Explore

Search

March 25, 2026 8:21 pm

ବିଜୁଳି ଦର ସ୍ଥିର : କୃଷି ଓ ଶିଳ୍ପ ପାଇଁ ନୂତନ ରିହାତି

ଭୁବନେଶ୍ୱର : ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ବଢ଼ିବନି ବିଜୁଳି ଦର । ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟୋରୀ କମିଶନ (OERC) ପକ୍ଷରୁ ବିଦ୍ୟୁତ ଟାରିଫ ଅପରିବର୍ତ୍ତିତ ନିଷ୍ପତ୍ତି ନିଆଯାଇଛି । ଏହାସହିତ ଲଗାତାର ପଞ୍ଚମ ବର୍ଷ ପାଇଁ ବିଦ୍ୟୁତ ଦରରେ କୌଣସି ବୃଦ୍ଧି ହୋଇନାହିଁ, ଯାହା ଉପଭୋକ୍ତାମାନଙ୍କୁ ଆର୍ଥିକ ରାହତ ଦେଇଛି । ଶେଷଥର ୨୦୨୩-୨୪ ଆର୍ଥିକ ବର୍ଷରେ ବିଦ୍ୟୁତ ଦରରେ ୧୦ ପଇସା କମିଥିଲା, ଯାହାପରେ ଦର ସ୍ଥିର ରହିଆସୁଛି ।

ଏହି ନିଷ୍ପତ୍ତିରେ ଘରୋଇ ଓ ବ୍ୟବସାୟିକ ଦୁଇ ପ୍ରକାରର ଉପଭୋକ୍ତାମାନେ ଲାଭାନ୍ବିତ ହେବେ ବୋଲି ଆଶା କରାଯାଉଛି। ସାଧାରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ବିଲରେ କୌଣସି ବୃଦ୍ଧି କରାଯାଇନାହିଁ । ଯାହା ଉପଭୋକ୍ତାମାନଙ୍କୁ ରାହତ ଦେଇଛି। ଏପଟେ ଟ୍ରାନ୍ସମିସନ ଚାର୍ଜରେ କମିବା ଦେଖାଯାଇଛି । ଓପିଟିସିଏଲ (OPTCL)ର ଚାର୍ଜ ପ୍ରତି ୟୁନିଟ ୨୫.୫ ପଇସାରୁ କମି ୨୪ ପଇସା କରାଯାଇଛି ।

ଶିଳ୍ପ ସଂସ୍ଥାମାନଙ୍କୁ ମଧ୍ୟ ରିହାତି ଦିଆଯାଇଛି । ବିଶେଷ କରି ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା EHT ଶିଳ୍ପଗୁଡ଼ିକ ପାଇଁ ରିହାତି ୨୦ ପଇସାରୁ ବଢ଼ି ୩୦ ପଇସା କରାଯାଇଛି, ଯାହା ଶିଳ୍ପ ଖାତକୁ ଉତ୍ସାହିତ କରିବ।

କୃଷି କ୍ଷେତ୍ରରେ ମଧ୍ୟ ନୂତନ ପଦକ୍ଷେପ ନିଆଯାଇଛି । ୬୦ ପ୍ରତିଶତରୁ ଅଧିକ ଲୋଡ ବ୍ୟବହାର କରୁଥିବା ସଂଯୋଗ ଗୁଡ଼ିକୁ ସୋଲାର ଶକ୍ତି ମାଧ୍ୟମରେ ବିଦ୍ୟୁତିକରଣ କରାଯିବାକୁ ଯୋଜନା ରହିଛି । ଏହାସହିତ ବାଣିଜ୍ୟିକ ଓ ପରିବହନ କ୍ଷତି ଅଧିକ ଥିବା ଅଞ୍ଚଳଗୁଡ଼ିକରେ ଟ୍ରାନ୍ସଫର୍ମର ସହିତ ସ୍ମାର୍ଟ ମିଟର ସ୍ଥାପନ କରାଯିବ ବୋଲି ବିଦ୍ୟୁତ ବିତରକ କମ୍ପାନୀମାନେ ଜଣାଇଛନ୍ତି।

ସ୍ମାର୍ଟ ମିଟର ନେଇ ଅଧିକ ବିଲ ଆସୁଥିବା ଅଭିଯୋଗ ପୂର୍ବରୁ ଉଠିଥିବାରୁ, ଏଥିପାଇଁ ସ୍ମାର୍ଟ ମିଟର ସଫ୍ଟୱେରର ତୃତୀୟ ପକ୍ଷ ଅଡିଟ କରାଯିବ। ଏହାସହିତ ବିଦ୍ୟୁତ ବିତରକ କମ୍ପାନୀମାନଙ୍କ ଖର୍ଚ୍ଚ ଉପରେ ମଧ୍ୟ CAG ଦ୍ୱାରା ଅଡିଟ କରାଯିବ । ଏହାସହ, ୫୦ ପ୍ରତିଶତରୁ ଅଧିକ କ୍ଷତି ହେଉଥିବା ଫିଡର ଗୁଡ଼ିକରେ ପ୍ରାଥମିକତା ଆଧାରରେ ସ୍ମାର୍ଟ ମିଟର ସ୍ଥାପନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score