କଟକ: ବାରବାଟୀରେ ଭାରତର ଦମଦାର ବିଜୟ । ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ଟିମ ଇଣ୍ଡିଆ । ୭୪ ରନ କରି ଅଲଆଉଟ ହୋଇଗଲା ଦକ୍ଷିଣ ଆଫ୍ରିକା । ବାରବାଟୀ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ଏକ ତରଫା ଭାବେ ପରାଜିତ କରିଛି । ୯ମ ଥର ପାଇଁ ଟିମ ଇଣ୍ଡିଆ ଆନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ୧୦୦ରୁ ଊର୍ଦ୍ଧ୍ୱ ବ୍ୟବଧାନରେ ବିଜୟ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ବିନିମୟରେ ୧୭୫ ରନ କରିଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୨୮ ବଲରେ ୬ ଚୌକା ଓ ୪ ଛକା ସହାୟତାରେ ୫୯ ରନ କରି ଅପରାଜିତ ରହିଥିଲେ । ସେହିପରି ତିଳକ ବର୍ମା ୨୬ ଓ ଅକ୍ଷର ପଟେଲ ୨୩ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ଲୁଙ୍ଗି ଏନଗିଡି ୩ଟି ଓ ଲୁଥୋ ସିପାମଲା ୨ଟି ୱିକେଟ ନେଇଥିଲେ ।
ତେବେ ପ୍ରଥମ ଓଭରରେ ଶୁଭମନ ଗିଲ ଆଉଟ ହୋଇଯିବା ପରଠୁ ଦର୍ଶକଙ୍କ ଭିତରେ ଏକ ପ୍ରକାର ଅସନ୍ତୋଷ ପ୍ରକାଶ ପାଇଥିଲା । ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ ଆରମ୍ଭ କରିବା ପରେ କ୍ରିକେଟ ପ୍ରେମୀଙ୍କ ମନରେ ଆଶା ସଞ୍ଚାର ହୋଇଥିଲା । ଆଉ ଶେଷରେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ବିଶ୍ୱାସ ଯୁଟାଇଥିଲେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ଏହାପରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଛକା ମାରି ସମସ୍ତଙ୍କ ହୃଦୟ ଜିତି ନେଇଥିଲେ ।
ଇତିହାସ ରଚିଲା ଟିମ ଇଣ୍ଡିଆ :
ବାରବାଟୀରେ ଖେଳା ଯାଇଥିବା ପ୍ରଥମ ଟି-୨୦ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ପରାସ୍ତ କରି ଇତିହାସ ରଚିଛି ଟିମ ଇଣ୍ଡିଆ । ଦମଦାର ପ୍ରଦର୍ଶନ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି । ୪ଟି ଛକା, ୬ଟି ଚୌକା ବଳରେ ମାତ୍ର ୨୮ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ୫୯ ରନ ସ୍କୋର କରିଥିଲେ । ଏହାସହିତ ହାର୍ଦ୍ଦିକ ୧୦୦ତମ ଛକା ମାରିଥିଲେ । ସେହିପରି ବୁମରା ବୋଲିଂରେ କମାଲ କହିବା ସହିତ ୧୦୦ତମ ୱିକେଟ ହାସଲ କରିଛନ୍ତି । ଅର୍ଶଦୀପ, ବୁମରା, ବରୁଣ, ଅକ୍ଷରଙ୍କୁ ୨-୨ ୱିକେଟ କରିଛନ୍ତି । ଶିବମ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧-୧ ୱିକେଟ । ଦ. ଆଫ୍ରିକାର ବ୍ରେଭିସଙ୍କ ସର୍ବାଧିକ ୨୨ ରନ ହୋଇଛି ।
ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା କମବ୍ୟାକ କରିଥିଲେ । ଗୋଟିଏ ପଟେ ଓ୍ବିକେଟ ପରେ ଓ୍ବିକେଟ ପଡି ଚାଲିଥିଲା । ଆଉ ଏହାରି ଭିତରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ ହାର୍ଦ୍ଦିକ ପରେ ବୋଲିଂରେ ଏକ ଗୁରୁତ୍ୱପୂର୍ଣ୍ଣ ୱିକେଟ ନେଇଥିଲେ ।
ମୁଖ୍ୟମନ୍ତ୍ରୀ ଜଣେଇଲେ ଶୁଭେଚ୍ଛା :
ଗତକାଲି ବାରବାଟୀ ଷ୍ଟାଡିୟମରେ ଭାରତୀୟ ଦଳର ଦମଦାର ବିଜୟ ପରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭାରତୀୟ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଐତିହାସିକ ବାରବାଟୀରେ ଟିମ ଇଣ୍ଡିଆ ବିଜୟ ହାସଲ କରିଛି । ଟିମ ଇଣ୍ଡିଆ ପାଇଁ ଏହି ଷ୍ଟାଡିୟମ ଲକି ସାବ୍ୟସ୍ତ ହୋଇଛି । ମ୍ୟାଚ ପାଇଁ ଓସିଏ ଓ ସରକାର ସବୁ ପ୍ରକାର ପ୍ରସ୍ତୁତି କରିଥିଲେ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
