ଜଗତସିଂହପୁର : ସମୁଦ୍ରତଟୀୟ ସହର ପାରାଦୀପକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ମାନଚିତ୍ରରେ ନେବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ପାରାଦୀପ ବେଳାଭୂମିକୁ ‘ବ୍ଲୁ ଫ୍ଲାଗ୍’ ମାନ୍ୟତା ଦେବା ପାଇଁ ଆବଶ୍ୟକ ଢାଞ୍ଚାଗତ ଓ ପରିବେଶ ସମ୍ବନ୍ଧୀୟ କାମ ତ୍ୱରାନ୍ୱିତ ହୋଇଛି ।
ଆଜି ସକାଳେ ରାଜ୍ୟର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପାରାଦୀପରେ ପହଞ୍ଚି ବେଳାଭୂମି ଅଞ୍ଚଳରେ ଚାଲିଥିବା ଉନ୍ନୟନ କାମର ସମୀକ୍ଷା କରିଥିଲେ। ସେ ବେଳାଭୂମି ପରିଦର୍ଶନ କରି ସଫା-ସୁଥା, ସୁରକ୍ଷା ବ୍ୟବସ୍ଥା, ପାନୀୟଜଳ, ପରିଷ୍କାର ଶୌଚାଳୟ ଓ ପରିବେଶ ସୁରକ୍ଷା ସହ ଜଡିତ ବିଭିନ୍ନ ମାନଦଣ୍ଡ ଉପରେ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ସେପ୍ଟେମ୍ବର ମାସ ସୁଦ୍ଧା ପ୍ରମୁଖ କାର୍ଯ୍ୟ ସମାପ୍ତ କରିବାକୁ ଲକ୍ଷ୍ୟ ରହିଥିବା ସେ ଗଣମାଧ୍ୟମକୁ କହିଛନ୍ତି।
ସୂଚନା ଅନୁଯାୟୀ, ପ୍ରାୟ ୭ କିଲୋମିଟର ଦୀର୍ଘ ବେଳାଭୂମିକୁ ପର୍ଯ୍ୟାୟକ୍ରମେ ଉନ୍ନତ କରାଯିବ। ଏଥିରୁ ଏକ ନିର୍ଦ୍ଦିଷ୍ଟ ଅଂଶକୁ ବ୍ଲୁ ଫ୍ଲାଗ୍ ବିଚ ଭାବେ ଗଢ଼ି ତୋଳାଯିବ, ଯାହା ଆନ୍ତର୍ଜାତୀୟ ମାନଙ୍କୁ ପୂରଣ କରିବ। ଏଥିପାଇଁ ପରିବେଶ ସମ୍ପ୍ରସାରଣ, ପ୍ରଶାସନିକ ପରିଚାଳନା ଓ ପର୍ଯ୍ୟଟକ ସୁବିଧାରେ ବିଶେଷ ଗୁରୁତ୍ୱ ଦିଆଯାଇଛି।
ବେଳାଭୂମିର ଆଧୁନିକୀକରଣ ହେଲେ ଦେଶ-ବିଦେଶରୁ ଅଧିକ ପର୍ଯ୍ୟଟକ ପାରାଦୀପକୁ ଆକର୍ଷିତ ହେବେ ବୋଲି ଅନୁମାନ କରାଯାଉଛି । ସମୁଦ୍ର ସଂଲଗ୍ନ ଅଞ୍ଚଳରେ ପାଇଁ ନୂତନ ପର୍ଯ୍ୟଟନ ଢାଞ୍ଚା, ସୂର୍ଯ୍ୟାସ୍ତ ଦର୍ଶନ ସ୍ଥଳୀ, ବସିବା ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ସୁଦୃଢ଼ କରାଯିବ।
ରାଜ୍ୟ ସରକାରଙ୍କ ଏହି ପ୍ରୟାସ ପାରାଦୀପର ପର୍ଯ୍ୟଟନ ଉନ୍ନତିରେ ନୂଆ ଅଧ୍ୟାୟ ଲେଖିବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ଗତି ଦେବ ବୋଲି ଆଶା କରାଯାଉଛି ।
ବଙ୍ଗୋପସାଗର ଉପକୂଳରେ ପ୍ରାୟ ୭ କିଲୋମିଟର ଦୀର୍ଘ ସମୁଦ୍ରତଟକୁ ପର୍ଯ୍ୟାୟକ୍ରମେ ଉନ୍ନତ କରାଯିବାର ଯୋଜନା ରହିଛି । ପ୍ରଥମ ପର୍ଯ୍ୟାୟରେ ୩ କିଲୋମିଟର ଅଂଶକୁ ବ୍ଲୁ ଫ୍ଲାଗ୍ ମାନଙ୍କୁ ମନେରଖି ଉନ୍ନତ କରାଯିବ। ସଫା-ସୁତୁରା, ପରିବେଶ ସୁରକ୍ଷା, ପର୍ଯ୍ୟଟକ ସୁବିଧା ଓ ସୁରକ୍ଷା ବ୍ୟବସ୍ଥା ସହିତ ସମସ୍ତ ଆନ୍ତର୍ଜାତୀୟ ମାନଦଣ୍ଡ ପୂରଣ କରିବା ପାଇଁ କାମ ଚାଲିଛି । ଆସନ୍ତା ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟର କାମ ସମାପ୍ତ କରିବାକୁ ଲକ୍ଷ୍ୟ ଧରାଯାଇଛି ।
ସମୀକ୍ଷା ସମୟରେ ପାରାଦୀପ ମ୍ୟୁନିସିପାଲିଟି, ବନ୍ଦର କର୍ତ୍ତୃପକ୍ଷ ଓ ବିଭିନ୍ନ ଶିଳ୍ପ ସଂସ୍ଥାଙ୍କ ସହ ସମନ୍ୱୟ ସୃଷ୍ଟି କରି ସମଗ୍ର ଅଞ୍ଚଳର ଆଧୁନିକ ଉନ୍ନୟନ ପାଇଁ ଯୋଜନା ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ବେଳାଭୂମି ଉନ୍ନତି ସହିତ ନଗର ଢାଞ୍ଚା, ଯାତାୟାତ ଓ ପର୍ଯ୍ୟଟନ ସମ୍ପର୍କିତ ସୁବିଧାକୁ ମଧ୍ୟ ସୁଦୃଢ଼ କରାଯିବ।
ବ୍ଲୁ ଫ୍ଲାଗ୍ ବିଚ ମାନ୍ୟତା ମିଳିଲେ ପାରାଦୀପ ଦେଶ-ବିଦେଶର ପର୍ଯ୍ୟଟକଙ୍କ ପାଇଁ ଏକ ନୂଆ ଆକର୍ଷଣ କେନ୍ଦ୍ର ହେବ। ପର୍ଯ୍ୟଟନ ବିକାଶ ମାଧ୍ୟମରେ ସ୍ଥାନୀୟ ଯୁବମାନଙ୍କ ପାଇଁ ନୂତନ ଚାକିରି ସୃଷ୍ଟି ହେବା ସହ ଅଞ୍ଚଳର ଅର୍ଥନୈତିକ ଚାଲଚଳ ଆହୁରି ତେଜ ହେବ ବୋଲି ଆଶା କରାଯାଉଛି।
ରାଜ୍ୟ ସରକାର ପୁରୀ–ପାରାଦୀପ–ଭୁବନେଶ୍ୱରକୁ ସଂଯୋଗ କରି ଏକ ଆର୍ଥିକ କରିଡୋର ଗଢ଼ି ତୋଳିବାର ଯୋଜନା ନେଇ କାର୍ଯ୍ୟ କରୁଥିବାରୁ, ଏହା ପାରାଦୀପର ସାମଗ୍ରିକ ବିକାଶରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି ମତ ପ୍ରକାଶ ପାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
