କୋରାପୁଟ: ଶେଷରେ ଦୃଢ ଇଛାଶକ୍ତି ଆଗରେ ହାର ମାନିଛି ସବୁ କିଛି । ସବୁ ପ୍ରତିବନ୍ଧକୁ ଏଡାଇ ହିମାଳୟ ଉପରେ ପାଦ ଥାପିଛନ୍ତି କୋରାପୁଟର ଝିଅ। ଯାହା ପାଇଁ ରାଜ୍ୟ ଠୁ ନେଇ ସମଗ୍ର ଦେଶରେ ପୁଣି ଚମକିଛନ୍ତି ଓଡ଼ିଆ ଝିଅ । କୋରାପୁଟରୁ ହିମାଳୟ ପର୍ବତାରୋହଣ କରି ଓଡ଼ିଶାର ନାଁ ରଖିଛନ୍ତି ଓଡ଼ିଆ ଝିଅ ହୀରା । ସମୁଦ୍ର ପତ୍ତନରୁ ପ୍ରାୟ ୨୧ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡାଇଛନ୍ତି ହୀରା ସିସା। ଆଉ ଯାହାପାଇଁ ଆଜି ପୁରା ଦେଶ ଗର୍ବ ଅନୁଭବ କରୁଛି ।
ଓଡ଼ିଶା ଏନସିସି ବାଟାଲିୟନର ହୀରା ସିସା ବିକ୍ରମଦେବ ବିଶ୍ଵବିଦ୍ୟାଳୟର ଯୁକ୍ତ ୩ ଇଂରାଜୀ ବିଭାଗର ଦ୍ଵିତୀୟ ବର୍ଷ ଛାତ୍ରୀ । ତାଙ୍କ ଘର କୋରାପୁଟ ଜିଲ୍ଲା ଲମତାପୁଟ ବ୍ଳକ ଗୁନେଇପଡ଼ାରେ । ବାପା ସମାରା ସିସା ଜଣେ ଚାଷୀ ହୋଇଥିବା ବେଳେ ମା’ ଜଣେ ଗୃହିଣୀ । ୫ ଭାଇ ଭଉଣୀଙ୍କ ଭିତରେ ହୀରା ତୃତୀୟ ସନ୍ତାନ। ପିଲାଟି ବେଳୁ ସେ ସ୍ବପ୍ନ ଦେଖିଥିଲେ କି ବଡ ହେଲେ ପର୍ବତାରୋହଣ କରିବେ। ଆଉ ତାଙ୍କର ସେହି ଇଚ୍ଛାକୁ ପୂରଣ କରିଥିଲେ ବାପା ମା’ । ସ୍କୁଲରେ ପାଠ ପଢ଼ୁଥିବା ବେଳେ ହୀରାଙ୍କୁ ମହିଳା ଏନସିସିରେ ଭର୍ତ୍ତି କରିଥିଲେ ପରିବାର ଲୋକେ । ଆଉ ସେଥିରେ ହୀରା ଯୋଗଦେବା ପରେ ତାଙ୍କୁ ମାଉଣ୍ଟେନିୟରିଂ କୋର୍ସ ପାଇଁ ଚୟନ କରାଯାଇଥିଲା।
ଏହାପରେ ଅରୁଣାଚଳ ପ୍ରଦେଶର ଦିରାଙ୍ଗ ସ୍ଥିତ ଜାତୀୟ ମାଉଣ୍ଟେନିୟରିଂ ଓ ଆଡଭେଞ୍ଚର ସ୍ପୋର୍ଟସରେ ତାଲିମ ଲାଗି ଏନସିସି ପକ୍ଷରୁ ପଠାଗଲା । ସେଠି ୨୫ଦିନ ତାଙ୍କୁ ମାଉଣ୍ଟେନିୟରିଂ କୋର୍ସ ଶିକ୍ଷା ଦିଆଯାଇଥିଲା । ଏଥିରେ ହୀରାଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ୭୫ଜଣ ଟ୍ରେନିଂ ନେଇଥିଲେ । ଏହାପରେ ତଓ୍ବାଙ୍ଗ ଜିଲ୍ଲାରେ ଥିବା ହିମାଳୟର ଗୋରିଚେନ ଶିଖର ଅଭିଯାନ ଆରମ୍ଭ ହୋଇଥିଲା । ଆଉ ଅଭିଯାନରେ କୋରାପୁଟ ଝିଅ ହୀରା ୨୧ ହଜାର ଫୁଟ ଉଚ୍ଚତାର ଗୋରିଚେନ ଶୃଙ୍ଗ ଆରୋହଣ କରି ଉଡାଇଛନ୍ତି ତ୍ରିରଙ୍ଗା । ବିନା ଅକ୍ସିଜେନରେ ପ୍ରତିକୂଳ ପରିବେଶ ସତ୍ତ୍ୱେ ସମସ୍ତଙ୍କୁ ପଛରେ ପକାଇ ହୀରା ଶୀର୍ଷରେ ପହଞ୍ଚିଥିଲେ । ଏହି ସଫଳତା ପାଇଁ ହୀରାଙ୍କୁ ନିମାସର କର୍ଣ୍ଣେଲ ରଣବୀର ସିଂ ଜମ୍ବାଲେ ପ୍ରଶଂସା କରିବା ସହ ପୁରସ୍କାର ପ୍ରଦାନ କରିଛନ୍ତି । ଆଉ ହୀରାଙ୍କର ଏହି ସଫଳତା ପରେ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
କଥାରେ ଅଛି ଦୃଢ ମନ ଓ ଇଛାଶକ୍ତି ଆଗରେ ସବୁକିଛି ହାର ମାନିଯାଏ । ମଣିଷ ଯେତେବେଳେ ଦୃଢ଼ମନା ହୋଇଯାଏ ନା ସେତେବେଳେ ତାକୁ କେହି ଲୋକେ କି କୌଣସି ପରିସ୍ଥିତି ଅଟକାଇ ପାରେନି । ଆଉ ଯାହାର ପ୍ରମାଣ ଦେଖାଇଛନ୍ତି କୋରାପୁଟ ଭଳି ଉପାନ୍ତ ଜିଲ୍ଲାରୁ ଯାଇ ହିମାଳୟରେ ପହଞ୍ଚିଥିବା ଛାତ୍ରୀ ହୀରା ସୀସା । ହୀରାଙ୍କ ପାଇଁ ଆଜି କେବଳ ରାଜ୍ୟ ନୁହେଁ ଦେଶ ବି ଗର୍ବିତ ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
