Explore

Search

January 14, 2026 2:15 am

ଦୁଲକିବ ମାଲ୍ୟବନ୍ତ ମହୋତ୍ସବ, ୫ ଦିନ ଯାଏଁ ମଦ ବିକ୍ରି ବନ୍ଦ

ମାଲକାନଗିରି : ପୁଣିଥରେ ମାଲକାନଗିରିରେ ଦୁଲକିବ ଜିଲ୍ଲାସ୍ତରୀୟ ଲୋକ ମହୋତ୍ସବ ‘ମାଲ୍ୟବନ୍ତ’। ଆସନ୍ତା ୨୦୨୬ ଫେବୃଆରୀ ୧ ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବାସହ ୫ ତାରିଖ ପର୍ଯ୍ୟନ୍ତ ଉତ୍ସବ ମୁଖର ପରିବେଶ ଦେଖିବାକୁ ମିଳିବ। ସ୍ଥାନୀୟ ଡିଏନକେ ପଡ଼ିଆରେ ମହୋତ୍ସବ ଆୟୋଜିତ ହେବ।

ମାଲ୍ୟବନ୍ତ ମହୋତ୍ସବର ତାରିଖ ଘୋଷଣା ପରେ ସମଗ୍ର ମାଲକାନଗିରି ଜିଲ୍ଲାରେ ଖୁସିର ପରିବେଶ ସୃଷ୍ଟି ହୋଇଛି। ଏହି ଅବସରରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ମାଲ୍ୟବନ୍ତ ମହୋତ୍ସବ ଆୟୋଜନ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମହୋତ୍ସବକୁ ଶାନ୍ତି, ଶୃଙ୍ଖଳା ଓ ଉତ୍ସାହର ସହ ସଫଳ ଭାବେ ପାଳନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ ଆହ୍ୱାନ କରିଛନ୍ତି।

ମହୋତ୍ସବ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବାକୁ ଅଧିକ ସିସିଟିଭି କ୍ୟାମେରା ଖଞ୍ଜାଯିବ ଏବଂ ସମସ୍ତ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମଗ୍ର ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯିବ। କେହି ଯଦି ଗୁଜବ ବା ଅପପ୍ରଚାର ମାଧ୍ୟମରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି, ସେମାନଙ୍କ ବିରୁଦ୍ଧରେ ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଛି।

ମହୋତ୍ସବରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକନୃତ୍ୟ ଓ ଲୋକସଙ୍ଗୀତକୁ ବିଶେଷ ପ୍ରାଧାନ୍ୟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଏହା ସହ ଫେବୃଆରୀ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ମଦ ବିକ୍ରି ଉପରେ ପ୍ରଶାସନ ପକ୍ଷରୁ ପୂର୍ଣ୍ଣ ନିଷେଧାଜ୍ଞା ଜାରି କରାଯାଇଛି। ମହୋତ୍ସବ ସଫଳତା ପାଇଁ ସମସ୍ତ କମିଟିକୁ ସକ୍ରିୟ ଭାବେ କାମ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ୨୦୨୫ ଡିସେମ୍ବର ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ମାଲ୍ୟବନ୍ତ ମହୋତ୍ସବ-୨୦୨୫କୁ, ମାଲକାନଗିରି ଜିଲ୍ଲାର MV-26 ଗାଁରେ ସୃଷ୍ଟି ହୋଇଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଡିସେମ୍ବର ୧୨ ତାରିଖରେ ସ୍ଥଗିତ କରାଯାଇଥିଲା। ପରେ ଜିଲ୍ଲାର ସ୍ଥିତି ସାଧାରଣ ହେବା ପରେ ମହୋତ୍ସବ ପୁନର୍ବାର ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନୂଆ ତାରିଖ ଘୋଷଣା କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score