ଗଜପତି : ପାଠ ପାଇଁ ପାହାଡ଼ ଚଢୁଛନ୍ତି ସ୍କୁଲ ପିଲା। ଯିବାକୁ ହେଉଛି ଅନେକ ବାଟ । ଯାହା କୁନି କୁନି ପିଲାଙ୍କ ପାଇଁ ସାଜିଛି ବିପଦ । ଗାଁ ସ୍କୁଲ ବନ୍ଦ ହେବାପରେ ୫ ବର୍ଷ ହେଲା ଭବିଷ୍ୟତ ଗଢିବା ପାଇଁ ସଂଘର୍ଷ କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ । ନିଜ ଗାଁ ଠାରୁ ୩ କିମି ବିପଦପୂର୍ଣ୍ଣ ପାହାଡିଆ ଘାଟି ରାସ୍ତାରେ ଚାଲି ଚାଲି ପିଲାଙ୍କୁ ଯିବାକୁ ହେଉଛି ସ୍କୁଲ । ତେବେ ପିଲା କିଭଳି ଭଲରେ ସ୍କୁଲରେ ପହଞ୍ଚିବେ କେମିତି ଘରେ ସୁରକ୍ଷିତ ଭାବେ ପହଞ୍ଚିବେ ତାକୁ ନେଇ ଚିନ୍ତାରେ ରହିଥାନ୍ତି ଅଭିଭାବକ । ଗୋଟେପଟେ ଘାଟି ରାସ୍ତାକୁ ଅନ୍ୟପଟେ ପିଠିରେ ବ୍ୟାଗ ବସ୍ତାନି । ଏପରିକି କେତେକ ସ୍ଥାନରେ ବଡ଼ ପିଲାମାନେ ସାନ ପିଲାଙ୍କୁ ପିଠିରେ ବୋହି ନେଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି ।
ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବାଲିବାଡ ଗାଁରେ । ଏହି ଗାଁରେ ୪୫ରୁ ଅଧିକ ଛାତ୍ରଛାତ୍ରୀ ରହୁଥିବା ବେଳେ, ଗାଁର ପ୍ରାଥମିକ ବିଦ୍ୟାଳୟ ଆଜିକୁ ୫ ବର୍ଷ ଧରି ବନ୍ଦ ହୋଇ ରହିଛି। ଫଳରେ ପିଲାମାନେ ପାଠ ପଢିବାକୁ ବାଧ୍ୟ ହୋଇ ଅନ୍ୟ ଗାଁକୁ ଯାଉଛନ୍ତି ।
ବର୍ଷା ଦିନ ଆସିଲେ ଏହି ଘାଟି ରାସ୍ତା ଆହୁରି ଅଧିକ ବିପଦପୂର୍ଣ୍ଣ ହୋଇପଡ଼େ । ବଡ଼ ବଡ଼ ପଥର ଖସିବା, ମାଟି ଅତଡ଼ା ଧସିବା ଭଳି ଘଟଣା ଘଟୁଥିବା ସତ୍ତ୍ୱେ ମଧ୍ୟ ପିଲାମାନେ ସେହି ରାସ୍ତା ଦେଇ ସ୍କୁଲ ଯାଉଛନ୍ତି । ଅନ୍ୟପଟେ, ଗାଁର ପୁରୁଣା ସ୍କୁଲ କୋଠା ଭାଙ୍ଗି ଯାଇଥିବାରୁ ସେଠାରେ ଏବେ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଛି । ଏଭଳି ପରିସ୍ଥିତିରେ ପିଲାମାନଙ୍କ ସୁରକ୍ଷା ଓ ଭବିଷ୍ୟତକୁ ନେଇ ଅଭିଭାବକମାନେ କଣ କରିବେ ତାହା ଭାବି ପାରୁନାହାଁନ୍ତି । ନୀତି ମରଣରାସ୍ତାରେ ଯାତାୟାତ କରୁଛନ୍ତି ପିଲାମାନେ । ଗାଁରେ ସ୍କୁଲ ଖୋଲିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଦୃଢ଼ ଦାବି କରିଛନ୍ତି । ହେଲେ ଆଜି ଯାଏଁ ନା ଦାବି ପୂରଣ ହେଉଛି ନା ପିଲାଙ୍କ ଦୁଃଖ ଦୂର ହେଉଛି ।
ଏହି ପ୍ରସଙ୍ଗରେ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି ଯେ, ଯେଉଁ ଗାଁ ଗୁଡ଼ିକରେ ପିଲା ଅଛନ୍ତି ସେଠାରେ ବନ୍ଦ ହୋଇଥିବା ବିଦ୍ୟାଳୟ ପୁନଃ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସମସ୍ତ ବନ୍ଦ ବିଦ୍ୟାଳୟର ରିପୋର୍ଟ ଉପରସ୍ଥ ଅଧିକାରୀଙ୍କୁ ପଠାଯାଇଛି ଏବଂ ସ୍କୁଲ ଖୋଲିଲେ ଭିତ୍ତିଭୂମି ଉନ୍ନତି କାମ ମଧ୍ୟ କରାଯିବ ବୋଲି ସେ ଆଶ୍ୱାସନ ଦେଇଛନ୍ତି ।
ତେବେ କେବେ ସ୍କୁଲ ଖୋଲିବ କେବେ ପିଲା ସୁବିଧାରେ ଓ ଚିନ୍ତାମୁକ୍ତ ହୋଇ ପାଠ ପଢିବେ ତାକୁ ରହିଛି ଅପେକ୍ଷା । ନଚେତ ଏହି ମରଣରାସ୍ତା ପିଲାଙ୍କ ଜୀବନ ନେଇ ଯିବ କେବେ ତାହା କହିବା ଅତ୍ୟୁକ୍ତି ହେବ ନାହିଁ । ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେଲେ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ହୁଅନ୍ତା ବୋଲି ଗ୍ରାମବାସୀ କହିଛନ୍ତି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
