Explore

Search

January 14, 2026 4:00 am

ପୁଣି କମ୍ପିବ ବରଗଡ : ୨୪ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ପୁଣି କମ୍ପିବ ବରଗଡ । ଡିସେମ୍ବର ୨୪ରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଆଉ ଏହି ୭୮ତମ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ଏବେଠୁ ଚଳଚଞ୍ଚଳ ହେଲାଣି ପୁରା ବରଗଡ ଜିଲ୍ଲା । ଧୀରେ ଧୀରେ ସଜେଇ ହେଲାଣି ମଥୁରା ନଗରୀ । ଆଉ ଦିନ କେଇଟା ପରେ ଆରମ୍ଭ ହେବ କଂସ ମହାରାଜାଙ୍କ ରାଜୁତି । ଏଥିପାଇଁ ସବୁ ପ୍ରସ୍ତୁତି ଅଧାରେ ପହଞ୍ଚିଲାଣି। ଚଳିତ ବର୍ଷର ଯାତ୍ରା କିପରି ପୂର୍ବବର୍ଷ ଅପେକ୍ଷା ଅଧିକ ଆକର୍ଷଣୀୟ ହୋଇପାରିବ ସେଥିପାଇଁ ସମସ୍ତଙ୍କ ଠାରେ ଦେଖିବାକୁ ମିଳିଛି ଉତ୍ସାହ ଓ ଉଦ୍ଦୀପନା । ଆଉ ଏଇ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଯେତିକି ପାଖେଇ ଆସୁଛି ସମସ୍ତଙ୍କ ମନରେ ଉତ୍ସାହ ସେତିକି ବଢୁଛି । ଏଥିପାଇଁ ସଫାସୁତରା ହେଲାଣି ଧନୁଯାତ୍ରା ପଡିଆ।

କେବଳ ସେତିକି ନୁହେଁ ଧନୁଯାତ୍ରା ପାଇଁ ଏବେଠୁ ଜମିଲାଣି ଆଖଡ଼ାଶାଳ। ଦେବକୀ ବିବାହ ଠାରୁ ଆରମ୍ଭ କରି କଂସବଦ୍ଧ ଯାଏଁ ପ୍ରତିଟି ଦୃଶ୍ୟକୁ କିପରି ନିଖୁଣ ଭାବେ ପ୍ରଦର୍ଶିତ କରାଯିବ ସେନେଇ ପ୍ରସ୍ତୁତ ହେଉଛନ୍ତି ବିଭିନ୍ନ ଚରିତ୍ର । ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ପରେ ଆରମ୍ଭ ହୋଇଯାଇଛି କଳାକାରଙ୍କ ଅଭ୍ୟାସ । ତେବେ ଚଳିତ ବର୍ଷ ନୂତନ କଳାକାର ଚୟନ କରାଯାଇଛି । ସେପଟେ ନାଟ୍ୟ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଧନୁଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ ପରେ ଆରମ୍ଭ ହୋଇଯାଇଛି କଳାକାରଙ୍କ ଅଭ୍ୟାସ । ଜୋରଦାର ଚାଲିଛି ନାଟ୍ୟ ପାଇଁ ଅଭ୍ୟାସ ।

ବରଗଡ଼ ଧନୁଯାତ୍ରାର ସେମିତି କୌଣସି ନିର୍ଦ୍ଦିଷ୍ଟ କଥା ନାହିଁ । ପୁରାଣ, ପୋଥିରୁ ବିଭିନ୍ନ ତଥ୍ୟ ସଂଗ୍ରହ କରି ଯାତ୍ରାରେ ଏହାର ସଂଳାପ ସହ ଅଭିନୟ କରାଯାଏ । ଚଳିତ ବର୍ଷ ଧନୁଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ନୂତନ ସଂଳାପ ସହ ନୂତନ ଅଭିନୟ ଯୋଡ଼ାଯାଇଛି । ଯାହା ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଯୋଗାଇବ।

୧୯୪୭ ମସିହାରୁ ବରଗଡ଼ ସହରରେ ଧନୁଯାତ୍ରା ପାଳିତ ହୋଇ ଆସୁଛି । ଧନୁଯାତ୍ରା ଓଡ଼ିଶାର ବରଗଡ଼ରେ ଏକ ବାର୍ଷିକ ନାଟକ-ଭିତ୍ତିକ ଖୋଲା ରଙ୍ଗମଞ୍ଚ ଯାତ୍ରା । ପୌରାଣିକ କଥାବସ୍ତୁ ହରିବଂଶର ମଥୁରା ବିଜୟକୁ ନାଟ୍ୟ ରୁପାନ୍ତର ଆକାରରେ ମଞ୍ଚସ୍ଥ କରାଯାଇଥାଏ ଧନୁଯାତ୍ରାରେ । ଏହି ଯାତ୍ରା ସମୟରେ ବରଗଡ଼ ସହର କଂସଙ୍କ ମଥୁରା ପାଲଟୁଥିବା ବେଳେ ପୌରାଞ୍ଚଳର ୧୭ନଂ ୱାର୍ଡ଼ ଅମ୍ବାପାଲି ପାଲଟି ଥାଏ ଗୋପପୁର । ବରଗଡ଼ ସହରବାସୀ ଓ ଦର୍ଶକ ପାଲଟିଥାନ୍ତି ପ୍ରଜା । ମହାରାଜା କଂସଙ୍କ ଆଦେଶ ଅବମାନନା କଲେ ଯେତେବଡ଼ ପଦପଦବୀରେ ଥିଲେ ସୁଦ୍ଧା ଦଣ୍ଡ ଭୋଗିବାକୁ ହୋଇଥାଏ । ଏହି ମଞ୍ଚରେ କଂସ ଦୋଷ ନିମନ୍ତେ ଲୋକଙ୍କୁ ଦଣ୍ଡବିଧାନ ମଧ୍ୟ କରିଥାନ୍ତି ।

ବରଗଡ଼ ଧନୁଯାତ୍ରାରେ କୃଷ୍ଣ, ବଳରାମ ନୁହେଁ ବରଂ କଂସ ହିଁ ମୁଖ୍ୟ ଆକର୍ଷଣ । କଂସ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ । କଂସ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଧନୁଯାତ୍ରାବେଳେ ମହାପ୍ରଭୁ ଜଗନ୍ନାଥଙ୍କ ଅବତାର ଶ୍ରୀକୃଷ୍ଣ ଓ ବଳରାମଙ୍କୁ ଅସମ୍ମାନ ଓ ଅପମାନିତ କରିବା ସହ ହତ୍ୟା କରିବା ନିମନ୍ତେ ଷଡ଼ଯନ୍ତ୍ର କରୁଥିବାରୁ ଯାତ୍ରା ପରେ ଶ୍ରୀକ୍ଷେତ୍ରକୁ ଯାଇ ଜଗନ୍ନାଥଙ୍କ ନିକଟରେ କ୍ଷମା ଯାଚନା କରିଥାନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score