Explore

Search

February 28, 2026 11:54 am

ନୂଆ ରୂପ ପାଇବ ବ୍ରହ୍ମପୁର ଅଗ୍ନିଶମ କେନ୍ଦ୍ର : ଆଉ ଦେଖିବାକୁ ମିଳିବନି ଦ୍ଵିତୀୟ ବିଶ୍ଵ ଯୁଦ୍ଧର ସ୍ମାରକୀ

ବ୍ରହ୍ମପୁର : ନୂଆ ରୂପ ପାଇବ ବ୍ରହ୍ମପୁର ଅଗ୍ନିଶମ କେନ୍ଦ୍ର । ଆଉ ଦେଖିବାକୁ ମିଳିବନି ଦ୍ଵିତୀୟ ବିଶ୍ଵ ଯୁଦ୍ଧର ସ୍ମାରକୀ। ଅଢ଼େଇ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ ବ୍ରହ୍ମପୁରର ନୂଆ ଅଗ୍ନିଶମ କେନ୍ଦ୍ର। ୨୦୨୪ ମେ’ ମାସରେ ଏହି କେନ୍ଦ୍ରର ବିକାଶ ପାଇଁ ଅଗ୍ନିଶମ ବିଭାଗ ଶୁଭ ଦେଇଥିଲେ । ହେଲେ ଏବେ ଏହାର ହେବ ନବକଳେବର । ଦ୍ଵିତୀୟ ବିଶ୍ବ ଯୁଦ୍ଧ ପୁଦ୍ଧ ସମୟରେ ବ୍ରହ୍ମପୁରରେ ଅଗ୍ନିଶମ କେନ୍ଦ୍ର ସ୍ଥାପିତ ହୋଇଥିଲା।

୧୯୪୫ ମସିହାରୁ ଆଜି ପର୍ଯ୍ୟନ୍ତ ଏହି କେନ୍ଦ୍ର ନିରନ୍ତର ଭାବେ ଲୋକସେବାରେ ନିଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଅନେକ ମାଇଲଖୁଣ୍ଟ ସ୍ଥାପନ କରିଆସୁଛି। ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ ସ୍ମାରକୀ ଭାବେ ପରିଚିତ ଥିବା ପୁରୁଣା ଗୃହ ଏବେ ଆଉ ଦେଖିବାକୁ ମିଳିବ ନାହିଁ। ଏହାର ସ୍ଥାନରେ ପ୍ରାୟ ଅଢ଼େଇ କୋଟି ଟଙ୍କା ବ୍ୟୟରେ ଏକ ନୂଆ ଓ ଆଧୁନିକ ଅଗ୍ନିଶମ କେନ୍ଦ୍ର ନିର୍ମାଣ କରାଯାଉଛି।

ସୂଚନା ଅନୁସାରେ, ୧୯୪୪ ମସିହା ଏପ୍ରିଲ ମାସରେ ମୁମ୍ବାଇ ଡକଯାର୍ଡରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ପରେ ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ସେତେବେଳେ ବ୍ରିଟିଶ ସରକାର ଦେଶର ବିଭିନ୍ନ ସ୍ଥାନରେ ଅଗ୍ନିଶମ କେନ୍ଦ୍ର ସ୍ଥାପନ କରିଥିଲେ । ସେହି ପରିକଳ୍ପନାର ଏକ ଅଂଶ ଭାବେ ବ୍ରହ୍ମପୁର ଅଗ୍ନିଶମ କେନ୍ଦ୍ର ସ୍ଥାପିତ ହୋଇଥିଲା । ଯାହା ଆଜି ପର୍ଯ୍ୟନ୍ତ ଲୋକସେବାରେ ଅଗ୍ରଣୀ ଭୂମିକା ନିଭାଇ ଆସୁଛି । ଏହି ପୁରାତନ କେନ୍ଦ୍ରକୁ ଏବେ ଆଧୁନିକ ରୂପ ଦେବା ପାଇଁ ପ୍ରାୟ ଅଢ଼େଇ କୋଟି ଟଙ୍କା ବ୍ୟୟରେ ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।

ଓଡ଼ିଶାରେ ସେ ସମୟରେ ଯେଉଁ ୫ଟି ଅଗ୍ନିଶମ କେନ୍ଦ୍ର ସ୍ଥାପିତ ହୋଇଥିଲା, ସେମାନଙ୍କ ମଧ୍ୟରୁ ବ୍ରହ୍ମପୁର ଅଗ୍ନିଶମ କେନ୍ଦ୍ର ଅନ୍ୟତମ । ୧୯୪୫ ମସିହା ଜୁନ ୧୬ ତାରିଖରେ ବ୍ରିଟିଶ ସରକାରଙ୍କ ବରିଷ୍ଠ ଅଧିକାରୀ ମିସେସ ଅଖାଉରୀ ଏହି କେନ୍ଦ୍ରର ଉଦଘାଟନ କରିଥିଲେ। ସେହି ସମୟରେ ପୁରୀ, କଟକ, ବାଲେଶ୍ୱର ଓ ସମ୍ବଲପୁରରେ ମଧ୍ୟ ଅଗ୍ନିଶମ କେନ୍ଦ୍ର ଖୋଲାଯାଇଥିଲା। ସମୟ ସହ ଅନ୍ୟ କେନ୍ଦ୍ର ଗୁଡ଼ିକର ରୂପରେଖା ପରିବର୍ତ୍ତନ ହୋଇଥିବା ବେଳେ ବ୍ରହ୍ମପୁର ଅଗ୍ନିଶମ କେନ୍ଦ୍ର ଦୀର୍ଘ ବର୍ଷ ଧରି ସେହି ପୁରୁଣା ପରିସରରେ ପରିଚାଳିତ ହୋଇଆସୁଥିଲା।

ଏହି ପୁରାତନ କେନ୍ଦ୍ରକୁ ନୂଆ ଓ ଆଧୁନିକ ରୂପ ଦେବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା ଗ୍ରହଣ କରାଯାଇଛି ଏବଂ କେନ୍ଦ୍ର ପରିସରରେ ନିର୍ମାଣ କାର୍ଯ୍ୟ ଜୋରଦାର ଭାବେ ଚାଲିଛି।

ଏନେଇ ଦକ୍ଷିଣାଞ୍ଚଳ ରେଞ୍ଜ ଫାୟାର ଅଫିସର କହିଛନ୍ତି ଯେ, ଅଗ୍ନିଶମ ଯାନ ରଖିବା ପାଇଁ ଅଧିକ ଗ୍ୟାରେଜର ଆବଶ୍ୟକତା ରହିଛି। କର୍ମଚାରୀଙ୍କ ପାଇଁ ଥିବା ପୁରୁଣା ବାସଗୃହଗୁଡ଼ିକ ନଷ୍ଟ ହୋଇଯାଇଥିବାରୁ ସେଗୁଡ଼ିକର ନୂତନ ନିର୍ମାଣ ମଧ୍ୟ ଚାଲିଛି। ବର୍ତ୍ତମାନ ଦୁଇଟି କୋଠା ସହ ପ୍ରଶାସନିକ କୋଠାର ନିର୍ମାଣ କାର୍ଯ୍ୟ ଜାରି ରହିଛି।

ସମସ୍ତ କୋଠା ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ୨ କୋଟି ୫୨ ଲକ୍ଷ ୬୩ ହଜାର ଟଙ୍କା ମଞ୍ଜୁର କରାଯାଇଛି। ପୁଲିସ ହାଉସିଂ କର୍ପୋରେସନ ଏହାର ନିର୍ମାଣ ଦାୟିତ୍ୱ ନେଇଥିବା ବେଳେ, ଖୁବ ଶୀଘ୍ର କାମ ସମାପ୍ତ ହେବ ବୋଲି ସୂଚନା ମିଳିଛି। ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ପୁରୁଣା ଅଫିସ କୋଠାକୁ ଭାଙ୍ଗି ସେଠାରେ ନୂଆ ଗ୍ୟାରେଜ ନିର୍ମାଣ କରାଯିବାକୁ ଯୋଜନା ରହିଥିବା ମଧ୍ୟ ସେ କହିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score