Explore

Search

February 24, 2026 9:50 pm

ପାରାଦୀପକୁ ମିଳିବ ନୂଆ ପରିଚୟ : ଗଢ଼ି ଉଠିବ ଆଧୁନିକ ସ୍ପୋର୍ଟସ ହବ

ଭୁବନେଶ୍ବର : ଓଡ଼ିଶାରେ କ୍ରୀଡ଼ା କ୍ଷେତ୍ରକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ରାଜ୍ୟସରକାର ଏବେ ପାରାଦୀପକୁ ଏକ ପ୍ରମୁଖ ସ୍ପୋର୍ଟସ ହବ ଭାବେ ବିକଶିତ କରିବା ଦିଗରେ ମହତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଗାଁ ଓ ବ୍ଲକସ୍ତରରୁ ଲୁଚିଥିବା କ୍ରୀଡ଼ା ପ୍ରତିଭାକୁ ଆଗକୁ ଆଣିବା ଲକ୍ଷ୍ୟରେ ଏହି ବୃହତ ପରିକଳ୍ପନା ଆରମ୍ଭ ହେଉଛି ।

ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ପ୍ରୟାସରେ କୁଜଙ୍ଗ ବ୍ଲକ ଉଦୟବଟ ଅଞ୍ଚଳରେ ଗ୍ୟାଲେରୀ ସହ ଏକ ଆଧୁନିକ ବହୁମୁଖୀ ଇନଡୋର ଷ୍ଟାଡିୟମ ଓ ୨୫ ମିଟର ଲମ୍ବା ସୁଇମିଂ ପୁଲ ନିର୍ମାଣ ପାଇଁ ପ୍ରସ୍ତାବକୁ କ୍ରୀଡ଼ା ଓ ଯୁବସେବା ବିଭାଗ ନୀତିଗତ ଭାବେ ଅନୁମୋଦନ କରିଛି । ଏହି ପ୍ରକଳ୍ପ ପାଇଁ କମ ସେ କମ ୫-ଏକର ଜବରଦଖଲମୁକ୍ତ ସରକାରୀ ଜମି ଚିହ୍ନଟ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଗତ ମାସରେ କୁଜଙ୍ଗ ଓ ତିର୍ତ୍ତୋଲରେ ବ୍ଲକସ୍ତରୀୟ ଷ୍ଟାଡିୟମ ପାଇଁ ପ୍ରଶାସନିକ ମଞ୍ଜୁରି ମିଳିବା ପରେ, ଏହାକୁ ଆହୁରି ବ୍ୟାପକ ଓ ଆଧୁନିକ ରୂପ ଦେବା ପାଇଁ ମନ୍ତ୍ରୀ ଅନେକ ନୂଆ ପ୍ରସ୍ତାବ ରଖିଥିଲେ । ପ୍ରସ୍ତାବିତ ଇନଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଭଲିବଲ, ବାସ୍କେଟବଲ ପରି ବିଭିନ୍ନ ଖେଳ ପାଇଁ ସୁବିଧା ରହିବ।

ଏହାସହ ପୂର୍ବରୁ ଅନୁମୋଦିତ ବ୍ଲକ ଷ୍ଟାଡିୟମକୁ ଏକ ବୃହତ ସ୍ପୋର୍ଟସ କମ୍ପ୍ଲେକ୍ସରେ ପରିଣତ କରିବାର ଯୋଜନା ରହିଛି । ଏଥିରେ ଫ୍ଲଡ ଲାଇଟ ବ୍ୟବସ୍ଥା, ବଡ଼ ଗ୍ୟାଲେରୀ, ଆଧୁନିକ ପରିବର୍ତ୍ତନ କକ୍ଷ ଓ ଅନ୍ୟାନ୍ୟ ସୁବିଧା ସହ ଏକ କ୍ରିକେଟ ମଇଦାନ ମଧ୍ୟ ତିଆରି ହେବ । ପାରାଦୀପ ଅଞ୍ଚଳର ଦୀର୍ଘଦିନର ଦାବିକୁ ପୂରଣ କରିବା ଦିଗରେ ଏହି ପଦକ୍ଷେପକୁ ଏକ ଐତିହାସିକ ସିଦ୍ଧାନ୍ତ ଭାବେ ଦେଖାଯାଉଛି । ଏହା ମାଧ୍ୟମରେ ଗ୍ରାମ୍ୟ ଅଞ୍ଚଳର ଯୁବମାନେ ଉଚ୍ଚସ୍ତରୀୟ ପ୍ରଶିକ୍ଷଣ ଓ ସୁବିଧା ପାଇ ପାରିବେ । ରାଜ୍ୟ ସରକାରଙ୍କ ଏହି ପ୍ରୟାସ ପାରାଦୀପକୁ ଏକ ନୂଆ ପରିଚୟ ଦେବାସହ ଓଡ଼ିଶାକୁ କ୍ରୀଡ଼ା କ୍ଷେତ୍ରରେ ଆହୁରି ଆଗକୁ ନେବ ବୋଲି ଆଶା କରାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score