Explore

Search

March 4, 2026 7:07 am

ଫିଲ୍ମ ସୁଟିଂ ହବ୍ ପାଲିଟିଛି କୋରାପୁଟ

କୋରାପୁଟ : ଓଡ଼ିଶାର କୋରାପୁଟ ଜିଲ୍ଲା ମାଓ ବିଦ୍ରୋହ ପାଇଁ ଯେତିକି ପରିଚିତ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସେତିକି ଚର୍ଚ୍ଚାରେ । ଯାହାକୁ ଦେଖିବାକୁ ଆସିଥାନ୍ତି ଦୁରଦୁରାନ୍ତରୁ ପର୍ଯ୍ୟଟକ । କେବଳ ଯେ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ନୁହେଁ ଏହି ଜିଲ୍ଲାରେ ଏବେ ଅନେକ ପରିବର୍ତ୍ତନ ହୋଇଛି । ଆଉ ଯାହାକୁ ଦେଖି ଏବେ ଚଳଚ୍ଚିତ୍ର ନିର୍ମାତା ଆକୃଷ୍ଟ ହୋଇଛନ୍ତି । ପ୍ରାକୃତିକ ଦୃଶ୍ୟ ସାଙ୍ଗକୁ କେନ୍ଦ୍ରୀୟ ବାହିନୀ ଏବଂ ରାଜ୍ୟ ପୋଲିସର ପ୍ରୟାସ ଯୋଗୁଁ ଜିଲ୍ଲାରେ ଶାନ୍ତି ଫେରିଛି । ଦିନେ ଯେଉଁ ଜିଲ୍ଲା ଭୟରେ ପରିପୂର୍ଣ୍ଣ ଥିଲା ଏବେ ତାହା ଚଳଚ୍ଚିତ୍ର ନିର୍ମାତା ଏବଂ ପର୍ଯ୍ୟଟକଙ୍କ ଗହଳିରେ ପରିପୂର୍ଣ୍ଣ । ଉନ୍ନତ ସୁରକ୍ଷା ବ୍ୟବସ୍ଥା ପାଇଁ ଏବେ ଏହି ଜିଲ୍ଲା ଏକ ପ୍ରମୁଖ ସୁଟିଂ ହବ୍ ଭାବରେ ବିକଶିତ ହୋଇଛି ।

କୋରାପୁଟରେ ‘କମ୍ରେଡ କଲ୍ୟାଣ’ ସୁଟିଂ :

ଗତ କିଛି ବର୍ଷ ଧରି ଜିଲ୍ଲା ଉପାନ୍ତ ଲମତାପୁଟ, ମାଛକୁଣ୍ଡ, ଡୁଡୁମା ସହ କୋରାପୁଟ, ଜୟପୁର ଓ ସେମିଳିଗୁଡା ଭଳି ଛୋଟ ସହରାଞ୍ଚଳ ତଥା ଦେଓମାଳି, କାଳିଆମାଳି ଓ ତଳମାଳି ଅଞ୍ଚଳରେ ହାଇ ବଜେଟ ଫିଲ୍ମର ସୁଟିଂ କରାଯାଉଛି । ନିକଟରେ ରାଜାମୌଲିଙ୍କ ହାଇବଜେଟ୍ ଫିଲ୍ମ ‘SSMB29’, ପରେ ଅନୁଷ୍କା ଶେଟ୍ଟୀଙ୍କ ‘ଘାଟି’ ସୁଟିଂ ହୋଇଥିଲା । ଦୁଇ ତୃତୀୟାଂଶ ଅଞ୍ଚଳରେ ସୁଟିଂ କରି ପ୍ରସ୍ତୁତ ହୋଇଥିବା ତେଲୁଗୁ ଫିଲ୍ମ ‘ଘାଟି’ ସଫଳ ପ୍ରଦର୍ଶନ ପରେ ବର୍ତ୍ତମାନ ଆଉ ଏକ ମିଡ ବଜେଟ ତେଲୁଗୁ ସିନେମା ‘କମ୍ରେଡ କଲ୍ୟାଣ’ର ସୁଟିଂ ଆରମ୍ଭ ହୋଇଛି ।

ନକ୍ସଲଙ୍କ ଜୀବନ ଧାରାର କିଛି ଅଂଶକୁ ଉଦ୍ଧୃତ କରି ପ୍ରସ୍ତୁତ ହେଉଥିବା ଏହି ରୋମାଣ୍ଟିକ ଏବଂ କମର୍ସିଆଲ ଫିଲ୍ମର ସୁଟିଂ କାଳିଆମାଳି ପର୍ବତ ଅଞ୍ଚଳରେ କରାଯାଇଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଥିବା ତେଲୁଗୁ ଷ୍ଟାର ଶ୍ରୀବିଷ୍ଣୁ ଓ ମାଲାୟାଲମ ଅଭିନେତ୍ରୀ ମହିମା ନାମ୍ବିୟରଙ୍କୁ ନେଇ କୋରାପୁଟ ଜିଲ୍ଲାରେ ଥିବା ଜଗନ୍ନାଥ ମନ୍ଦିରରେ ସୁଟିଂ କରିଛନ୍ତି । ଫିଲ୍ମ ନିର୍ମାତା କୋନା ଭେଙ୍କଟ ଓ ନିର୍ଦ୍ଦେଶକ ଜାନକୀ ରାମ କୋରାପୁଟ ଜିଲ୍ଲାରେ ଏହି ଫିଲ୍ମ ପ୍ରସ୍ତୁତ କରିବା ପାଇଁ ଉପଯୁକ୍ତ ପରିବେଶ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ନେଇ ଖୁସିବ୍ୟକ୍ତ କରିଥିଲେ ।

‘କମ୍ରେଡ କଲ୍ୟାଣ’ ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ମଜାଦାର ଆକ୍ସନ୍ ମନୋରଞ୍ଜନକାରୀ କୋନା ଭେଙ୍କଟଙ୍କ ଦ୍ୱାରା ପ୍ରଦର୍ଶିତ ଏବଂ ଜାନକୀରାମ ମାରେଲାଙ୍କ ଦ୍ୱାରା ନିର୍ଦ୍ଦେଶିତ । ଭେଙ୍କଟ କୃଷ୍ଣ କର୍ଣ୍ଣାଟି ଏବଂ ସୀତା କର୍ଣ୍ଣାଟି ସ୍କନ୍ଦ ବାହନା ମୋସନ୍ ପିକଚର୍ସ LLP ବ୍ୟାନର ଅଧୀନରେ ଫିଲ୍ମଟି ନିର୍ମାଣ କରୁଛନ୍ତି । ନିକଟରେ ନିର୍ମାତାମାନେ ଏକ ଆକର୍ଷଣୀୟ ପ୍ରୋମୋ ମାଧ୍ୟମରେ ଫିଲ୍ମର ଶୀର୍ଷକକୁ ଉନ୍ମୋଚନ କରିଥିଲେ ।

‘କମ୍ରେଡ କଲ୍ୟାଣ’ ଫିଲ୍ମର କାହଣୀ ବିଷୟରେ କହିବାକୁ ଗଲେ, 1992 ମସିହାରେ ବିଶାଖାପାଟଣାର ଆନ୍ଧ୍ର-ଓଡିଶା ସୀମାରେ ଅବସ୍ଥିତ ମାଦୁଗୁଲା ଗାଁରେ ଘଟିଥିବା ଘଟଣାକୁ ନେଇ ନିର୍ମିତ । ପ୍ରୋମୋଟି ସରକାରଙ୍କ ପ୍ରତି ନକ୍ସଲବାଦୀଙ୍କ ବର୍ଦ୍ଧିତ ବିପଦ ଘୋଷଣା କରୁଥିବା ଏକ ରେଡିଓ ଘୋଷଣା ସହ ଆରମ୍ଭ ହୁଏ ।
ସେପଟେ ଗତ ବର୍ଷ ଡିସେମ୍ୱର 5ରେ ରିଲିଜ ହୋଇଥିଲା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା 2’ । ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନ, ରଶ୍ମିକା ମନ୍ଦାନା, ଫାହାଦ୍ ଫାସିଲ, ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାର ନଜର ଆସିିଥିଲେ । ‘ପୁଷ୍ପା 2’ ବିଶ୍ୱସ୍ତରରେ, ‘ପୁଷ୍ପା-2’ 1,800 କୋଟି ଟଙ୍କାରୁ ଅଧିକ ଆୟ କରିଛି ଏବଂ ଭାରତରେ ସର୍ବାଧିକ ଆୟ କରିଥିବା ଫିଲ୍ମ (୧୨୩୩ କୋଟି ଟଙ୍କାରୁ ଅଧିକ) କରିଥିବା ଫିଲ୍ମ ହୋଇଥିଲା । ଏହି ଫିଲ୍ମର ସୁଟିଂ ମଧ୍ୟ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ହୋଇଥିଲା ।
କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶ ସବୁ ସମୟରେ ଫିଲ୍ମ ସୁଟିଂ ଲାଗି ନିର୍ଦ୍ଦେଶକ ଓ ନିର୍ମାତାଙ୍କୁ ଆକୃଷ୍ଟ କରି ଆସିଛି । ଆଗରୁ ଏଠାରେ ଓଡ଼ିଆ ଫିଲ୍ମ ସୁଟିଂ ହେଉଥିଲା । ବର୍ତ୍ତମାନ ଦକ୍ଷିଣ ଭାରତୀୟ ଫିଲ୍ମ(ତେଲୁଗୁ ଓ ତାମିଲ)ସୁଟିଂ ପାଇଁ କୋରାପୁଟ ଜିଲ୍ଲାରେ ନିର୍ମାତା, ନିର୍ଦ୍ଦେଶକ, କଳାକାରଙ୍କ ଭିଡ଼ ଜମୁଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score