରହ୍ମପୁର ଯୋଗ୍ୟ ସାବ୍ୟସ୍ତ ହୋଇଥିଲା ।
ଏନେଇ ବିଏମସିର ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀମତୀ ସ୍ମିତା ଖାଡ଼ଙ୍ଗା କହିଛନ୍ତି ଯେ, ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ପ୍ରଦାନରେ ବ୍ରହ୍ମପୁର ନିଗମ ଶତପ୍ରୟାସ ଏହି ସମ୍ମାନକୁ ସମ୍ଭବ କରିଛି । ଆଗାମୀ ଦିନରେ ମଧ୍ୟ ଖାଦ୍ୟ ଗୁଣମାନ ଓ ନିରାପତ୍ତା ନେଇ ଅଧିକ ସଚେତନତା ସୃଷ୍ଟି କରାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି ।
ଏହି ସଫଳତାକୁ ନେଇ ସହରବାସୀ ଓ ଖାଦ୍ୟ ବ୍ୟବସାୟୀ ମହଲରେ ଆନନ୍ଦର ଲହରୀ ଦେଖାଦେଇଛି । ଅନ୍ୟପକ୍ଷରେ ବ୍ରହ୍ମପୁରକୁ ସୁରକ୍ଷିତ ଖାଦ୍ୟର ନମୁନା ସହର ଭାବେ ଗଢ଼ି ତୋଳିବାରେ ବିଏମସି ଆଗକୁ ଅଧିକ ପଦକ୍ଷେପ ନେବାକୁ ପ୍ରତିବଦ୍ଧ ବୋଲି ଜଣାପଡ଼ିଛି ।
‘ଇଟ୍ ରାଇଟ୍ ଚ୍ୟାଲେଞ୍ଜ୍’ ନାମକ ପ୍ରତିଯୋଗିତାର ମୋଟ ମାର୍କ ୨୦୦ ଥିଲା। ଏହି ପ୍ରତିଯୋଗିତାରେ ବ୍ରହ୍ମପୁର ମହାନଗର ନିଗମ (ବିଏମସି) ୧୭୪ ମାର୍କ ପାଇଛି । ଯାହା ମୋଟ ନମ୍ବରର ୮୭ ପ୍ରତିଶତ । ଏହି ଭଲ ଫଳାଫଳ ପାଇଁ ସହରର ଖାଦ୍ୟ ସୁରକ୍ଷା କାମକୁ ସମଗ୍ର ରାଜ୍ୟରେ ପ୍ରଶଂସା କରାଯାଇଛି ।
ଏହି ପ୍ରତିଯୋଗିତାରେ ୧୬ଟି ଭିନ୍ନ ଭିନ୍ନ ମାନଦଣ୍ଡ ରହିଥିଲା। ପ୍ରତ୍ୟେକ ମାନଦଣ୍ଡ ପାଇଁ ଏକ ନିର୍ଦ୍ଦିଷ୍ଟ ନମ୍ବର ରହିଥିଲା । ଯେପରିକି – ଖାଦ୍ୟ ବ୍ୟବସାୟୀଙ୍କୁ ଶିକ୍ଷା ଓ ତାଲିମ ଦେବା, ଦୋକାନମାନଙ୍କୁ ସ୍ୱଚ୍ଛତା ରେଟିଂ ଦେବା, ଷ୍ଟ୍ରିଟ ଫୁଡ ଓ ପରିବା ମାର୍କେଟକୁ ସଫା-ସୁତୁରା କରି ସାର୍ଟିଫିକେଟ ଦେବା, ‘ନୋ ଫୁଡ ୱେଷ୍ଟ’ ସାର୍ଟିଫିକେଟ ଦେବା ଇତ୍ୟାଦି । ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ମଧ୍ୟ ସୁସ୍ଥ ଖାଦ୍ୟ ବିଷୟରେ ଇଟ୍ ରାଇଟ ଟୁଲ କିଟ ବ୍ୟବହାର କରି ତାଲିମ ଦିଆଯାଇଥିଲା।
ସେହିପରି ‘ଇଟ ରାଇଟ କ୍ୟାମ୍ପସ’ ଅଭିଯାନ, ‘ଇଟ ରାଇଟ ମେଳା’ ଆୟୋଜନ କରି ଲୋକଙ୍କୁ ସୁସ୍ଥ ଖାଦ୍ୟ ଖାଇବାକୁ ପ୍ରେରଣା ଦେବା, ଖାଦ୍ୟ ଯାଞ୍ଚ ଓ ଚଢ଼ଉ କରିବା, ଗଣମାଧ୍ୟମର ସହଯୋଗ ନେବା ଭଳି କାମ ଗୁଡ଼ିକୁ ମଧ୍ୟ ମୂଲ୍ୟାଙ୍କନ କରାଯାଇଥିଲା ।
ଏଫଏସଏସଏଆଇର ଟିମ ସହରକୁ ଆସି ସମସ୍ତ କାମ ଦେଖିଥିଲେ ଏବଂ ପ୍ରମାଣ ସଂଗ୍ରହ କରିଥିଲେ । ସେମାନଙ୍କ ଦେଇଥିବା ମାର୍କ ଆଧାରରେ ସୋପାନ (Ryank) ତିଆରି ହୋଇଥିଲା ବୋଲି ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀମତୀ ସ୍ମିତା ଖାଡ଼ଙ୍ଗା କହିଛନ୍ତି ।
୨୦୨୩-୨୪ ଓ ୨୦୨୪-୨୫ ଦୁଇ ବର୍ଷ ପାଇଁ ଏହି ଫଳାଫଳ ଘୋଷଣା ହୋଇଛି । ଏଥିରେ ବିଏମସି ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
