Explore

Search

January 13, 2026 11:07 pm

ଧାର୍ମିକ ଓ କଳାତ୍ମକ ପରମ୍ପରାର ନିଦର୍ଶନ ପ୍ରହ୍ଲାଦ ନାଟକ

ଏକ ଧାର୍ମିକ ଓ କଳାତ୍ମକ ପରମ୍ପରାର ନିଦର୍ଶନ ହେଉଛି ପ୍ରହ୍ଲାଦ ନାଟକ। ଯାହା ରଜା ନାଟ ବା ରଜା ନାଟକ ଭାବେ ମଧ୍ୟ ପରିଚିତ । ଓଡ଼ିଶାର ଅନେକ ଲୋକପ୍ରିୟ ନାଟକ ଭିତରୁ ପ୍ରହ୍ଲାଦ ନାଟକ ଖୁବ ପରିଚିତ । ଯାହା ଆଜିବି ଗଞ୍ଜାମ ଜିଲ୍ଲାରେ ଜୀବିତ ହୋଇ ରହିଛି। ନୃସିଂହ ମହାପ୍ରଭୁଙ୍କର ଆବିର୍ଭାବ କାହାଣୀ ଏହି ନାଟକର ବିଷୟବସ୍ତୁ। ଏଥିରେ ଉଭୟ ଶାସ୍ତ୍ରୀୟ ଓ ଲୌକିକ ଅଙ୍ଗ ପୂର୍ଣ୍ଣ ଭାବେ ରହିଛି । ଯାହା ନୃସିଂହ ପୂଜାର ଲୋକପ୍ରିୟତାରୁ ନାଟ୍ୟରୂପ ନେଇଥିଲା। ଏହି ନାଟକରେ ନୃସିଂହ ଅବତାର ଚରିତ୍ର ଓଡ଼ିଶୀ ସଙ୍ଗୀତର ପ୍ରାୟ ୩୦ ଗୋଟି ପାରମ୍ପରିକ ରାଗ ରାଗିଣୀ ଆଧାରିତ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଗୀତ ମାଧ୍ୟମରେ ପରିବେଷିତ ହୋଇଥାଏ । ପ୍ରହ୍ଲାଦ ନାଟକରେ ୨୦ଟି ପୁରୁଷ ଚରିତ୍ର ଓ ପାଞ୍ଚଟି ନାରୀ ଚରିତ୍ର ସଂଯୋଜିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଗାହାକ ନାମକ ଚରିତ୍ର ମଞ୍ଚରେ ଘଟଣାକୁ ବ୍ୟାଖ୍ୟା କରିଥାନ୍ତି ।

ଏହି ନାଟକରେ ପ୍ରାୟ ୧୩୪ଟି ଗୀତ ପରିବେଷଣ କରାଯାଇଥାଏ । ପାରମ୍ପରିକ ବାଦ୍ୟଯନ୍ତ୍ର ଭାବେ ମର୍ଦ୍ଦଳ, ଝାଞ୍ଜ ଓ ମୁଖବାଦ୍ୟ ବ୍ୟବହୃତ ହୋଇଥାଏ । ଦକ୍ଷିଣ ଓଡ଼ିଶାରେ ଏହି ନାଟକକୁ କଳାକାରମାନେ ଦିନଦିନ ଧରି ପରିବେଷଣ କରିଥାନ୍ତି । ଏହି ନାଟକରେ ଚରିତ୍ରମାନଙ୍କ ମଧ୍ୟରୁ ପ୍ରହ୍ଲାଦ, ହିରଣ୍ୟକଶ୍ୟପ, ଲୀଳାବତୀ, ଶୁକ୍ରାଚାର୍ଯ୍ୟ, ମନ୍ତ୍ରୀ, ଗାହାକ, ଚଣ୍ଡ ଅମାର୍କ, ଗଣେଶ, ସରସ୍ୱତୀ, ବ୍ରହ୍ମା, ଇନ୍ଦ୍ର, ଦ୍ୱାରକ, ଚାରଗଣ, ଅସୁରଗଣ, ବାଳକଗଣ, ନାରଦ, ଗଜକର୍ଣ୍ଣ, ସାପୁଆ, ମାହୁନ୍ତ, କପଟ ରାକ୍ଷସ ଆଦି ଜଡିତ ଥାନ୍ତି ।

ବିଶେଷ କରି ଗଞ୍ଜାମ ଜିଲ୍ଲାରେ ଖୁବ ପ୍ରସିଦ୍ଧି ଅର୍ଜନ କରିଥିବା ଏହି ନାଟକର ଜନ୍ମବୃତ୍ତାନ୍ତ ଆଜକୁ ପ୍ରାୟ ଦେଢ଼ଶହ ବର୍ଷ ତଳର । ୧୭୯୮ ମସିହାରେ ଜନ୍ମିତ ପାରଳାଖେମୁଣ୍ଡି (ଅଧୁନା ଗଜପତି ଜିଲ୍ଲା)ର ବିଶିଷ୍ଟ ସଙ୍ଗୀତଜ୍ଞ ଓ ନାଟ୍ୟକାର ଗୌରହରି ପରିଚ୍ଛା ବିଭିନ୍ନ ରାଜ ଦରବାର ଓ ଜମିଦାରଙ୍କ ପୃଷ୍ଠପୋଷକତା ପାଇ ପ୍ରାୟ ୧୮୭୦ ମସିହା ବେଳକୁ ନିଜ ଜୀବନର ସତୁରୀ ବର୍ଷ ବୟସରେ ପ୍ରହ୍ଲାଦ ନାଟକ ଲେଖିଥିବା ବିଭିନ୍ନ ଗ୍ରନ୍ଥରୁ ଜଣାଯାଇଛି । ପ୍ରହ୍ଲାଦ ନାଟକରେ ମୁଖ୍ୟ ସ୍ୱର ଯନ୍ତ୍ର ହେଉଛି ମୁଖବୀଣା ଏବଂ ମୁଖ୍ୟ ତାଳବାଦ୍ୟ ହେଉଛି ମର୍ଦ୍ଦଳ । ଏହି ନାଟକରେ ବିଷୟ ବସ୍ତୁ ଏକା ପ୍ରକାରର ଥିଲେ ହେଁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଭାବରେ କଥାବସ୍ତୁକୁ ଉପସ୍ଥାପିତ କରାଯାଇଥାଏ ।

କେଉଁଠୁ ପ୍ରହଲ୍ଲାଦ ନାଟକର ଆରମ୍ଭ :

ପ୍ରହଲ୍ଲାଦ ନାଟକର ଧାରା ସାଧବ କବି ଗୌରହରି ପରିଚ୍ଛାଙ୍କ ଠାରୁ ଆରମ୍ଭ ହୋଇଛି । ଗୌରହରି ଓଡ଼ିଶୀ ସଙ୍ଗୀତ ରଚନାରେ ପାରଙ୍ଗମ ଥିଲେ ଏବଂ ବିଶେଷ କବିତ୍ୱ ଶକ୍ତି ସମ୍ପନ୍ନ ଥିଲେ। ଏହି ନାଟକରେ ନୃସିଂହମୁଖାକୁ ଅଲୌକିକତା ଓ ଧର୍ମର ଦ୍ୱାହି ଦେଇ ଭୟ, ଭକ୍ତିର ମିଶ୍ରିତ ଉପାଖ୍ୟାନକୁ ଅବତାରଣା କରାଯାଏ । ନୃସିଂହମୁଖାକୁ ବର୍ଷତମାମ ଆଖଡ଼ା ଘରେ ରଖାଯାଇ ପୂଜା କରାଯାଏ। ନାଟକ ଅବସରରେ ନୃସିଂହମୁଖା ଧାରଣ କରିବାକୁ ଉଦ୍ଦିଷ୍ଟ କଳାକାରକୁ ଅତି ନିଷ୍ଠା ଭାବେ କିଛି ଦିନ ଚଳିବାକୁ ପଡେ । ସ୍ତମ୍ଭ ଭାଙ୍ଗିବା ଦୃଶ୍ୟର କିଛି ସମୟ ପୂର୍ବରୁ ନୃସିଂହମୁଖାକୁ କପଡ଼ାରେ ଗୁଡେଇ ସ୍ତମ୍ଭ ଭିତରକୁ ଅଣାଇ ପୂଜାବିଧି କରାଯାଏ। ଏହି ଦୃଶ୍ୟବେଳେ ଲୋକଙ୍କ ମନରେ ଭୟଭାବ ଦେଖିବାକୁ ମିଳେ।

ପ୍ରହ୍ଲାଦଙ୍କ ଚରିତ୍ର :

ପ୍ରହ୍ଲାଦ ଚରିତ୍ରରେ ଜଣେ ୭ରୁ୮ବୟସର ବାଳକ ଅଭିନୟ କରିଥାନ୍ତି। ମାତା ଲୀଳାବତି ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ସଙ୍ଗୀତ ଗାନରେ ସ୍ତବ୍ଦ ହୋଇଯାନ୍ତି ନାରୀମାନେ । ହିରଣ୍ୟକଶିପଙ୍କ ବେଶପୋଷାକ ଓ ମୁଖମଣ୍ଡଳର ରଙ୍ଗସଜ୍ଜା ଅନେକାଂଶରେ କଥାକଳୀ ଚିତ୍ରଣ ଅନୁମେୟ କରିହୁଏ। ଏହି ନାଟକରେ ରାକ୍ଷସ ଚିତ୍ରଣ ବେଶ ମନଛୁଆଁ ହୋଇଥାଏ । ଗଦା ପ୍ରହାରରେ ଖମ୍ବ ଭଙ୍ଗାଯିବା ଦୃଶ୍ୟ ଓ ପ୍ରଭୁ ନୃସିଂହଙ୍କର ବାହାରିବା ଦୃଶ୍ୟ ଦର୍ଶକଙ୍କୁ ଶିହରିତ କରାଏ । କିନ୍ତୁ ଏହି ଲୋକ ନାଟକର ପଛରେ ଦେବପୂଜାର୍ଚ୍ଚନାର ପୌରାଣିକ କଥା ରହିଛି । ଭାଗବତ, ନୃସିଂହପୁରାଣ ଓ ବିଷ୍ଣୁ ପୁରାଣର ବିଷୟବସ୍ତୁକୁ ନେଇ ପ୍ରହ୍ଲାଦ ନାଟକ ରଚିତ ହୋଇଛି । ଏହା ଲୀଳା, ଯାତ୍ରା ବା ଗୀତିନାଟ୍ୟଠାରୁ ସ୍ବତନ୍ତ୍ର । ଉକ୍ତ ନାଟକ ଲୋକନାଟକର ମାନ୍ୟତା ପାଇଥିଲେ ମଧ୍ୟ ନୃତ୍ୟ ଓ ତାଳ ମଧ୍ୟରେ ସଂଶ୍ଳିଷ୍ଟ । ଏଥିରେ ଶାସ୍ତ୍ରୀୟତା ପରିଲକ୍ଷିତ ହୁଏ ।

ଗଞ୍ଜାମ ଜିଲ୍ଲାର ବିଭିନ୍ନ ଲୋକନାଟକ ମଧ୍ୟରେ ପ୍ରହ୍ଲାଦ ନାଟକର ବେଶ ସ୍ବତନ୍ତ୍ରତା ରହିଛି । ଶୈବଭକ୍ତ ରାଜା ହିରଣ୍ୟକଶିପୁ ଓ ବିଷ୍ଣୁଭକ୍ତ ପ୍ରହ୍ଲାଦଙ୍କ ଲୀଳା ଏହି ନାଟକରେ ପ୍ରଦର୍ଶନ ହୁଏ । ଉକ୍ତ ନାଟକକୁ ଦେଶର ବିଭିନ୍ନ ସ୍ଥାନ ତଥା ଦେଶ ବାହାରେ ମଧ୍ୟ ପରିବେଷଣ କରାଯାଉଛି। ଉକ୍ତ ନାଟକକୁ ଦେଶର ବିଭିନ୍ନ ସ୍ଥାନ ତଥା ଦେଶ ବାହାରେ ମଧ୍ୟ ପରିବେଷଣ କରାଯାଉଛି। ଏପରିକି ଗୁରୁ କୃଷ୍ଣଚନ୍ଦ୍ର ସାହୁ ଆମେରିକା, ଲଣ୍ଡନ ଆଦି ବିଦେଶରେ ମଧ୍ୟ ଏହି ନାଟକ ପରିବେଷଣ କରି ବିଶ୍ୱ ଦରବାରରେ ଏହାର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରାଇଥିଲେ।

ବ୍ରଜଧାମର ନୃସିଂହ ନୃତ୍ୟ :

ବ୍ରଜର ଅନନ୍ୟ ନୃତ୍ୟ ପରମ୍ପରା ନୃସିଂହଲୀଳା କେବଳ ନୃସିଂହ ଚତୁର୍ଦ୍ଦଶୀ ରାତିରେ ମଥୁରା ଓ ବୃନ୍ଦାବନର କେତୋଟି ଇଲାକାରେ ଆୟୋଜିତ ହୁଏ । ଏହି ଲୀଳା ନୃତ୍ୟପ୍ରଧାନ ବିଦ୍ୟା ଯେଉଁଥିରେ କୌଣସି ନାଟକ ସମ୍ପର୍କିତ ବିଦ୍ୟା ନାହିଁ। ଯେଉଁ ଅଞ୍ଚଳରେ ବା ପ୍ରଭାବଗୋଷ୍ଠୀ ଅଞ୍ଚଳରେ ନୃସିଂହ ନୃତ୍ୟ ହୁଏ, ସେହି ସାହି ବା ଇଲାକାର ଗଳିକୁ ମଞ୍ଚ ଭାବେ ବ୍ୟବହାର କରାଯାଏ। ଗଳିର ଦୁଇମୁଣ୍ଡରେ ରାସ୍ତା ବନ୍ଦ କରି ଦିଆଯାଏ । ଦୁଇପଟର ଦୂରତାର ସୀମା ପ୍ରାୟ ଦେଢ଼ ଫର୍ଲଙ୍ଗ । ଏହି ଦୂରତା ମଧ୍ୟରେ ବିଭିନ୍ନ ବେଶଭୂଷାରେ ସୁସଜ୍ଜିତ ହୋଇ କଳାକାରମାନେ ନୃତ୍ୟ କରନ୍ତି। ଏହି ନୃତ୍ୟରତ କଳାକାରଙ୍କ ସହ ଏକ ସାମୂହିକ ବାଦ୍ୟକାରମାନେ ନୃତ୍ୟରତ କଳାକାରଙ୍କ ପଛରେ ବାଜା ବଜାଇ ଯା’ଆସ କରନ୍ତି।

ବ୍ରଜଧାମର ନୃସିଂହ ନୃତ୍ୟରେ ଲବଣାସୁର, ଶତ୍ରୁଘ୍ନ, ହିରଣ୍ୟକଶିପୁ ଏବଂ ବରାହ, ବ୍ରହ୍ମା, ମହାଦେବ ଆଦି ଦେବତା ଗଳିର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ କ୍ରମରେ ଆସି ନୃତ୍ୟ କରିବା ପରେ ପ୍ରସ୍ଥାନ ହୋଇଯାନ୍ତି । ମଝିରେ ମଝିରେ ସ୍ୱଳ୍ପ ସମୟର ବିରାମ ନେଇ ସାରା ରାତି ଏହି ଲୀଳା କରିଥାନ୍ତି । ଏହାପରେ ହିରଣ୍ୟକଶିପୁର ବୀର ନୃତ୍ୟ ପରେ ହଳଦିଆ ବସ୍ତ୍ର ପିନ୍ଧି ବାଳକ ପ୍ରହ୍ଲାଦ ନିଜର ସାଥୀମାନଙ୍କ ସହ ମଣ୍ଡପକୁ ଆସି ନୃତ୍ୟ କରିଥାନ୍ତି ।

ଏହି ନାଟକ ଚାଲୁଥିବା ସମୟରେ କାଗଜ ବା ସୋଲରେ ନିର୍ମିତ ଏକ ବଡ଼ ପୋଲା ଖମ୍ବ ଠିଆ କରାଯାଇଥାଏ। ସେହି ଖମ୍ବ ଉପରକୁ ହିରଣ୍ୟକଶିପୁ ତରବାରୀ ଫିଙ୍ଗିଥାଏ। ତରବାରୀ ଖମ୍ବରେ ବାଜିବା ମାତ୍ରେ ଖମ୍ବକୁ ଚିରି ସେଥିମଧ୍ୟରୁ ନୃସିଂହ ଭଗବାନ ଭୟଙ୍କର ମୁଦ୍ରାରେ ନୃତ୍ୟ କରି କରି ମଣ୍ଡପ ମଧ୍ୟକୁ ଆସନ୍ତି। ଏହି ନୃସିଂହ ବେଶଭୂଷା ଏବଂ ନିଜ ନୃତ୍ୟ ମୁଦ୍ରାରୁ ତାହା ରୌଦ୍ରରସ ବୋଲି ପ୍ରମାଣିତ ହୁଏ। ନାଚି ନାଚି ମଣ୍ଡପର ଦୁଇ ଦୂରତାଯାକ ପୂର୍ଣ୍ଣ କରନ୍ତି। ନୃତ୍ୟ ସରିବା ପରେ ଶ୍ରୀ ନୃସିଂହ ହିରଣ୍ୟକଶିପୁକୁ ଧରି ପକାଇ ତାକୁ ନିଜ ଜଙ୍ଘ ଉପରେ ଶୁଆଇ ଦେଇ ତାର ପେଟ ଚିରିବା ଅଭିନୟ କରିଥାନ୍ତି । ଏହାପରେ ନୃସିଂହଙ୍କ କୋଳରେ ବସିଲା ପରେ ନୃସିଂହ ଲୀଳା ସମାପ୍ତ ବୋଲି ଧରାଯାଏ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score