Explore

Search

March 8, 2026 4:21 am

ଦୁବାଇରେ ଫସିଛନ୍ତି ବ୍ରହ୍ମପୁର ସାଂସଦଙ୍କ ପରିବାର : ସୁରକ୍ଷିତ ଫେରାଇ ଆଣିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅନୁରୋଧ

ବ୍ରହ୍ମପୁର : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଫସିଛନ୍ତି ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ପରିବାର । ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ୮ଟି ପରିବାରର ମୋଟ ୨୪ ଜଣ ନାଗରିକ ଦୁବାଇରେ ଫସି ରହିଥିବା ଖବର ମିଳିଛି । ତେବେ ସେମାନଙ୍କୁ ସୁରକ୍ଷିତ ଭାବେ ଭାରତକୁ ଫେରାଇ ଆଣିବା ପାଇଁ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଚାହିଁଛନ୍ତି । ଏହାସହ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନଙ୍କୁ ମଧ୍ୟ ସହାୟତା କରିବାକୁ ଅନୁରୋଧ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଗତ ଫେବୃଆରୀ ୨୫ ତାରିଖରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର କିଛି ପରିବାର ପର୍ଯ୍ୟଟନ ଉଦ୍ଦେଶ୍ୟରେ ଦୁବାଇକୁ ଯାଇଥିଲେ। ସେହି ଦଳରେ ବରିଷ୍ଠ ନାଗରିକ ଓ ଶିଶୁମାନେ ମଧ୍ୟ ଥିଲେ। ସେମାନଙ୍କର ମାର୍ଚ୍ଚ ୨ ତାରିଖରେ ଇଣ୍ଡିଗୋ ବିମାନ ସେବାରେ ଭାରତକୁ ଫେରିବାର ପ୍ରସ୍ତାବ ଥିଲା। କିନ୍ତୁ ମଧ୍ୟପ୍ରାଚ୍ୟରେ ହଠାତ ଉତ୍ତେଜନା ବଢ଼ିବା ଓ କିଛି ଆକାଶ ମାର୍ଗ ବନ୍ଦ ହେବା ଫଳରେ ସେମାନଙ୍କର ଯାତ୍ରା ବାଧାପ୍ରାପ୍ତ ହୋଇଛି । ଫଳରେ ସୁଦୂର ଦୁବାଇରେ ଅଟକି ରହିଛନ୍ତି ବ୍ରହ୍ମପୁର ସାଂସଦ ପରିବାର ସ୍ୱଜନ୍ୟ ।

ତେବେ ସମ୍ପୃକ୍ତ ପରିବାର ଗୁଡ଼ିକ ଦୁବାଇ ଅଞ୍ଚଳର ଏକ ଘରୋଇ ହୋଟେଲରେ ଅସ୍ଥାୟୀ ଭାବେ ରହିବାକୁ ବାଧ୍ୟ ହୋଇଛନ୍ତି । ଅଞ୍ଚଳରେ ବିସ୍ଫୋରଣ ଓ କ୍ଷେପଣାସ୍ତ୍ର ଆକ୍ରମଣ ସମ୍ବନ୍ଧୀୟ ଖବର ଚାଲିଥିବାରୁ ସେମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ବଢ଼ିଛି ।

ଏହି ବିଷୟରେ ଜାଣିବା ପରେ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟଙ୍କୁ ଚିଠି ଲେଖି ତୁରନ୍ତ ସହାୟତା ଲୋଡିଛନ୍ତି । ଭାରତ ସରକାର ଦୁବାଇରେ ଥିବା ଭାରତୀୟ ଦୂତବାସ ସହ ସମନ୍ୱୟ କରି ସେମାନଙ୍କୁ ଶୀଘ୍ର ଓ ସୁରକ୍ଷିତ ଭାବରେ ଦେଶକୁ ଫେରାଇ ଆଣିବାକୁ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଅନୁରୋଧ କରିଛନ୍ତି ।

ଏହା ସହିତ ସାଂସଦ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିବ ଓ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନଙ୍କୁ ମଧ୍ୟ ଏହି ଘଟଣା ବିଷୟରେ ଅବଗତ କରାଇଛନ୍ତି । ପରିବାର ଗୁଡ଼ିକର ସୁରକ୍ଷା ଓ ସହାୟତା ନିମନ୍ତେ ସାଂସଦଙ୍କ କାର୍ଯ୍ୟାଳୟରେ ଏକ ବିଶେଷ ମନିଟରିଂ ବ୍ୟବସ୍ଥା ମଧ୍ୟ କରାଯାଇଛି।

ସାଂସଦ କହିଛନ୍ତି, ବିଦେଶରେ ଅଟକିଥିବା ନାଗରିକମାନଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇବା ନେଇ କେନ୍ଦ୍ର ସରକାର ଶୀଘ୍ର ପଦକ୍ଷେପ ନେବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସେହି ପରିବାରମାନଙ୍କ ନିରାପଦ ଭାବେ ଓଡ଼ିଶାକୁ ଫେରିବା ପ୍ରତୀକ୍ଷା ଚାଲିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score