Explore

Search

February 18, 2026 4:43 am

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ଦେହାନ୍ତ : କେନ୍ଦ୍ରମନ୍ତ୍ରୀ-ମୁଖ୍ୟମନ୍ତ୍ରୀଙ୍କ ଶୋକ

ସମ୍ବଲପୁର: ସମ୍ବଲପୁରର ପୂର୍ବତନ ବିଧାୟିକା ଓ ପରିଚିତ ସମାଜସେବୀ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ଦିନ ପରଲୋକ ଘଟିଛି। ଏନେଇ ସମଗ୍ର ସମ୍ବଲପୁର ଜିଲ୍ଲାରେ ଗଭୀର ଶୋକର ପରିବେଶ ସୃଷ୍ଟି ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ରାଜନୀତିକ ଓ ସାମାଜିକ କ୍ଷେତ୍ରରେ ତାଙ୍କର ଅବଦାନ ସଦା ସ୍ମରଣୀୟ ରହିବ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି । ଦୀର୍ଘଦିନ ଧରି ସେ ସ୍ନାୟୁ ସମ୍ବନ୍ଧୀୟ ରୋଗରେ ପୀଡିତ ଥିଲେ ।

ବିଜୁ ଜନତା ଦଳର ପୂର୍ବତନ ବିଧାୟିକା ଭାବେ ସେ ନିଜ କାର୍ଯ୍ୟକାଳ ଅବଧିରେ ଅଞ୍ଚଳର ବିକାଶ, ମହିଳା ସଶକ୍ତିକରଣ ଓ ଶିକ୍ଷା ପ୍ରସାରରେ ଉଲ୍ଲେଖନୀୟ ପ୍ରୟାସ କରିଥିଲେ। ସାଧାରଣ ଲୋକଙ୍କ ସମସ୍ୟା ନିରାକରଣ ପାଇଁ ସେ ସଦା ସଚେତନ ଓ ସକ୍ରିୟ ଥିବାରୁ ଲୋକଙ୍କ ମନରେ ବିଶେଷ ସମ୍ମାନ ଅର୍ଜନ କରିଥିଲେ।

ତାଙ୍କର ଦେହାନ୍ତରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରି କହିଛନ୍ତି ଯେ, ଡା. ପାଣିଗ୍ରାହୀଙ୍କ ଅକାଳ ବିୟୋଗ ଓଡ଼ିଶା ରାଜନୀତି ପାଇଁ ବଡ଼ କ୍ଷତି। ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ତାଙ୍କ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ଯେ, ସମାଜସେବାରେ ତାଙ୍କ ନିଷ୍ଠା ଓ ସମର୍ପଣ ସଦା ପ୍ରେରଣାଦାୟକ ରହିବ ।

ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ୟ ରାସେଶ୍ୱରୀ ପାଣିଗ୍ରାହୀଙ୍କ ଦେହାନ୍ତ ପରେ ଗଭୀର ଶୋକ ଜଣାଇବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାନ୍ତ୍ୱନା ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂ ଦେଓ ମଧ୍ୟ ତାଙ୍କୁ ସ୍ମରଣ କରି କହିଛନ୍ତି ଯେ, ଡା. ପାଣିଗ୍ରାହୀଙ୍କ ଅବଦାନ ସଦା ଓଡ଼ିଶାବାସୀଙ୍କ ହୃଦୟରେ ଅମର ରହିବ ।

ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅକାଳ ବିୟୋଗରେ ରାଜନୀତିକ ମହଲ ସହ ସାଧାରଣ ଲୋକମାନେ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କର ଆଦର୍ଶ ଓ ସେବାମୟ ଜୀବନ ସମାଜ ପାଇଁ ସଦା ପ୍ରେରଣାର ସ୍ରୋତ ହେଇ ରହିବ।

ପଶ୍ଚିମ ଓଡିଶାର ପରିଚିତ ଚିକିତ୍ସକ ଓ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଜୀବନ ଥିଲା ସେବା ଓ ସମର୍ପଣର ଏକ ଉଜ୍ଜ୍ୱଳ ଉଦାହରଣ । ୧୯୪୬ ମସିହା ଅକ୍ଟୋବର ୨୮ ତାରିଖରେ ସମ୍ବଲପୁର ଜିଲ୍ଲାର ବରଗାଁ ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ।

ଚିକିତ୍ସା କ୍ଷେତ୍ରରେ ସେ ଜଣେ ପ୍ରସିଦ୍ଧ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ପରିଚିତ ଥିଲେ। ପୋଷ୍ଟ ଗ୍ରାଜୁଏସନ ସମ୍ପୂର୍ଣ୍ଣ କରିବା ପରେ ସେ ଓଡିଶାର ତିନୋଟି ପ୍ରମୁଖ ସରକାରୀ ମେଡିକାଲ କଲେଜ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ, ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ ଓ ବୀର ସୁରେନ୍ଦ୍ର ସାଇ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନ୍ସରେ ସେବା ଯୋଗାଇଥିଲେ। ବୁର୍ଲା ସ୍ଥିତ ଭୀମସାରରେ ସେ O&G ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟ (HOD) ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ ।

ତାଙ୍କର ସେବା ମାତ୍ର ଓଡିଶା ସୀମାରେ ସୀମିତ ରହିନଥିଲା। ଛତିଶଗଡ, ଝାରଖଣ୍ଡ, ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶରୁ ମଧ୍ୟ ରୋଗୀମାନେ ତାଙ୍କ ଚିକିତ୍ସା ପାଇଁ ଆସୁଥିଲେ। ଗରିବ ଓ ଆବଶ୍ୟକତାମନ୍ଦ ରୋଗୀଙ୍କ ପ୍ରତି ତାଙ୍କର ନିଷ୍ଠାପର ସେବା ତାଙ୍କୁ ପଶ୍ଚିମ ଓଡିଶାରେ ବିଶେଷ ଲୋକପ୍ରିୟ କରିଥିଲା । ସମାଜସେବା ପାଇଁ ୨୦୧୦ ମସିହାରେ ସେ “ଇନ୍ଦିରା ପ୍ରିୟଦର୍ଶିନୀ ସମ୍ମାନ”ରେ ସମ୍ମାନିତ ହୋଇଥିଲେ।

ଚିକିତ୍ସା ସେବା ସହିତ ସେ ରାଜନୀତିରେ ମଧ୍ୟ ସକ୍ରିୟ ଭାଗ ନେଇଥିଲେ। ୨୦୧୪ ମସିହାରେ ବିଜେଡି ପକ୍ଷରୁ ଟିକେଟ ପାଇ ସମ୍ବଲପୁର ବିଧାନସଭା ମଣ୍ଡଳୀରେ ପ୍ରାର୍ଥୀ ହୋଇଥିଲେ। ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ସେ ବିଧାୟିକା ଭାବେ କାର୍ଯ୍ୟ କରିଥିଲେ।

ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଜୀବନ ଚିକିତ୍ସା, ସମାଜସେବା ଓ ରାଜନୀତିର ଏକ ସୁନ୍ଦର ସମନ୍ୱୟ ଥିଲା। ତାଙ୍କର ଅବଦାନ ସମାଜକୁ ପ୍ରେରଣା ଯୋଗାଇବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score