Explore

Search

March 2, 2026 7:44 pm

ବିଶ୍ୱ ଅର୍ଥନୀତି ଉପରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ଭୟଙ୍କର ପ୍ରଭାବ : ବଢିବ ପେଟ୍ରୋଲ ଓ ଡିଜେଲ ଦର

ବିଶ୍ୱ ଅର୍ଥନୀତି ଉପରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ଭୟଙ୍କର ପ୍ରଭାବ । ଯୁଦ୍ଧ ପାଇଁ ଏଣିକି ବଢିଯିବ ପେଟ୍ରୋଲ ଓ ଡିଜେଲର ଦାମ। ଭାରତରେ ବି ତୈଳ ଆମଦାନିରେ ମଧ୍ୟ ପଡ଼ିବ ବଡ଼ ପ୍ରଭାବ। ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଆହୁରି ଗୁରୁତର ହେଲାଣି । ଇରାନ ପକ୍ଷରୁ ଷ୍ଟ୍ରେଟ ଅଫ ହର୍ମୁଜ ରାସ୍ତାକୁ ବନ୍ଦ କରାଯାଇଥିବା ଖବର ପରେ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ବଢ଼ିଛି । ଏହି ସମୁଦ୍ରପଥ ଦ୍ୱାରା ବିଶ୍ୱର ବହୁ ଦେଶ ଅଶୋଧିତ ତୈଳ ଆମଦାନୀ କରନ୍ତି । ବର୍ତ୍ତମାନ ଏହାବନ୍ଦ ହେବାରୁ ତୈଳ ଯୋଗାଣ ଉପରେ ବଡ଼ ପ୍ରଭାବ ପଡ଼ିଛି ।

ଇସ୍ରାଏଲ ସହିତ ଯୁଦ୍ଧ ଚାଲିଥିବା ସମୟରେ ଇରାନ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢ଼ିବା ଆଶଙ୍କା ବଢ଼ିଛି । ବିଶେଷଜ୍ଞମାନଙ୍କ ମତରେ, ବ୍ୟାରେଲ ପିଛା ତୈଳ ଦର ୧୧୦ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରେ । ଏହା ଘଟିଲେ ଭାରତ ସହିତ ଅନେକ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଉପରକୁ ଯିବା ସମ୍ଭାବନା ରହିଛି ।

ଭାରତ ନିଜ ଆବଶ୍ୟକତାର ୮୫ ପ୍ରତିଶତରୁ ଅଧିକ ଅଶୋଧିତ ତୈଳ ବିଦେଶରୁ ଆଣେ । ଏଥିରୁ ଏକ ବଡ଼ ଅଂଶ ହର୍ମୁଜ ମାର୍ଗ ଦ୍ୱାରା ଆସେ । ଏହି ପଥ ବନ୍ଦ ହେଲେ ଦେଶର ତୈଳ ଆମଦାନିର ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟନ୍ତ ପ୍ରଭାବିତ ହେବା ଆଶଙ୍କା କରାଯାଉଛି । ତେବେ ତୈଳ ଯୋଗାଣ କମିଲେ ଘରୋଇ ବଜାରରେ ମଧ୍ୟ ତୈଳ ଦର ବଢ଼ିପାରେ।

ପେଟ୍ରୋଲ ଓ ଡିଜେଲ ଦର ବଢ଼ିଲେ ପରିବହନ ଖର୍ଚ୍ଚ ବଢ଼ିବ । ତାହାର ପ୍ରଭାବ ଫଳ, ପନିପରିବା, ଏଫଏମସିଜି ସାମଗ୍ରୀ ଓ ଦୈନିକ ପ୍ରୟୋଜନୀୟ ଜିନିଷ ଉପରେ ପଡ଼ିବ । ସେପଟେ ଡଲାର ଚାହିଦା ବଢ଼ିବାରୁ ଭାରତୀୟ ଟଙ୍କା ଦୁର୍ବଳ ହୋଇପାରେ । ଟଙ୍କା ମୂଲ୍ୟ କମିଲେ ବିଦେଶରୁ ଆସୁଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଖାଦ୍ୟ ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ମହଙ୍ଗା ହେବା ସ୍ୱାଭାବିକ ।

ଯୁଦ୍ଧ ପରିସ୍ଥିତିର ପ୍ରଭାବ ବାଣିଜ୍ୟ ଉପରେ ମଧ୍ୟ ପଡ଼ିଛି । ଆଫଗାନିସ୍ତାନ ଓ ଇରାନକୁ ଭାରତରୁ ବାସୁମତୀ ଚାଉଳ ରପ୍ତାନୀରେ ବାଧା ଦେଖାଦେଇଛି । ପେମେଣ୍ଟ ସମସ୍ୟା ଓ ପରିବହନ ଅସୁବିଧା କାରଣରୁ ରପ୍ତାନୀ ପ୍ରକ୍ରିୟା ଧୀର ହୋଇପଡ଼ିଛି ।

ଏହି ସମୟରେ ନିବେଶକମାନେ ସେୟାର ବଜାର ଠାରୁ ଟଙ୍କା କାଢ଼ି ସୁନା ଓ ରୂପା ଭଳି ସୁରକ୍ଷିତ ନିବେଶ ମାଧ୍ୟମକୁ ବାଣ୍ଟୁଛନ୍ତି । ଯଦି ଯୁଦ୍ଧ ଲମ୍ବା ସମୟ ଚାଲେ, ତେବେ ଘରୋଇ ବଜାରରେ ସୁନା ଓ ରୂପା ଦରରେ ମଧ୍ୟ ତୀବ୍ର ବୃଦ୍ଧି ଦେଖାଯାଇପାରେ ।

ସମଗ୍ର ପରିସ୍ଥିତି ଦେଖି ବିଶେଷଜ୍ଞମାନେ ସତର୍କ କରୁଛନ୍ତି ଯେ, ପଶ୍ଚିମ ଏସିଆର ଏହି ଯୁଦ୍ଧ ଯଦି ଶୀଘ୍ର ଶେଷ ନ ହୁଏ, ତେବେ ବିଶ୍ୱ ଅର୍ଥନୀତି ଓ ଘରୋଇ ବଜାର ଉପରେ ଦୀର୍ଘକାଳୀନ ପ୍ରଭାବ ପଡ଼ିପାରେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score