Explore

Search

February 22, 2026 11:03 am

ଦେଶପ୍ରେମ ଓ ସାହସର ପ୍ରତୀକ ନେତାଜୀ

ଭୁବନେଶ୍ୱର : ଆଜି ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅମର ବୀର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜୟନ୍ତୀ । ଏହି ଦିନଟିକୁ ସାରା ଦେଶରେ ‘ପରାକ୍ରମ ଦିବସ’ ଭାବେ ଉତ୍ସାହ ଓ ଗର୍ବ ସହ ପାଳନ କରାଯାଉଛି । ନେତାଜୀଙ୍କ ଜୟନ୍ତୀ ଅବସରରେ କଟକ ଓଡ଼ିଆ ବଜାର ସ୍ଥିତ ତାଙ୍କ ଜନ୍ମପୀଠ ସଂଗ୍ରହାଳୟ ଓ ନେତାଜୀ ସ୍ମାରକୀକୁ ଆଲୋକମାଳା ଓ ପୁଷ୍ପସଜ୍ଜାରେ ସୁସଜ୍ଜିତ କରାଯାଇଥିଲା ।

ଏହି ପବିତ୍ର ଅବସରରେ ଆଜି ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ବରେଣ୍ୟ ଅତିଥି ଭାବେ କଟକ ଆସି ନେତାଜୀଙ୍କ ଜନ୍ମସ୍ଥାନ ଓ ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ସେ ନେତାଜୀଙ୍କ ସ୍ମୃତିସ୍ଥଳୀରେ ଶ୍ରଦ୍ଧାସୁମନ ଅର୍ପଣ କରି ଦେଶପ୍ରତି ତାଙ୍କର ଅଦ୍ୱିତୀୟ ଅବଦାନକୁ ସ୍ମରଣ କରିଥିଲେ ।

ନେତାଜୀଙ୍କ ଜୟନ୍ତୀ ଅବସରରେ ସାରା ରାଜ୍ୟରେ ବିଭିନ୍ନ ସ୍ମୃତିସଭା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଦେଶଭକ୍ତିମୂଳକ କାର୍ଯ୍ୟକଳାପ ଆୟୋଜିତ ହୋଇ ତାଙ୍କ ତ୍ୟାଗ, ସାହସ ଓ ଦେଶପ୍ରେମକୁ ସ୍ମରଣ କରାଯାଇଥିଲା।

ଏହି ଅବସରରେ ରାଜ୍ୟପାଳ ମହାମହିମ ଡ. ହରିବାବୁ କମ୍ଭମପାତି, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନଚରଣ ମାଝୀ, ରାଜ୍ୟ ସଂସ୍କୃତି ମନ୍ତ୍ରୀ, ବିଧାୟିକା ଶ୍ରୀମତୀ ସୋଫିଆ ଫିରଦୋସ, ବିଧାୟକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ସେଠୀ, ମେୟର ଶ୍ରୀଯୁକ୍ତ ସୁବାସ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉପଲକ୍ଷେ ସମଗ୍ର କଟକ ସହରକୁ ଆକର୍ଷଣୀୟ ଭାବେ ସଜାଯାଇଥିବା ବେଳେ ନେତାଜୀ ସଂଗ୍ରହାଳୟ ଓ ବ୍ୟାଖ୍ୟାନ କେନ୍ଦ୍ରକୁ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା ।

ଉପରାଷ୍ଟ୍ରପତି ନେତାଜୀ ସଂଗ୍ରହାଳୟର ବିଭିନ୍ନ ଗ୍ୟାଲେରୀ ପରିଦର୍ଶନ କରିବା ପରେ ବ୍ୟାଖ୍ୟାନ କେନ୍ଦ୍ରଠାରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ପ୍ରଦର୍ଶନୀର ଉଦଘାଟନ କରିଥିଲେ । ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ସଂଗ୍ରହାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ନେତାଜୀ ସଂଗ୍ରହାଳୟକୁ ସର୍ବସାଧାରଣଙ୍କ ଯାତାୟାତ ଉପରେ ରୋକ ଲଗାଯାଇଥିଲା।

ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ ପଦଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତ କରିଛନ୍ତି । ନେତାଜୀ ସୁଭାଷ ଚନ୍ଦ୍ର ବୋସଙ୍କ ଜନ୍ମଜୟନ୍ତୀ ଅବସରରେ କଟକରେ ଆୟୋଜିତ ‘ପରାକ୍ରମ ଦିବସ’ କାର୍ଯ୍ୟକ୍ରମରେ ସେ ଯୋଗଦେଇ ଓଡ଼ିଆ ଭାଷାରେ ଅଭିଭାଷଣ ଦେଇଥିଲେ।

ଅଭିଭାଷଣରେ ଉପରାଷ୍ଟ୍ରପତି କହିଥିଲେ ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଓ ତାଙ୍କ ତ୍ୟାଗ, ସାହସ ଓ ଦେଶପ୍ରେମ ଆଜି ମଧ୍ୟ ଦେଶବାସୀଙ୍କୁ ପ୍ରେରଣା ଦେଉଛି । ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଶାକୁ ଆସିବାର ସୁଯୋଗ ମିଳିଥିବାରୁ ସେ ଗର୍ବିତ ବୋଲି କହିଥିଲେ ।

ସେ ଆହୁରି କହିଥିଲେ ଯେ ନେତାଜୀ ପରି ବୀର ସନ୍ତାନମାନଙ୍କ ପାଇଁ ଭାରତ ଆଜି ନିଶ୍ୱାସ ନେଉଛି ଏବଂ ତାଙ୍କ ଆଦର୍ଶ ଓ ବଳିଦାନ ସଦା ସ୍ମରଣୀୟ ରହିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score