Explore

Search

March 9, 2026 10:00 pm

ବିଶ୍ୱରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ନିଆଁ : ଖାଦ୍ୟ ତେଲ ଦରରେ ବୃଦ୍ଧି, ଚିନ୍ତାରେ ଖାଉଟି

ଭୁବନେଶ୍ୱର : ବିଶ୍ୱ ମଞ୍ଚରେ ମଧ୍ୟପ୍ରାଚ୍ୟ ଅଞ୍ଚଳରେ ବଢୁଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଦେଶୀୟ ବଜାରରେ ଦେଖାଯାଇଛି । ଏହାର ସିଧା ପ୍ରଭାବ ଖାଦ୍ୟ ତେଲ ଦର ଉପରେ ପଡ଼ିଥିବା ବେଳେ ରିଫାଇନ ଓ ପାମୋଲିନ ତେଲର ଦର ଧୀରେ ଧୀରେ ବଢ଼ୁଥିବା ଦେଖାଯାଉଛି। ବିଦେଶରୁ ଆମଦାନୀ ଉପରେ ନିର୍ଭର କରୁଥିବାରୁ ଏହି ପରିସ୍ଥିତି ନେଇ ବ୍ୟବସାୟୀ ମହlରେ ଏବେ ଚିନ୍ତା ବଢ଼ିଛି।

ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସଚିବ କହିଛନ୍ତି ଯେ, ରାଜ୍ୟର ବଜାରରେ ପ୍ରତିଦିନ ପ୍ରାୟ ୧୦୦୦ ରୁ ୧୨୦୦ ଟନ ପର୍ଯ୍ୟନ୍ତ ରିଫାଇନ ଓ ପାମୋଲିନ ତେଲର ଆବଶ୍ୟକତା ରହେ। ବର୍ତ୍ତମାନ ରାଜ୍ୟରେ ପ୍ରାୟ ୧୫ ରୁ ୨୦ ଦିନ ପର୍ଯ୍ୟନ୍ତ ତେଲ ମହଜୁଦ ଥିବା ସତ୍ତ୍ୱେ ଯଦି ଆନ୍ତର୍ଜାତୀୟ ପରିସ୍ଥିତି ଏଭଳି ରହିଲେ ଆଗାମୀ ଦିନରେ ଯୋଗାଣ ଉପରେ ପ୍ରଭାବ ପଡ଼ିପାରେ।

ଓଡ଼ିଶା ବ୍ୟବସାୟୀ ମହାସଂଘର ସାଧାରଣ ସଚିବଙ୍କ କଥାନୁସାରେ, ବିଦେଶରୁ ତେଲ ଆମଦାନୀ କରୁଥିବା ବ୍ୟବସାୟୀମାନେ ବର୍ତ୍ତମାନ ଅନେକ ପ୍ରକାର ସମସ୍ୟା ସମ୍ମୁଖୀନ ହେଉଛନ୍ତି। ବିଶ୍ୱର କିଛି ଦେଶ ମଧ୍ୟରେ ଚାଲୁଥିବା ସଂଘର୍ଷ ଯୋଗୁଁ ଅନ୍ତର୍ଜାତୀୟ ବାଣିଜ୍ୟ ଓ ଆମଦାନୀ ବ୍ୟବସ୍ଥା ପ୍ରଭାବିତ ହୋଇଛି।

ଏହାସହିତ ରିଫାଇନ ତେଲ, ବିଶେଷ କରି ସନଫ୍ଲାୱର ତେଲର ଦର ଲିଟର ପିଛା ପ୍ରାୟ ୫ ଟଙ୍କା ପର୍ଯ୍ୟନ୍ତ ବଢ଼ିଥିବା ସେ କହିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ଆମଦାନୀ କମ୍ପାନୀମାନଙ୍କ ଉପରେ ନଜର ରଖିବା ସହ କଳାବଜାରୀକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ ଆହ୍ୱାନ କରିଛନ୍ତି।

ତଥାପି ବର୍ତ୍ତମାନ ସ୍ଥିତିରେ ଲୋକମାନେ ଭୟଭୀତ ହେବାକୁ କୌଣସି କାରଣ ନାହିଁ ବୋଲି ସେ କହିଛନ୍ତି। ରିଫାଇନ ତେଲ ଛାଡ଼ି ଦେଲେ ସୋରିଷ ଓ ବାଦାମ ତେଲ ରାଜ୍ୟରେ ପ୍ରଚୁର ପରିମାଣରେ ମିଳୁଛି ଏବଂ ସେମାନଙ୍କର ଦର ମଧ୍ୟ ଏପର୍ଯ୍ୟନ୍ତ ସ୍ଥିର ରହିଛି। କିନ୍ତୁ ଯଦି ଆନ୍ତର୍ଜାତୀୟ ସଂଘର୍ଷ ଦୀର୍ଘ ସମୟ ଚାଲିଥାଏ, ତେବେ ଏହାର ପ୍ରଭାବ ଦେଶୀୟ ବଜାରରେ ଆହୁରି ସ୍ପଷ୍ଟ ହେବାର ସମ୍ଭାବନା ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score