ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ପାଇଁ ପୁଣି ହସିବ ଓଡିଶା । ନିବେଶ କ୍ଷେତ୍ରରେ ହେବ ଆଗୁଆ। ପୁଞ୍ଜିନିବେଶ କ୍ଷେତ୍ରରେ ଓଡ଼ିଶା ଦେଶର ଅନ୍ୟତମ ଆଗୁଆ ଓ ଆକର୍ଷଣୀୟ ରାଜ୍ୟ ଭାବେ ନିଜ ସ୍ଥାନ ମଜବୁତ କରିଛି । ଆର୍ଥିକ ବର୍ଷ ୨୦୨୫-୨୦୨୬ରେ ଦେଶକୁ ଆସିଥିବା ସମଗ୍ର ପୁଞ୍ଜିନିବେଶ ପ୍ରସ୍ତାବ ମଧ୍ୟରୁ ୧୩.୧ ପ୍ରତିଶତ ଅଂଶ ଓଡ଼ିଶା ଅଧିକାର କରିଛି । ଏହା ସହିତ ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ଦେଶର ଦ୍ୱିତୀୟ ସର୍ବାଧିକ ପସନ୍ଦର ନିବେଶ ଗନ୍ତବ୍ୟ ଭାବେ ଉଦୟ ହୋଇଛି ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ଦ୍ରୁତ ଗତିରେ ଭାରତର ଏକ ପ୍ରମୁଖ ପୁଞ୍ଜିନିବେଶ ଗନ୍ତବ୍ୟ ସ୍ଥଳ ଭାବେ ନିଜକୁ ପ୍ରତିଷ୍ଠା କରୁଛି । ସମ୍ପ୍ରତି ବର୍ଷ ଗୁଡ଼ିକରେ ରାଜ୍ୟରେ ବୃଦ୍ଧି ପାଉଥିବା ନିବେଶ ପ୍ରସ୍ତାବ ଓ ନିବେଶକଙ୍କ ବଢ଼ୁଥିବା ଭରସା ଏହାର ସ୍ପଷ୍ଟ ପ୍ରମାଣ ବୋଲି ସେ କହିଛନ୍ତି ।
ଆର୍ଥିକ ବର୍ଷ ୨୦୨୬ରେ ମୋଟ ପ୍ରସ୍ତାବିତ ନିବେଶର ୧୩.୧ ପ୍ରତିଶତ ଶେୟାର ସହ ଓଡ଼ିଶା ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଏହା ରାଜ୍ୟର ସ୍ଥିର ନୀତି, ବିକାଶମୁଖୀ ଶାସନ ବ୍ୟବସ୍ଥା ଓ ଶାସନିକ ସୁଦୃଢତା ପ୍ରତି ନିବେଶକଙ୍କ ଆତ୍ମବିଶ୍ୱାସକୁ ପ୍ରତିବିମ୍ବିତ କରୁଛି । ଏହି ଧାରା ଜାରି ରହିଲେ ଆସନ୍ତା ସମୟରେ ଓଡ଼ିଶା ଦେଶର ଶୀର୍ଷ ନିବେଶ ଗନ୍ତବ୍ୟ ଭାବେ ସ୍ଥାନ ପାଇବ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଛନ୍ତି, “ନିବେଶକ-ଅନୁକୂଳ ନୀତି, ଶକ୍ତିଶାଳୀ ଢାଞ୍ଚା ଓ ସୁଶାସନ ଯୋଗୁଁ ଓଡ଼ିଶା ଭାରତର ବୃଦ୍ଧିର ଇଞ୍ଜିନ ହେବା ଦିଗରେ ଅଗ୍ରସର । ଲୋକଙ୍କ ସରକାରର ବିଭିନ୍ନ ପଦକ୍ଷେପ ଦ୍ୱାରା ରାଜ୍ୟ ଏକମାତ୍ର ଧାତବ ଶିଳ୍ପ ଉପରୁ ନିର୍ଭରଶୀଳ ନଥାଇ ବିବିଧତାପୂର୍ଣ୍ଣ ଅର୍ଥନୀତି ଗଢ଼ି ଉଠୁଛି । ଏହା ଯୁବପୀଢ଼ି ପାଇଁ ଲକ୍ଷଲକ୍ଷ ନିଯୁକ୍ତି ସୃଷ୍ଟିର ପଥ ପ୍ରସସ୍ତ କରୁଛି ।”
ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ ଦୃଷ୍ଟିକୋଣରେ ଓଡ଼ିଶା ଭାରତର ଅର୍ଥନୈତିକ ବିକାଶର ମୁଖ୍ୟ କେନ୍ଦ୍ର ଭାବେ ଉଭା ହେଉଛି । ଏହି କ୍ରମରେ ରାଜ୍ୟ ସରକାର IT, ଗ୍ରିନ ଏନର୍ଜି, ଡିଫେନ୍ସ, ଫାର୍ମା, ବୟନଶିଳ୍ପ ଓ ସେମିକଣ୍ଡକ୍ଟର ଭଳି ଉଦୀୟମାନ କ୍ଷେତ୍ରରେ ବିଶେଷ ନୀତି ଆଣି ନିବେଶକଙ୍କୁ ଆକର୍ଷିତ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାର ଶିଳ୍ପାୟନ ପ୍ରକ୍ରିୟା ଏକ ନୂଆ ଦିଗ ପାଇଛି । ନିବେଶକଙ୍କୁ ଆକର୍ଷଣ କରିବା ପାଇଁ ସରକାର ଆକର୍ଷଣୀୟ ଶିଳ୍ପ ନୀତି ସହ ସମସ୍ତ ପ୍ରକାର ଆନୁଷଙ୍ଗିକ ସହଯୋଗ ଯୋଗାଇ ଦେଉଛନ୍ତି ।
ବିଜେପି ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ, ମୁମ୍ବାଇ, ହାଇଦ୍ରାବାଦ ସହ ବିଭିନ୍ନ ସହରରେ ରୋଡ ଶୋ ଓ ନିବେଶକ ସମ୍ମିଳନୀ ମାଧ୍ୟମରେ ଦେଶୀ-ବିଦେଶୀ ନିବେଶକଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି । ବୃହତ ଇସ୍ପାତ ଶିଳ୍ପ ସହ ସହଯୋଗରେ ଅଧିକ ନିଯୁକ୍ତି ସୃଷ୍ଟିକାରୀ MSME ଶିଳ୍ପକୁ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ସେଥିପାଇଁ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଓଡ଼ିଶାରେ ନୂଆ ସୁଯୋଗ ସୃଷ୍ଟି କରାଯାଉଛି ।
ଇଜ ଅଫ ଡୁଇଂ ବିଜନେସକୁ ଅଧିକ ସହଜ କରିବା ପାଇଁ ପ୍ରାୟ ୨୩ଟି ଆଇନରେ ସଂଶୋଧନ କରାଯାଉଛି । ପୁରୁଣା ଓ ଅପ୍ରୟୋଜନୀୟ ଆଇନଗୁଡ଼ିକୁ ବର୍ତ୍ତମାନ ସମୟର ଚାହିଦା ଅନୁଯାୟୀ ସଂଶୋଧନ କରାଯାଉଛି । ଆସିଥିବା ପ୍ରସ୍ତାବଗୁଡ଼ିକୁ ତ୍ୱରିତ ଭାବେ କାର୍ଯ୍ୟକାରୀ କରି ଗ୍ରାଉଣ୍ଡିଂ ଦେବାକୁ ସରକାର ଗୁରୁତ୍ୱ ଦେଉଛନ୍ତି ।
‘ଉତ୍କର୍ଷ ଓଡ଼ିଶା ୨୦୨୫’ ପରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୩୮ ହଜାର ୨୨୪ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଥିବା ବେଳେ ଏହା ଦ୍ୱାରା ୨ ଲକ୍ଷ ୫୫ ହଜାରରୁ ଅଧିକ ନିଯୁକ୍ତି ସୃଷ୍ଟିର ସମ୍ଭାବନା ଦେଖାଦେଇଛି । ଗତ ୧୮ ମାସରେ ୨.୧୦ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ ହୋଇ ୧.୬୩ ଲକ୍ଷ ନିଯୁକ୍ତି ସୁନିଶ୍ଚିତ ହୋଇଛି । ଅର୍ଥାତ ଭରସା, ନିରନ୍ତର ପ୍ରୟାସ ଓ ଦୀର୍ଘସ୍ଥାୟୀ ସହଭାଗିତା ଏହି ମୂଳମନ୍ତ୍ର ଉପରେ ଭିତ୍ତି କରି ଓଡ଼ିଶା ଦ୍ରୁତ ଗତିରେ ଶିଳ୍ପ ଓ ପୁଞ୍ଜିନିବେଶର ନୂଆ ମାଇଲଷ୍ଟୋନ ସ୍ଥାପନ କରୁଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
