Explore

Search

February 14, 2026 4:05 am

ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ହେଲେ ବିଚାରପତି

ନୂଆଦିଲ୍ଲୀ : ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ହେଲେ ବିଚାରପତି । ୨୪ ବର୍ଷୀୟା ଥାନ୍ୟା ନାଥନ ନିଜ ଅଦମ୍ୟ ଇଚ୍ଛାଶକ୍ତି ଓ ପରିଶ୍ରମ ଦ୍ୱାରା ଏକ ଅସାଧାରଣ ସଫଳତା ହାସଲ କରିଛନ୍ତି । ସମ୍ପୂର୍ଣ୍ଣ ଦୃଷ୍ଟିହୀନ ହେବା ସତ୍ତ୍ୱେ ସେ ୨୦୨୫ ମସିହାର ସିଭିଲ ଜଜ (ଜୁନିୟର ଡିଭିଜନ) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସମସ୍ତଙ୍କ ନଜରକୁ ଆକର୍ଷିତ କରିଛନ୍ତି । ତାଙ୍କ ଏହି ଉପଲବ୍ଧି କେବଳ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ।

ଥାନ୍ୟା ନାଥନ କେରଳର ପ୍ରଥମ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ବିଚାରପତି ଭାବେ ଇତିହାସ ଗଢ଼ିଛନ୍ତି । ଏହା ସହିତ ସେ ୨୦୧୯ ମସିହାରେ ରାଜସ୍ଥାନର ବ୍ରହ୍ମାନନ୍ଦ ଶର୍ମାଙ୍କ ପରେ ଭାରତର ଦ୍ୱିତୀୟ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ବିଚାରପତି ହୋଇଛନ୍ତି। ତାଙ୍କ ସଫଳତା ପ୍ରମାଣ କରେ ଯେ ଶାରୀରିକ ସୀମାବଦ୍ଧତା କେବେ ମଧ୍ୟ ମନୋବଳ ଓ ଲକ୍ଷ୍ୟସାଧନକୁ ରୋକି ପାରେ ନାହିଁ ।

ନିଜ ସଫଳତାର ରହସ୍ୟ ବିଷୟରେ ଥାନ୍ୟା ଦୁଇଟି ମୂଳ କାରଣ ଉଲ୍ଲେଖ କରିଛନ୍ତି। ପ୍ରଥମତଃ ସମର୍ପଣ ଓ ନିରନ୍ତର କଠିନ ପରିଶ୍ରମ । ଦ୍ୱିତୀୟତଃ ୨୦୨୫ ମସିହାରେ ସୁପ୍ରିମକୋର୍ଟଙ୍କ ଏହି ସ୍ପଷ୍ଟ ମତ ଯେ, ଦୃଷ୍ଟିହୀନ ପ୍ରାର୍ଥୀମାନେ ନ୍ୟାୟିକ ସେବାରୁ ବଞ୍ଚିତ ହେବେ ନାହିଁ। ଏହି ନିଷ୍ପତ୍ତି ତାଙ୍କ ଭଳି ଅନେକ ପ୍ରତିଭାଶାଳୀଙ୍କ ପାଇଁ ଆଶାର ଦ୍ୱାର ଖୋଲିଦେଇଥିଲା ।

ଥାନ୍ୟା ନାଥନଙ୍କ ଏହି ଉପଲବ୍ଧି ସମାଜକୁ ଏକ ସ୍ପଷ୍ଟ ସନ୍ଦେଶ ଦେଇଛି ଦୃଢ଼ ସଙ୍କଳ୍ପ, ସଠିକ ମାର୍ଗଦର୍ଶନ ଓ ଆତ୍ମବିଶ୍ୱାସ ଥିଲେ କୌଣସି ବାଧା ମଣିଷଙ୍କ ଗତିରୋଧ କରିପାରେ ନାହିଁ । ତାଙ୍କ ଯାତ୍ରା ଅନେକ ଯୁବପୀଢ଼ି ପାଇଁ ପ୍ରେରଣାର ଶ୍ରୋତ ହୋଇ ରହିବ ।

କେରଳର ପ୍ରତିଭାଶାଳୀ ଯୁବତୀ ଥାନ୍ୟା ନାଥନ ନିଜ ଅଦମ୍ୟ ସଙ୍କଳ୍ପ ଓ ଅଧ୍ୟବସାୟ ଦ୍ୱାରା ନ୍ୟାୟିକ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ରଚିଛନ୍ତି। ୨୦୨୪ ମସିହାରେ ସେ କନ୍ନୁର ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଏହା ପରେ ସେ କେରଳ ନ୍ୟାୟିକ ସେବାର ୨୦୨୫ ସିଭିଲ୍ ଜଜ୍ (ଜୁନିୟର ଡିଭିଜନ୍) ପରୀକ୍ଷାରେ ଅକ୍ଷମତା ଶ୍ରେଣୀର ମେରିଟ ତାଲିକାରେ ପ୍ରଥମ ସ୍ଥାନ ଦଖଳ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲେ।

୨୦୨୪ରେ ଓକିଲ ଭାବେ ପ୍ରାକ୍ଟିସ ଆରମ୍ଭ କରିବା ସହିତ ସେ ବିଚାରପତି ହେବାର ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପାଠପଢ଼ା ସହ ସେ ନିଜର ଆଇନ ଅଭ୍ୟାସ ଜାରି ରଖିଥିଲେ, ଯାହା ତାଙ୍କୁ ଆଇନର ବ୍ୟବହାରିକ ପ୍ରାସଙ୍ଗିକତା ଓ ଜଟିଳତା ବୁଝିବାରେ ଭଳିଭାବେ ସାହାଯ୍ୟ କରିଥିଲା।

ଥାନ୍ୟାଙ୍କ କଥା ଅନୁସାରେ, ସୁପ୍ରିମକୋର୍ଟ ଯେତେବେଳେ ଦୃଷ୍ଟିହୀନ ପ୍ରାର୍ଥୀମାନଙ୍କୁ ନ୍ୟାୟିକ ସେବା ପରୀକ୍ଷାରେ ଅଂଶଗ୍ରହଣର ଅନୁମତି ଦେଇଥିଲେ, ସେ ସମୟରେ ସେ ନିଜକୁ ପରୀକ୍ଷା ପାଇଁ ପୂର୍ଣ୍ଣ ପ୍ରସ୍ତୁତି କରିଥିଲେ। ଶୁଣାଣିର ଫଳାଫଳ ପୂର୍ବରୁ ମଧ୍ୟ ସେ ପରୀକ୍ଷା ପାଇଁ ଆବେଦନ କରିସାରିଥିଲେ । ଯାହା ତାଙ୍କ ଆତ୍ମବିଶ୍ୱାସ ଓ ସାହସକୁ ପ୍ରକାଶ କରେ।

ତେବେ ତାଙ୍କ ପାଇଁ ଯାତ୍ରା ସରଳ ନଥିଲା । ବିଚାରପତି ପଦବୀ ପାଇଁ ପ୍ରସ୍ତୁତି ନେବା ସମୟରେ ଅଧ୍ୟୟନ ସାମଗ୍ରୀ ତାଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହୋଇଥିଲା । ବିଶେଷ ପ୍ରାର୍ଥୀ ଭାବେ ସେ ଅନଲାଇନ ସାଧନସମ୍ଭାର ଉପରେ ଅଧିକ ନିର୍ଭର କରିବାକୁ ପଡ଼ିଥିଲା । କିନ୍ତୁ ସେଗୁଡ଼ିକ ଅନେକ ସମୟରେ ସୀମିତ ଓ ସହଜ ନଥିଲା।

ସମସ୍ତ ଚ୍ୟାଲେଞ୍ଜ ସତ୍ତ୍ୱେ ଥାନ୍ୟା ନାଥନ ନିଜ ଲକ୍ଷ୍ୟରୁ ପଛୁଆ ପଡ଼ିନଥିଲେ। ସେ କହିଛନ୍ତି ଯେ, ଜୀବନରେ ମିଳିଥିବା ପ୍ରତ୍ୟେକ ସୁଯୋଗ ପାଇଁ ସେ କୃତଜ୍ଞ ଓ ଆଗାମୀ ଦିନରେ ନ୍ୟାୟ ବ୍ୟବସ୍ଥାରେ ନିଷ୍ଠାପୂର୍ଣ୍ଣ ସେବା ଦେବାକୁ ସଙ୍କଳ୍ପବଦ୍ଧ। ତାଙ୍କର ଏହି ସଫଳତା ଅନେକ ଯୁବ ପ୍ରାର୍ଥୀଙ୍କ ପାଇଁ ଆଶା ଓ ପ୍ରେରଣାର ଦୀପ ହେବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score