ଭୁବନେଶ୍ୱର : ଅଙ୍ଗନବାଡି ପିଲାଙ୍କ ପୋଷାକ ଓ ଶୀତକାଳୀନ ସାମଗ୍ରୀର ମୂଲ୍ୟ ବଢ଼ିଛି । ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନା ଅଧୀନରେ ପ୍ରିସ୍କୁଲ ପିଲାଙ୍କ ପାଇଁ ଦିଆଯାଉଥିବା ୟୁନିଫର୍ମ ସହିତ ଶୀତକାଳୀନ ସାମଗ୍ରୀର ମୂଲ୍ୟରେ ସଂଶୋଧନ କରାଯାଇଛି ।
ଏନେଇ ଆଜି ମହିଳା ଓ ଶିଶୁ ବିକାଶ ବିଭାଗର ଏକ କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ସରକାରୀଭାବେ ଘୋଷଣା କରାଯାଇଛି । ପୂର୍ବରୁ ପ୍ରିସ୍କୁଲ ଛାତ୍ରମାନଙ୍କ ପୋଷାକ ମୂଲ୍ୟ ୧୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ବଢ଼ି ୧୭୫ ଟଙ୍କା କରାଯାଇଛି । ସେହିପରି ଛାତ୍ରୀମାନଙ୍କ ପୋଷାକ ମୂଲ୍ୟ ୧୫୦ ଟଙ୍କାରୁ ବଢ଼ି ୨୫୦ ଟଙ୍କା ହୋଇଛି।
ଏହାସହ ଜୋତା ପାଇଁ ପୂର୍ବରୁ ଦିଆଯାଉଥିବା ୧୦୦ ଟଙ୍କାକୁ ବଢ଼ାଇ ୧୫୦ ଟଙ୍କା କରାଯାଇଛି । ଏହି ସଂଶୋଧନରୁ ଅଙ୍ଗନୱାଡି ପିଲାମାନେ ଉନ୍ନତ ଗୁଣମାନର ପୋଷାକ ଓ ସୁବିଧା ପାଇବେ ବୋଲି ବିଭାଗ ଆଶା ପ୍ରକାଶ କରିଛି ।
ସେହିପରି ଶୀତକାଳୀନ ବସ୍ତ୍ର ପାଇଁ ପୂର୍ବରୁ ନିର୍ଦ୍ଧାରିତ ୧୫୦ ଟଙ୍କାର ମୂଲ୍ୟକୁ ବଢ଼ାଇ ବର୍ତ୍ତମାନ ୨୦୦ ଟଙ୍କା କରାଯାଇଛି । ଏହି ସଂଶୋଧିତ ମୂଲ୍ୟ ଚଳିତ ୨୦୨୬–୨୭ ଆର୍ଥିକ ବର୍ଷରୁ ଲାଗୁ ହେବ । ଏହି ନିଷ୍ପତ୍ତି ଫଳରେ ରାଜ୍ୟର ୭୪ ହଜାର ୨୨୪ ଅଙ୍ଗନବାଡ଼ି କେନ୍ଦ୍ରରେ ନାମଲେଖାଇଥିବା ୧୪.୭୬ ଲକ୍ଷରୁ ଅଧିକ ଶିଶୁ ଉପକୃତ ହେବେ । ଏହାପାଇଁ ଆବଶ୍ୟକ ଅତିରିକ୍ତ ବ୍ୟୟବରାଦ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିବେ।
ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରରେ ନାମଲେଖାଇଥିବା ୩ ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ୟୁନିଫର୍ମ, ଜୋତା, ମୋଜା ଓ ସ୍ୱେଟରର ମୂଲ୍ୟ ସଂଶୋଧନ ପାଇଁ ଓଡ଼ିଶା ସରକାର ଅନୁମୋଦନ ଦେଇଛନ୍ତି।
ପୋଷାକର ଲଗାତାର ବଢ଼ୁଥିବା ମୂଲ୍ୟ, ସିଲେଇ ଖର୍ଚ୍ଚ, ପରିବହନ ବ୍ୟୟକୁ ଦୃଷ୍ଟିରେ ରଖିବା ସହିତ ପିଲାମାନଙ୍କୁ ପ୍ରଦାନ କରାଯାଉଥିବା ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀର ଗୁଣବତ୍ତା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ସଂଶୋଧନ କରାଯାଇଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
