ହାଇଦ୍ରାବାଦ : ସନ୍ନି ଦେଓଲଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ହିନ୍ଦୀ ଚଳଚ୍ଚିତ୍ର ‘ବର୍ଡର ୨’ ଦର୍ଶକଙ୍କ ମଧ୍ୟରେ କ୍ରେଜ ସୃଷ୍ଟି କରିଛି । ଜାନୁଆରୀ ୨୩ରେ ରିଲିଜ ହୋଇଥିବା ଏହି ଫିଲ୍ମ ରିଲିଜ ପର ଠାରୁ ହିଁ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରୁଛି । ଦେଶଭକ୍ତିମୟ କାହାଣୀ, ଭାବନାପୂର୍ଣ୍ଣ ଦୃଶ୍ୟ ଓ ସନ୍ନି ଦେଓଲଙ୍କ ଦମଦାର ଅଭିନୟ ଦର୍ଶକଙ୍କ ମନ ଜିତି ନେଇଛି ।
ଫିଲ୍ମଟି ଘରୋଇ ବକ୍ସ ଅଫିସରେ ଶାନଦାର ଓପନିଂ କରି ୩ ଦିନ ମଧ୍ୟରେ ୧୦୦ କୋଟି ଟଙ୍କାର ସୀମା ପାର କରିଛି। ସେଥିପାଇଁ ଏହାକୁ ଚଳିତ ବର୍ଷର ସବୁଠୁ ସଫଳ ଫିଲ୍ମମାନଙ୍କ ମଧ୍ୟରେ ଗଣାଯାଉଛି।
ତେବେ କେବଳ ଦେଶରେ ନୁହେଁ, ବିଦେଶୀ ବଜାରରେ ମଧ୍ୟ ‘ବର୍ଡର ୨’ ର ଜବରଦସ୍ତ କ୍ରେଜ ଦେଖିବାକୁ ମିଳୁଛି । ରିଲିଜର ପ୍ରଥମ ସପ୍ତାହ, ଅର୍ଥାତ ୩ ଦିନ ମଧ୍ୟରେ ଫିଲ୍ମଟି ସାରା ବିଶ୍ୱରେ ୧୫୦ କୋଟି ଟଙ୍କାରୁ ଅଧିକ ଆୟ କରି ସଫଳତାର ନୂଆ ମାଇଲଷ୍ଟୋନ ସୃଷ୍ଟି କରିଛି।
ଫିଲ୍ମଟି ପ୍ରାୟ ୩୦ କୋଟି ଟଙ୍କାର ଜବରଦସ୍ତ ଓପନିଂ କରିଥିଲା। ଏପରିକି କିଛି ହଲରେ ସକାଳ ଶୋ’ ବାତିଲ ହୋଇଥିଲେ ମଧ୍ୟ ଫିଲ୍ମଟିର ରାଜସ୍ୱ ସଂଗ୍ରହ ଉପରେ ତାହାର ବଡ଼ ପ୍ରଭାବ ପଡ଼ିନଥିଲା । ଦେଶପ୍ରେମୀ ବିଷୟବସ୍ତୁ ଓ ଶକ୍ତିଶାଳୀ ଷ୍ଟାରକାଷ୍ଟ କାରଣରେ ସିନେମା ପ୍ରେମୀମାନେ ଫିଲ୍ମଟିକୁ ଭଲଭାବରେ ଗ୍ରହଣ କରିଥିଲେ ।
ଶନିବାର ଦିନ ଫିଲ୍ମର ଆୟରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ଦେଖାଗଲା । ଦୈନିକ ରାଜସ୍ୱ ୩୬.୫ କୋଟି ଟଙ୍କାକୁ ପହଞ୍ଚିଥିଲା । ପ୍ରଥମ ଦିନର ସଫଳ ସ୍କ୍ରିନିଂ ପରେ ଦର୍ଶକଙ୍କ ସକାରାତ୍ମକ ପ୍ରତିକ୍ରିୟା ଓ ସୋସିଆଲ ମିଡିଆରେ ମିଳିଥିବା ଦୃଢ଼ ସମର୍ଥନ ଫିଲ୍ମର ଲୋକପ୍ରିୟତାକୁ ଆଉ ଅଧିକ ବଢ଼ାଇଥିଲା।
ଛୁଟି ଦିନ ଥିବା ରବିବାର ଦିନ ମଧ୍ୟ ‘ବର୍ଡର ୨’ ପାଇଁ ଅନୁକୂଳ ରହିଥିଲା। ଦର୍ଶକଙ୍କ ଭିଡ଼ ଓ ହାଉସଫୁଲ ଶୋ’ ସହିତ ଫିଲ୍ମଟି ଭଲ ରୋଜଗାର କରିଥିବା ଖବର ମିଳିଛି । ଫିଲ୍ମଟି ସନ୍ନିଙ୍କ ପୂର୍ବ ମୁକ୍ତିଲାଭ କରିଥିବା ‘ଜାଟ’ ଯାହା ସାରା ବିଶ୍ୱରେ ପ୍ରାୟ ୧୧୯ କୋଟି ଟଙ୍କା ରୋଜଗାର କରିଥିଲା, ସେହି ଆୟକୁ ମାତ୍ର ତିନି ଦିନ ମଧ୍ୟରେ ପଛରେ ପକାଇ ଦେଇଛି।
ମାତ୍ର ୩ ଦିନରେ ‘ବର୍ଡର ୨’ ଏହି ସଂଖ୍ୟାକୁ ଅତିକ୍ରମ କରି ‘ଗଦର ୨’ ପରେ ସନ୍ନି ଦେଓଲଙ୍କ ସବୁଠାରୁ ଅଧିକ ହିନ୍ଦୀ ନେଟ ଆୟକାରୀ ଫିଲ୍ମମାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି।
ସନ୍ନିଙ୍କ ଶ୍ରେଷ୍ଠ ଫିଲ୍ମ ତାଲିକାରେ ‘ବର୍ଡର ୨’ ବର୍ତ୍ତମାନ ୧୨୧ କୋଟି ଟଙ୍କା ଆୟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଯେଉଁଠାରେ ‘ଗଦର ୨’ ୫୨୫.୭ କୋଟି ଟଙ୍କା ରୋଜଗାର କରି ଶୀର୍ଷ ସ୍ଥାନ ଅଧିକାର କରିଛି।
ବର୍ତ୍ତମାନ ଫିଲ୍ମର ଗତିବିଧିକୁ ଦେଖିଲେ, ‘ବର୍ଡର ୨’ ଖୁବ୍ ଶୀଘ୍ର ସାରା ବିଶ୍ୱରେ ୨୦୦ କୋଟି ଟଙ୍କା ପାର କରିବା ସମ୍ଭାବନା ରହିଛି। ଏହି ଧାରା ଯଦି ଜାରି ରହେ, ତେବେ ଫିଲ୍ମଟି ୨୫୦ କୋଟି ଟଙ୍କା ସୀମାକୁ ମଧ୍ୟ ଛୁଇଁପାରେ ବୋଲି ବକ୍ସ ଅଫିସ ବିଶ୍ଳେଷକମାନେ ଆଶା ପ୍ରକାଶ କରୁଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
