ପୁରୀ : ପୁରୀ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧାକୁ ଧ୍ୟାନରେ ରଖି ପୁରୀ ପୌରସଂସ୍ଥା ଏକ ନୂତନ ପଦକ୍ଷେପ ନେଇଛି । ବେଳାଭୂମିରେ ପ୍ରଥମଥର ପାଇଁ ଡିଜିଟାଲ ବ୍ୟାଗେଜ ଲକର ବ୍ୟବସ୍ଥା ଆରମ୍ଭ ହୋଇଛି । ଯାହାଫଳରେ ସମୁଦ୍ରକୁ ସ୍ନାନ କରିବାବେଳେ ବ୍ୟାଗ ଓ ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ରଖିବା ସହଜ ହେବ।
ପୂର୍ବରୁ ପର୍ଯ୍ୟଟକମାନେ ବାଲି ଉପରେ ବ୍ୟାଗ ରଖି ସମୁଦ୍ରକୁ ଯାଉଥିଲେ । ଫଳରେ ଅଧିକାଂଶ ସମୟରେ ଚୋରି ଘଟଣା ନେଇ ଅନେକ ଅଭିଯୋଗ ଆସୁଥିଲା। ଏହି ସମସ୍ୟାର ସମାଧାନ ପାଇଁ ବେଳାଭୂମିର ଦୁଇଟି ସ୍ଥାନରେ ପରୀକ୍ଷାମୂଳକ ଭାବେ ଲକର ସ୍ଥାପିତ କରାଯାଇଛି । ଭିକ୍ଟୋରିଆ ହୋଟେଲ ସମ୍ମୁଖ ଅଞ୍ଚଳ ଓ ଦିଗବାରେଣୀ ଛକ ପାଖରେ ଏହି ବ୍ୟବସ୍ଥା ଚାଲୁ ହୋଇଛି ।
ଲକର ବ୍ୟବହାର ପ୍ରକ୍ରିୟା ସରଳ ଓ ଡିଜିଟାଲ ଭିତ୍ତିକ। ପ୍ରଥମେ ଲକର ଉପରେ ଥିବା କ୍ୟୁଆର କୋଡ ସ୍କାନ କରିବାକୁ ପଡିବ। ତାପରେ ଲୋକେସନ ଅନ କରି ଆବଶ୍ୟକ ତଥ୍ୟ ଭରି ଅନଲାଇନ ଟଙ୍କା ପ୍ରଦାନ କରିବାକୁ ହେବ। ଭୁଗତାନ ସମ୍ପୂର୍ଣ୍ଣ ହେଲେ ଲକର ଆପେଆପେ ଖୋଲିଯିବ। ପର୍ଯ୍ୟଟକମାନେ ବ୍ୟାଗ, ଚପଲ, ମୋବାଇଲ ଓ ଅନ୍ୟ ସାମଗ୍ରୀ ରଖି ମୋବାଇଲ ମାଧ୍ୟମରେ ଲକର ବନ୍ଦ କରିପାରିବେ ।
ଗୋଟିଏ ୟୁନିଟ୍ରେ ୨୭ଟି ଲକର୍ ରହିଛି । ଏଥିରେ ଛୋଟ, ମଧ୍ୟମ, ବଡ଼ ଓ ଅତିବଡ଼ ମାପର ଲକର ବ୍ୟବସ୍ଥା ଅଛି। ସବୁଠାରୁ ବଡ଼ ଲକରରେ ୮ରୁ ୧୦ଟି ବ୍ୟାଗ ରଖାଯାଇପାରିବ। ଶୁଳ୍କ ଘଣ୍ଟା ଆଧାରରେ ନିର୍ଦ୍ଧାରିତ ହୋଇଛି ଅତିବଡ଼ ଲକର ପାଇଁ ୧୧୮ ଟଙ୍କା, ବଡ଼ ପାଇଁ ୬୯ ଟଙ୍କା ୬୨ ପଇସା, ମଧ୍ୟମ ପାଇଁ ୨୯ ଟଙ୍କା ୫ ପଇସା ଓ ଛୋଟ ପାଇଁ ୧୮ ଟଙ୍କା ୮୮ ପଇସା ଦେବାକୁ ପଡିବ।
୨୫ ତାରିଖରୁ ଏହି ସୁବିଧା ଚାଲୁ ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ସ୍ଥାନରେ ଏହାକୁ ବିସ୍ତାର କରାଯିବ ବୋଲି ପୌରସଂସ୍ଥା ପକ୍ଷରୁ ସୂଚନା ମିଳିଛି । ପର୍ଯ୍ୟଟକମାନେ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଓ ଏହା ଫଳରେ ସମୁଦ୍ର ସ୍ନାନ ଅନୁଭବ ଅଧିକ ସୁରକ୍ଷିତ ହେବ ବୋଲି ମତ ପ୍ରକାଶ କରିଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
