ଖୋର୍ଦ୍ଧା : ଖୋର୍ଦ୍ଧା ପିଏମଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏବେ ସୁଦ୍ଧା ମୋଟ ୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଆଗାମୀ ଦିନରେ ସଂକ୍ରମଣ ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ତେବେ ଦୂଷିତ ପାଣି ଓ ବାହାର ଖାଦ୍ୟ ମାଧ୍ୟମରେ ଜଣ୍ଡିସ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସନ୍ଦେହ କରାଯାଇଛି।
ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଜି ସିଡିଏମଓ ଡା. ସଞ୍ଜୟ ରାୟ ଓ ଜନସ୍ୱାସ୍ଥ୍ୟ ବିଭାଗର ଡା. ରଞ୍ଜନ ମିତ୍ର ବିଦ୍ୟାଳୟରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହାସହ ବିଦ୍ୟାଳୟର ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିବାସହ ସ୍କୁଲର ରୋଷେଇଘର, ଖାଦ୍ୟ ପ୍ରସ୍ତୁତି କକ୍ଷ ଓ ପିଲାମାନଙ୍କୁ ପରିବେଶିତ ହେଉଥିବା ଖାଦ୍ୟର ଗୁଣମାନ ଯାଞ୍ଚ କରିଛନ୍ତି।
ଖାଦ୍ୟ ପ୍ରସ୍ତୁତି ସମୟରେ ସ୍ବଚ୍ଛତା ଓ ପରିଷ୍କାର ପରିବେଶ ରକ୍ଷା ସହ ନିୟମିତ ହାତସଫା, ମାସ୍କ ଓ ଏପ୍ରନ ବ୍ୟବହାର ନିଶ୍ଚିତ କରିବାକୁ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ପରାମର୍ଶ ଦେଇଛନ୍ତି । ଏହାସହ ଗତ ୩ ଦିନ ଧରି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଟିମ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ରକ୍ତ ପରୀକ୍ଷା କରିବା ସହ ପାଣିର ନମୁନା ସଂଗ୍ରହ କରି ଲାବରୋଟରୀକୁ ପଠାଇଛନ୍ତି । ତେବେ ଏବେ ଯାଏଁ ଆହୁରି ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଜଣ୍ଡିସରେ ପୀଡ଼ିତ ଅଛନ୍ତି ।
ଏହି ପରିସ୍ଥିତିକୁ ଦେଖି ସ୍କୁଲ କର୍ତ୍ତୃପକ୍ଷ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ସ୍ଵତନ୍ତ୍ର ସ୍ବାସ୍ଥ୍ୟ ଶିବିର ଆୟୋଜନ ପାଇଁ ଅନୁରୋଧ ଜଣାଇଛନ୍ତି । ଅନ୍ୟପକ୍ଷରେ ବିଦ୍ୟାଳୟ ପରିସରରେ ବିଶୋଧନ କାର୍ଯ୍ୟ ଓ ସଚେତନତା ଅଭିଯାନକୁ ମଧ୍ୟ ଅଧିକ ଜୋରଦାର କରାଯାଇଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
