ଆଉ ଦିନ କେଇଟା ପରେ ଆରମ୍ଭ ହେବ ଟି-ଟ୍ଵେଣ୍ଟି ବିଶ୍ଵକପ । ଏନେଇ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସହିତ ଉତ୍କଣ୍ଠା ମଧ୍ୟ ବଢ଼ିବାରେ ଲାଗିଛି । ଏହି ମହାକୁମ୍ଭକୁ ନେଇ ଏବେଠୁ ରୋମାଞ୍ଚ ଚାଲିଥିବା ବେଳେ, ପାକିସ୍ତାନ ଦ୍ୱାରା କିଛି ବିବାଦସ୍ପଦ ଯୋଜନା ରଚିତ ହେଉଥିବା ନେଇ ଆଲୋଚନା ଜୋର ଧରିଛି।
ଖବର ଅନୁସାରେ, ବିଶ୍ଵ କ୍ରିକେଟରେ ଆର୍ଥିକ ଚାପ ସୃଷ୍ଟି କରିବାକୁ ପାକିସ୍ତାନ କିଛି କୌଶଳ ଗଢ଼ୁଛି । ଏହି ଯୋଜନାକୁ ଆଗେଇ ନେବା ପାଇଁ ବାଂଲାଦେଶ ସହ ପାକିସ୍ତାନ ହାତ ମିଳାଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି ।
ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଟି-ଟ୍ଵେଣ୍ଟି ବିଶ୍ଵକପରୁ ପ୍ରତ୍ୟାହାର କରିବା ପାକିସ୍ତାନର ପ୍ରଧାନ ଲକ୍ଷ୍ୟ ନୁହେଁ । ବରଂ ବିଶ୍ଵକପରେ ଭାରତ ସହ ହେବାକୁ ଥିବା ହାଇ-ଭୋଲଟେଜ ମ୍ୟାଚକୁ ବୟକଟ କରିବା ନେଇ ଗୁରୁତ୍ୱପୂର୍ଣ୍ଣ ସ୍ତରରେ ବିଚାର ଚାଲିଥିବା କଥା କୁହାଯାଉଛି ।
ଭାରତ ବିପକ୍ଷ ମ୍ୟାଚକୁ ଯଦି ପାକିସ୍ତାନ ବୟକଟ କରେ ତେବେ ପାକିସ୍ତାନ ଉପରେ ବଡ ବିପଦ ପଡ଼ିପାରେ । ଏନେଇ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଛି । ଏପରିକି ଆର୍ଥିକ କ୍ଷତି ପାଇଁ ପିସିବିକୁ କୌଣସି ଭରଣା ଦାବି କରାଯିବ ନାହିଁ ବୋଲି ଯୋଜନାରେ ଉଲ୍ଲେଖ ରହିଛି।
ଏହାକୁ ନେଇ ପିସିବି ଏବଂ ପାକିସ୍ତାନ ସରକାର ମଧ୍ୟରେ ଆଲୋଚନା ଚାଲିଥିବା ସୂଚନା ମିଳିଛି । ସୂତ୍ର ଅନୁସାରେ, ପାକିସ୍ତାନ ସରକାର ଯେଉଁ ନିଷ୍ପତ୍ତି ନେବେ, ସେହି ଅନୁଯାୟୀ ପିସିବି ଆଗାମୀ ପଦକ୍ଷେପ ଗ୍ରହଣ କରିବ। ତେବେ ଆଇସିସିର ନିୟମାବଳୀ ଅନୁସାରେ, କ୍ରିକେଟରେ ରାଜନୈତିକ ହସ୍ତକ୍ଷେପ କିମ୍ବା ପ୍ରଭାବ ପକାଇ ମ୍ୟାଚ ଖେଳା ନହେଲେ, ସେହି ସମ୍ପୃକ୍ତ ବୋର୍ଡକୁ ଆର୍ଥିକ କ୍ଷତି ଭରଣା କରିବାକୁ ପଡ଼ିବ। ଏହି ନିୟମ ପାକିସ୍ତାନ କ୍ରିକେଟ ବୋର୍ଡ ପାଇଁ ଏକ ବଡ଼ ଆହ୍ୱାନ ହୋଇ ଉଠିଛି।
ତଥାପି, ପିସିବି ପକ୍ଷରୁ ଜାତୀୟ ସୁରକ୍ଷା ଓ ସରକାରୀ ନିର୍ଦ୍ଦେଶନାମାକୁ ଆଧାର କରି ଆଇସିସିର ନିୟମକୁ ଆଇନଗତ ଭାବେ ଚ୍ୟାଲେଞ୍ଜ କରାଯାଇପାରେ ବୋଲି ଆଶା ବ୍ୟକ୍ତ କରାଯାଇଛି। ଏହି ଯୁକ୍ତି ମାଧ୍ୟମରେ ପିସିବି ଆଇସିସି ନିୟମକୁ ମାତ ଦେଇପାରିବ ବୋଲି ଆଲୋଚନା ଚାଲିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
